ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରଏସଏସର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି।

ନାଗପୁରରେ ଅନୁଷ୍ଠିତ ଆରଏସଏସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପ୍ରଣବ ମୁଖାର୍ଜି। ଏହାକୁ ନେଇ କଂଗ୍ରେସ ବରିଷ୍ଠ ଅଧିକାରୀ ଚିନ୍ତାରେ ପଡ଼ି ଯାଇଛନ୍ତି।

ପ୍ରଣବ ମୁଖାର୍ଜି ୟୁପିଏ ସରକାରରେ ଥିଲାବେଳେ ଆରଏସଏସ ସହ ଆତଙ୍କବାଦୀ ସଂଗଠନର ସମ୍ପର୍କ ନେଇ ଯାଞ୍ଚ କରିବାକୁ ଦାବି କରିଥିଲେ। ଏବେ ସେ ଆରଏସଏସ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଖବରକୁ ସହଜରେ ହଜମ କରିପାରୁ ନାହିଁ କଂଗ୍ରେସ ଶିବିର।

ରାହୁଲ ଗାନ୍ଧି ନିଜ ମା ସୋନିଆ ଗାନ୍ଧିଙ୍କ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ଫଳରେ ଏପ୍ରସଙ୍ଗରେ କଂଗ୍ରେସ କୌଣସି ନିଷ୍ପତ୍ତି ନେଇ ପାରୁନାହିଁ।

୭ ଜୁନ୍‍ରେ ପ୍ରଣବ ମୁଖାର୍ଜୀ ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ମୁଖ୍ୟାଳୟକୁ ଯିବାକୁ ସହମତି ପ୍ରକାଶ କରିଛନ୍ତି। ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଆରଏସଏସ ଦ୍ୱାରା ଆୟୋଜିତ ସଂଘ ଶିକ୍ଷା ବର୍ଗ ତୃତୀୟ ବାର୍ଷିକ କାର୍ଯ୍ୟକ୍ରମର ଉଦଘାଟନ ଓ ସମାପନ ଉତ୍ସବରେ ପ୍ରବଣ ମୁଖାର୍ଜୀ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ୭୦୦ରୁ ଉର୍ଦ୍ଧ୍ଵ ଆରଏସଏସ କର୍ମକର୍ତ୍ତା ଉପସ୍ଥିତ ରହିବେ।

ବରିଷ୍ଠ କଂଗ୍ରେସ ନେତା ମନିଷ ତିୱାରୀ କହିଛନ୍ତି, “ପ୍ରଣବ ମୁଖାର୍ଜି ଆରଏସଏସ କାର୍ଯ୍ୟକ୍ରମକୁ କାହିଁକି ଯାଉଛନ୍ତି ଏହାର ଉତ୍ତର ସେ ହିଁ କେବଳ ଦେଇପାରିବେ”।

“ପ୍ରଣବ ମୁଖାର୍ଜୀ ଜଣେ ବୁଦ୍ଧିମାନ ବ୍ୟକ୍ତିତ୍ୱ ଓ ଭାରତର ପୂର୍ବତନ ରାଷ୍ଟ୍ରପତି। ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେଲେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଯିବ ଏଭଳି ଆଶା କରିବା ଉଚିତ ନୁହେଁ”, କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶିଲ କୁମାର ସିନ୍ଦେ।

Comment