ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ବୈଜୟନ୍ତ ଯେଉଁସବୁ କଥା କହିଛନ୍ତି ତାହା କିଛି ଏହିଭଳି:-

୧. ସେ ବ୍ୟକ୍ତିଗତ ଭାବେ କାହାକୁ ମୁକାବିଲା କରିବା ପାଇଁ ଚାହୁଁ ନାହାନ୍ତି କି କାହାର ଭୋଟ ବ୍ୟାଙ୍କକୁ ଭାଙ୍ଗିବାକୁ ଚାହୁଁନାହାନ୍ତି।

୨. ବିଗତ ୧୮ ବର୍ଷ ଧରି ସେ ଯେଉଁ ନୀତି ଓ କାର୍ଯ୍ୟକ୍ରମକୁ ନେଇ ରାଜନୀତି କରିଆସିଛନ୍ତି ତାହା ହାସଲ କରିବା ପାଇଁ ସେ ଲଢ଼ିବେ।

୩. ବିଗତ ତିନି ଚାରି ବର୍ଷ ଭିତରେ ହିଁ ବିଜେଡି ମୁଖିଆଙ୍କ ସହ ସମ୍ପର୍କ ବିଗିଡିଛି। ମୋ ବାପା ଯିଏ ବିଜୁ ପଟ୍ଟନାୟକଙ୍କ ଅତି ପାଖ ଲୋକ ଥିଲେ ଓ ଯିଏ ରାଜନୀତିର ଧାର ଧରୁନଥିଲେ ତାଙ୍କ ଶେଷ ଦର୍ଶନ ପାଇଁ ବିଜେଡିରୁ କେହି ନ ଆସିବା ପରେ ଚିନ୍ତା କଲି ନା ଆଉ ନୁହେଁ, ବହୁତ ହେଇଗଲା।

୪. ଗତ ଚାରି ବର୍ଷ ଭିତରେ ଏକ ନୂଆ କୋଟେରୀ ବା ଗୋଷ୍ଠୀ ବିଜେଡିକୁ ଓ ଦଳର ସଭାପତିଙ୍କୁ କବ୍‌ଜା କରିନେଇଛନ୍ତି। ଜଣେ ଆଇଏଏସ ଅଫିସର ଦଳୀୟ ଟିକେଟ ବାଣ୍ଟିବାଠାରୁ ଆରମ୍ଭ କରି ରାଜନୈତିକ ଚାନ୍ଦା ଆଦାୟ କରୁଛନ୍ତି। କେବଳ ମୁଁ ନୁହେଁ ଦଳର ଅନେକ ବରିଷ୍ଠ ନେତା ମଧ୍ୟ ସମାନ ଅଭିଯୋଗ କରିଛନ୍ତି।

୫. ବିଗତ ତିନି ବର୍ଷ ଭିତରେ କେହି ଜଣେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକାକୀ ଭେଟିବାର ସୁଯୋଗ ପାଇନାହାନ୍ତି। ଏହି ଅଫିସର ଜଣକ ଛାଇ ଭଳି ନବୀନଙ୍କ ପାଖେ ପାଖେ ସବୁବେଳେ ରହୁଛନ୍ତି।

୬. ଏହି ଅଫିସରଙ୍କ ହସ୍ତକ୍ଷେପ କଥା ନବୀନଙ୍କ କାନକୁ ଅଣାଯାଇଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରି ଆସିଛନ୍ତି। କିନ୍ତୁ ବାସ୍ତବରେ ଏହା ହିଁ ଚାଲିଛି ଓ ଏହି ସମ୍ପର୍କକୁ ହଟାଇବାକୁ ପଡ଼ିବ।

୭. ମୋର ସବୁ ଦଳରେ ଭଲ ବନ୍ଧୁ ଅଛନ୍ତି। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ ମୁଁ କାମ କରୁନାହିଁ। ପାର୍ଲାମେଣ୍ଟାରୀ ବ୍ୟବସ୍ଥାରେ ସୁଧାର ଆଣିବା ସହ ସରକାରୀ କଳ କିଭଳି ଦେଶର ବିକାଶ କାର୍ଯ୍ୟରେ ନିୟୋଜିତ ହେବ ତାହା ମୋର ଲକ୍ଷ୍ୟ।

୮. ମୁଁ ରାଜନୀତିକୁ ଆସିବା ପରେ ପାରିବାରିକ ବ୍ୟବସାୟଠାରୁ ଦୂରେଇ ରହିଛି। ଗତ ୧୮ ବର୍ଷ ଧରି ରାଜନୀତିରେ ରହିଥିଲେ ହେଁ କେହି କହିପାରିବେ ନାହିଁ ମୁଁ କାହାଠୁ କିଛି ସୁବିଧା ନେଇଛି। ପରିବାରର ବ୍ୟବସାୟ ମୋ ରାଜନୀତିରେ ପ୍ରତିବନ୍ଧକ ହେବାକୁ ମୁଁ ଦେଇନାହିଁ।

୯. କଂଗ୍ରେସ କି ବିଜେପି କେଉଁଥିରେ ଯୋଗ ଦେବି ସେହି ବାଟଟି ଖୋଲା ଅଛି। ମୁଁ ଦେଖେ ମୋ ପାଇଁ କଣ କଣ ଅପ୍ସନ ରହିଛି। ସବୁ ସୁଯୋଗକୁ ମୋତେ ବିଚାର କରି ଦେଖିବାକୁ ପଡ଼ିବ।

୧୦. ନିଜେ ଏକ ଦଳ ଗଠନର ବିକଳ୍ପ ମଧ୍ୟ ରହିଛି। ମୁଁ ଚାହୁଁଛି ଓଡ଼ିଶାରେ ଉତ୍ତମ ଶାସନ ବ୍ୟବସ୍ଥା ଆରମ୍ଭ ହେଉ। ଓଡ଼ିଶାରେ ଗୋଟିଏ ଭଲ ସରକାରର ଆବଶ୍ୟକତା ରହିଛି।

Comment