ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଦଳ ଏବେ ଚିନ୍ତାରେ। ୧୦ଟି ରାଜ୍ୟର ୪ଟିରେ ଲୋକସଭା ୧୦ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳକୁ ନେଇ ବିଜେପି କିଛିଟା ବିଚଳିତ ହୋଇପଡ଼ିଛି।

ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ ପରାସ୍ତ ହେବା ପରେ ଚିନ୍ତାରେ ପଡ଼ିଯାଇଛି ବିଜେପି। ୧୦ଟି ରାଜ୍ୟ ମଧ୍ୟରୁ ୪ଟିରେ ଲୋକସଭା ଓ ୧୦ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ବିଜେପି ବିପକ୍ଷରେ ଯାଇଛି। ବିଜେପି ବିପକ୍ଷରେ ୧୪ଟି ସିଟରୁ ୧୧ଟି ସିଟ୍ ଜିତିବାରେ ସକ୍ଷମ ହୋଇଛନ୍ତି ବିଜେପି ବିରୋଧୀ।

ବିଗତ ୪ ବର୍ଷ ମଧ୍ୟରେ ଅନୁଷ୍ଠିତ ୨୭ଟି ଲୋକସଭା ଉପ-ନିର୍ବାଚନରେ ବିଜେପି ମାତ୍ର ୫ଟି ଆସନ ଜିତିବାରେ ସକ୍ଷମ ହୋଇଛି। କେବଳ ଆସନ ନୁହେଁ, ବିଜେପିର ଭୋଟ ପ୍ରତିଶତ ବି କମିଛି।

୨୦୧୪ ନିର୍ବାଚନରେ ଉତ୍ତରପ୍ରଦେଶର କୈରାନା ଲୋକସଭା ଆସନରେ ବିଜେପି ସାଂସଦ ପ୍ରାର୍ଥୀ ହୁକୁମ ସିଂହଙ୍କୁ ୫୦.୬ ପ୍ରତିଶତ ଭୋଟ ମିଳିଥିଲା। ତାଙ୍କ ମୃତ୍ୟୁ ପରେ ହୋଇଥିବା ଉପ-ନିର୍ବାଚନରେ ବିଜେପିର ମୃଙ୍ଗାକ ସିଂହଙ୍କୁ ଆରଏନଡି ପ୍ରାର୍ଥୀ ତବସୁମ୍‍ ପରାଜିତ କରିଛନ୍ତି। ବିଜେପି ବିପକ୍ଷରେ ଅନ୍ୟାନ୍ୟ ରାଜନୈତିକ ଦଳ ଏକଜୁଟ ହେବା ଦ୍ୱାରା ବିଜେପି କେବଳ ୪୬.୫ ପ୍ରତିଶତ ଭୋଟ ମିଳିବାରେ ସକ୍ଷମ ହୋଇଛି।

ମହାରାଷ୍ଟ୍ରର ପାଲଘର ଓ ଭଣ୍ଡାରା-ଗୋନ୍ଦିଆ ଲୋକସଭା ଆସନରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି। ପାଲଘରରେ ବିଜେପିକୁ ୯ ପ୍ରତିଶତ ଓ ଭଣ୍ଡାରା-ଗୋନ୍ଦିଆ ରେ ୨୩ ପ୍ରତିଶତ ଭୋଟ କମ୍‍ ମିଳିଛି। ଭଣ୍ଡାରା-ଗୋନ୍ଦିଆରେ କଂଗ୍ରେସ-ଏନସିପି ମେଣ୍ଟ ପ୍ରାର୍ଥୀଙ୍କୁ ୮ ପ୍ରତିଶତ ଅଧିକ ଭୋଟ ମିଳିଛି।

ଉତ୍ତରପ୍ରଦେଶ ନୂରପୁର ବିଧାନସଭା ଆସନରେ ଗତ ନିର୍ବାଚନରେ ବିଜେପିକୁ କେବଳ ୩୯ ପ୍ରତିଶତ ଭୋଟ ମିଳିଥିବାବେଳେ ଉପନିର୍ବାଚନରେ ବିଜେପିକୁ ୪୭.୨ ପ୍ରତିଶତ ଭୋଟ ମିଳିଛି।

ବାମଦଳର ଗଡ଼ କୁହାଯାଉଥିବା କେରଳ ରାଜ୍ୟକୁ ଦଖଲ କରିବାକୁ ସ୍ୱପ୍ନ ଦେଖୁଥିବା ୨୦୧୪ ସାଧାରଣ ନିର୍ବାଚନ ଅନୁପାତରେ ଏଥର ବିଜେପିକୁ ୭ ପ୍ରତିଶତ କମ୍‍ ଭୋଟ ମିଳିଛି। ବିଜେପି ଏଠି ଜାତି କାର୍ଡ ଖେଳି ନାୟର ସମୁଦାୟର ଶ୍ରୀଧରନ୍ ପିଲ୍ଲାଇଙ୍କୁ ମୈଦାନକୁ ଆଣିଥିଲା। କିନ୍ତୁ ଏଠାରେ ଭୋଟ ପ୍ରତିଶତ ବଢ଼ିପାରିଲା ନାହିଁ ବରଂ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା।

ପଶ୍ଚିମବଙ୍ଗର ମହେସତାଲା ବିଧାନସଭା ସିଟରେ ବିଜେପି ହାରିଥିଲେ ମଧ୍ୟ ଏଠାରେ ଭୋଟ ପ୍ରତିଶତ ବଢ଼ିଛି।

ଉପନିର୍ବାଚନରେ ପରାସ୍ତ ହେବା ଫଳରେ ବିଜେପି ଲୋକସଭାରେ ସଂଖ୍ୟାଗରିଷ୍ଠତା ହରାଇଛି। ୫୪୫ ଆସନ ବିଶିଷ୍ଟ ଲୋକସଭାରେ ସରକାର ଗଠନ ନିମନ୍ତେ କୁହୁକ ସଂଖ୍ୟା ୨୭୨ ଥିବାବେଳେ ଦଳ ନିକଟରେ ଏହାଠାରୁ ଗୋଟିଏ ଆସନ କମ୍‍ ରହିଛି। ଦଳୀୟ ସାଂସଦଙ୍କ ସଂଖ୍ୟା ଏବେ ୨୭୧ରେ ପହଞ୍ଚିଛି। ଏହା ସତ୍ତ୍ୱେ ବିଜେପି ପ୍ରତି ମେଣ୍ଟ ଦଳଗୁଡିକର ସମର୍ଥନ ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତି କୌଣସି ବିପଦ ନାହିଁ।

କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବା ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେବା ଏବଂ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ ପରାସ୍ତ ହେବା ପରେ ଦେଶରେ ବିଜେପି ହାୱାରେ କିଛିଟା ବ୍ରେକ୍ ଲାଗିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥଗ୍ରହଣ ସମାରୋହରେ କଂଗ୍ରେସ ସହ ବିପକ୍ଷଙ୍କ ଏକଜୁଟ ହୋଇ ୨୦୧୯ ନିର୍ବାଚନରେ ବିଜେପିକୁ ପାନେ ଦେବାକୁ ଚାହୁଁଛନ୍ତି ବିଜେପି ବିରୋଧୀ ଦଳ। ଯାହା ବିଜେପିକୁ ଚିନ୍ତାରେ ପକାଇଛି।

Comment