ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ମଙ୍ଗଳବାର ଶପଥ ନେଇଛନ୍ତି ଗଣେଶୀ ଲାଲ୍। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନିତ ଶରଣ ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗଣେଶୀ ଲାଲ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ନୂଆ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଗାର୍ଡ ଅଫ୍ ଅନର ଏବଂ ତୋପ ସଲାମି ଦିଆଯାଇଥିଲା। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ।

ଗଣେଶୀ ଲାଲ୍ ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଦାୟିତ୍ୱରେ ଥିବା ସତ୍ୟପାଲ ମଲ୍ଲିକଙ୍କଠାରୁ ଗଣେଣୀ ଲାଲ୍ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଡକ୍ଟର ଏସ୍‌ ସି ଜମୀରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଥିଲା। ମାର୍ଚ୍ଚ ୨୫ରେ ଗଣେଶୀ ଲାଲ୍‌ଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ।

ହରିୟାଣାର ସିର୍ସା ବିଧାନସଭା ଆସନରୁ ଗଣେଶୀ ଲାଲ ବିଜେପି ଟିକେଟରେ ଏକାଧିକବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ଗଣେଶୀ ଲାଲଙ୍କୁ ରାଜ୍ୟପାଳ କରିବା ପାଇଁ ପ୍ରସ୍ତାବ ଆସିଥିଲା। ହେଲେ କୌଣସି କାରଣରୁ ସେ ରାଜ୍ୟପାଳ ହୋଇପାରି ନଥିଲେ।

Comment