ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିକୁ ସମାଲୋଚନା କରିଛନ୍ତି।

“ବିଜେପି ସବୁବେଳେ ଓଡିଶା ଏବଂ ମହାନଦୀ ପାଇଁ ଲଢେଇ କରି ଆସୁଛି। ଭବିଷ୍ୟତରେ ମଧ୍ୟ କରିବ। ଏଥିରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ। ଶାସକ ବିଜେଡି ଭଳି ପ୍ରତାରଣା କରି ବିଜେପି ଶସ୍ତା ରାଜନୀତି କରେନି। ମହାନଦୀ ବିବାଦର ସମାଧାନ ଆଲୋଚନା ମାଧ୍ୟମରେ କରିବା ପରିବର୍ତ୍ତେ ଶାସକ ବିଜେଡି ଆନ୍ଦୋଳନ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛି”, କହିଛନ୍ତି ବିଜେପି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ।

ବିଜେପି ପାର୍ଟି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ମହାନଦୀ ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା କରିଥିଲେ। ବିଜେଡି ଭୋଟ ବ୍ୟାଙ୍କ ପାଇଁ ମହାନଦୀକୁ ଅସ୍ତ୍ର କରି ରାଜନୀତି କରୁଥିବା ସେ କହିଛନ୍ତି।

ଟ୍ରିବ୍ୟୁନାଲରେ ମହାନଦୀ ପ୍ରସଙ୍ଗ ଥିବାବେଳେ ମିଥ୍ୟା ତଥ୍ୟ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରି ରାଜରାସ୍ତାରେ ଆନ୍ଦୋଳନ କରିବାର ଯଥାର୍ଥତା କେତେ ରହିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ଚରମ ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି। ଶାସକ ବିଜେଡି ଆପୋଷ ବୁଝାମଣାରେ ମହାନଦୀ ବିବାଦର ସମାଧାନ କରିନଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ ହୋଇଛି। ଟ୍ରିବ୍ୟୁନାଲ ହିଁ ମହାନଦୀ ପ୍ରସଙ୍ଗରେ ଶେଷ ରାୟ ଶୁଣାଇ ପାରିବେ। ଆନ୍ତରିଣ ରହିତାଦେଶ ଜାରି କରିପାରିବେ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରିପାରିବେ। ହେଲେ ବିଜେଡି ଟ୍ରିବ୍ୟୁନାଲରେ ଉପଯୁକ୍ତ ତଥ୍ୟ ରଖି  ଓଡିଶାର ହକ୍‌କୁ ଛଡାଇ ନଆଣି କୋଟି କୋଟି ଟଙ୍କା ଅଯଥାରେ ଖର୍ଚ୍ଚ କରି ଆନ୍ଦୋଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

୧୮ ବର୍ଷ ମଧ୍ୟରେ ମହାନଦୀ ସମେତ ଅନ୍ୟ କୈାଣସି ନଦୀମାନଙ୍କରେ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବ୍ୟାରେଜ ନିର୍ମାଣ କରିପାରିଲେ ନାହିଁ। ମହାନଦୀର ଜଳକୁ ସଂରକ୍ଷିତ ରଖିବା ପାଇଁ ଗୋଟିଏ ବ୍ୟାରେଜ ନିର୍ମାଣ ନକରି ଆନ୍ଦୋଳନ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟର ସମସ୍ତ ନଦୀର ଜଳ ସଂପୂର୍ଣ୍ଣଭାବେ ପ୍ରଦୁଷିତ ହୋଇଯାଇଛି ବୋଲି ଖୋଦ୍ ରାଜ୍ୟସରକାର ମାନିଛନ୍ତି । ରାଜ୍ୟ ସରକାର ଜଳ ସେଚନ ପ୍ରକଳ୍ପ ମାନ ନିର୍ମାଣ କରି କୃଷିର ବିକାଶ କରିପାରିଥାନ୍ତେ। ୨୦୦୦ ମସିହାରୁ ୮ଟି ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାହା ଶେଷ ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀ କେବଳ ମହାନଦୀ ନୁହେଁ ରାଜ୍ୟର କୌଣସି ନଦୀରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରି ନାହାନ୍ତି ବୋଲି ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି।

Comment