ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟିକୁ ରାଗ ଲାଗୁଥିବା କଞ୍ଚାଲଙ୍କା ବାସ୍ତବରେ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଆଜିକାଲି ଖାଦ୍ୟରେ ଶୁଖିଲା ଲଙ୍କାର ବ୍ୟବହାର ଅଧିକ ହେଉଛି, ଯାହା କି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଶୁଖିଲା ଲଙ୍କା ବଦଳରେ କଞ୍ଚାଲଙ୍କା ଖାଆନ୍ତୁ।
କଞ୍ଚାଲଙ୍କାରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଯଥା ଭିଟାମିନ ଏ, ବି୬, ଆଇରନ, ଫାଇବର, ପୋଟାସିୟମ, ପ୍ରୋଟିନ, କାର୍ବୋହାଇଡ୍ରେଟ ଆଦି ଭରପୁର ମାତ୍ରାରେ ଥାଏ।
ହଜମ ପ୍ରକ୍ରିୟା
କଞ୍ଚାଲଙ୍କାରେ ଭିଟାମିନ-ସିର ମାତ୍ରା ପର୍ଯ୍ୟାପ୍ତ ପରିମାଣରେ ଥାଏ। କଞ୍ଚାଲଙ୍କାରେ ଫାଇବାର ମାତ୍ରା ଅଧିକ ଥାଏ ଯାହା ହଜମ କରିବାରେ ସାହାଯ୍ୟ କରିଥାଏ।
ମସ୍ତିଷ୍କ ଫୂର୍ତ୍ତି ରଖେ
ଆଜିକାଲି ଚିନ୍ତା ଏକ ବଡ଼ ସମସ୍ୟା ପାଲଟିଛି। ଲୋକମାନେ ଚିନ୍ତାରୁ ମୁକ୍ତି ପାଇଁ ନାନା ଉପାୟ ଅବଲମ୍ୱନ କରୁଛନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି କଞ୍ଚାଲଙ୍କା ଖାଇବା ଦ୍ୱାରା ମୁଣ୍ଡରେ ‘ଏଣ୍ଡ୍ରୋଫିନର’ ସଞ୍ଚାର ହୋଇଥାଏ ଯାହା ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଆମେ ମାନସିକ ସ୍ତରରେ ସତେଜ ଅନୁଭବ କରୁ।
କ୍ୟାନସର ମୁକାବିଲା କରେ
କଞ୍ଚା ଲଙ୍କାରୁ ମିଳୁଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ମଜଭୁତ କରିଥାଏ। ଏହା କ୍ୟାନସର ପରି ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ। ଅଧିକ ଧୂମପାନ କରୁଥିବା ଲୋକେ କଞ୍ଚାଲଙ୍କା ଖାଇବା ଉଚିତ।
ଫୁସଫୁସ
ଏକ ପରୀକ୍ଷାରୁ ଜଣାପଡିଛି କଞ୍ଚାଲଙ୍କା ଫୁସଫୁସ୍ କ୍ୟାନସରକୁ ମଧ୍ୟ କିଛି ମାତ୍ରାରେ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କଞ୍ଚାଲଙ୍କାରେ ଆଣ୍ଟି ବ୍ୟାକ୍ଟରିଆ ଜନିତ ଗୁଣଥିବାରୁ ରୋଗ ସହିତ ଲଢ଼ିବାରେ ସକ୍ଷମ ହୋଇଥାଏ।
ସୁଗାର ନିୟନ୍ତ୍ରଣ କରେ
ଶରୀରରେ ସୁଗାରର ନିୟନ୍ତ୍ରଣ କରିବାରେ କଞ୍ଚାଲଙ୍କା ଉପକାରୀ ସାବ୍ୟସ୍ତ ହୁଏ। ଏଥିପାଇଁ ଏକ ଗ୍ଲାସ୍ ପାଣିରେ କଞ୍ଚାଲଙ୍କାକୁ ଭାଙ୍ଗି ରାତିସାରା ବତୁରାଇ ଦିଅନ୍ତୁ। ସକାଳୁ ସେଥିରୁ ମଞ୍ଜି ବାହାର କରି ପାଣି ପିଅନ୍ତୁ। ଏକ ମାସ ପର୍ଯ୍ୟନ୍ତ ଏହି ଉପାୟ ଅବଲମ୍ୱନ କରିବା ଦ୍ୱାରା ସୁଗାର ନିୟନ୍ତ୍ରଣ ହୁଏ।
ଆଖି ଓ ତ୍ୱଚା ପାଇଁ ଲାଭଦାୟକ
ଏହାବ୍ୟତୀତ କଞ୍ଚାଲଙ୍କା ଆଖି ଓ ତ୍ୱଚା ପାଇଁ ଲାଭଦାୟକ ଅଟେ। ବିଷେଶଜ୍ଞମାନଙ୍କ ମତରେ, କଞ୍ଚାଲଙ୍କା ଖାଇବା ଦ୍ୱାରା ମନ, ମସ୍ତିସ୍କ ସତେଜ ରହିଥାଏ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗକୁ ମଧ୍ୟ ନିୟନ୍ତ୍ରଣ ରଖେ କଞ୍ଚା ଲଙ୍କା।