ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଣବ ମୁଖାର୍ଜୀଙ୍କୁ ନେଇ ଜାତୀୟ ରାଜନୀତି ସରଗରମ୍ ହୋଇଯାଇଛି। ସେ ୨୦୧୯ରେ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଯୋଗଦେବାର ତିନି ଦିନ ପରେ ବି ରାଜନୀତି ଥମୁନି। ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ପ୍ରଣବ କାହିଁକି ଯୋଗଦେଲେ ବୋଲି ରାଜନୀତି ପଣ୍ଡିତମାନେ କାରଣ ଖୋଜୁଥିବା ବେଳେ ଶିବସେନାର ମୁଖପତ୍ର ସାମ୍ନାରେ କିଛି ଭିନ୍ନ କଥା କୁହାଯାଇଛି। ଏହାକୁ ନେଇ ଏବେ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ସାମ୍ନାର ସମ୍ପାଦକୀୟରେ ଲେଖାଯାଇଛି ଯେ ସଂଘ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗ ଦେଇଥିଲେ। ଏହା ପଛରେ ରହିଛି ରାଜନୀତି। ପ୍ରଣବଙ୍କୁ ନେଇ ସଂଘ ନେତୃତ୍ୱ ଦିଲ୍ଲୀ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ଏଜେଣ୍ଡା ପ୍ରସ୍ତୁତ କରାଯାଉଛି।

ଶିବସେନା ଆକଳନ କରିଛି ଯେ ୨୦୧୯ରେ ଯଦି ବିଜେପିକୁ ସଂଖ୍ୟା ଗରିଷ୍ଠତା ନମିଳେ ତାହାଲେ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରି ବିଜେପି କାର୍ଡ ଖେଳିବ। ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବା ପାଇଁ ଯଦି ସହଯୋଗୀ ଦଳମାନେ ରାଜି ନହୁଅନ୍ତି ତାହାଲେ ଏହି ସମୟରେ ପ୍ରଣବଙ୍କୁ ଆଗକୁ ଆଣିବା ପାଇଁ ବିଜେପି ଓ ଆର୍‌ଏସ୍‌ଏସ୍‌ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।

ଶବିସେନା ନେତା ସଞ୍ଜୟ ରାଓତ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ୨୦୧୯ ନିର୍ବାଚନ ପାଇଁ ସଂଘ ଏବେଠାରୁ ଖସଡ଼ା ପ୍ରସ୍ତୁତ କରୁଛି। ବିଜେପି ଯଦି ୧୧୦ରୁ କମ୍ ଆସନ ପାଇବା ଭଳି ସ୍ଥିତି ଉପୁଜେ ତାହାଲେ ପ୍ରଣବ ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ସଂଘ।

ସଞ୍ଜୟ ରାଓତଙ୍କ ଏହି ବୟାନକୁ ଖଣ୍ଡନ କରିଛନ୍ତି ପ୍ରଣବଙ୍କ ଝିଅ ଶର୍ମିଷ୍ଠା।

ଟୁଇଟ କରି ଶର୍ମିଷ୍ଠା କହିଛନ୍ତି, “ମୋ ବାପା ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସକ୍ରିୟ ରାଜନୀତିକୁ ଆସିବାକୁ ଚାହୁଁ ନାହାନ୍ତି।”

ନିକଟରେ ନାଗପୁରଠାରେ ଆର୍‌ଏସ୍‌ଏସ୍‌ର ତୃତୀୟ ଶିକ୍ଷା ବର୍ଗ ସଭାରେ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଣବ ମୁଖାର୍ଜୀ। ଏହି ସଭାମଞ୍ଚକୁ ଯିବା ପୂର୍ବରୁ ପ୍ରଣବଙ୍କୁ ନେଇ ରାଜନୀତି ସରଗରମ୍ ହୋଇଥିଲା। ସଂଘ ସଭାମଞ୍ଚରେ ପ୍ରଣବ କ’ଣ କହିବେ ବୋଲି ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ପ୍ରଣବ ରାଷ୍ଟ୍ର, ରାଷ୍ଟ୍ରବାଦ ଏବଂ ଦେଶଭକ୍ତି ଉପରେ ଉଦବୋଧନ ଦେଇ ଫେରିବା ପରେ ମଧ୍ୟ ରାଜନୀତି ଥମୁନି।

Comment