ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି। ଗଁଦିଆ ବ୍ଲକର ଠାକୁରପାଳ ଛକରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ନବୀନଙ୍କ ଗାଡ଼ିକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ ନବୀନ ନନ୍ଦ ଗାଡ଼ି ଭିତରେ ନଥିବାରୁ ସେ ବର୍ତ୍ତି ଯାଇଛନ୍ତି। ବୋମା ମାଡ଼ରେ ତାଙ୍କ ଗାଡ଼ି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମା ମାଡ଼ ଘଟଣାର ଛାନଭିନ କରୁଛି। ହେଲେ ବୋମା ମାଡ଼ର କାରଣ ସ୍ପଷ୍ଟ ହୋଇନାହିଁ।

୧୯୯୫ରେ ନବୀନ ନନ୍ଦ ଜନତା ଦଳ ଟିକେଟରୁ ପ୍ରାର୍ଥୀ ହୋଇଥିଲେ। ୨୦୦୦ରେ ବିଜେଡି ଟିକେଟରୁ ଗଁଦିଆ ନିର୍ବାଚନମଣ୍ଡଳୀରେ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ବିଜେଡି ଟିକେଟ ନପାଇବାରୁ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ୨୦୦୯ ନିର୍ବାଚନ ପୂର୍ବରୁ ସେ ଏନ୍‌ସିପିରେ ଯୋଗ ଦେଇଥିଲେ। ଢେଙ୍କାନାଳରୁ ସେ ଏନ୍‌ସିପି ଟିକେଟରେ ଲଢ଼ି ବିଧାୟକ ହୋଇଥିଲେ।

ପରେ ସେ ବିଜେଡିରେ ଯୋଗ ଦେଇଥିଲେ। ହେଲେ ୨୦୧୪ରେ ତାଙ୍କୁ ବିଜେଡି ଟିକେଟ ମିଳି ନଥିଲା।

Comment