ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା କଂଗ୍ରେସ ନୂଆ ସଭାପତି ପାଇଥିଲେ ମଧ୍ୟ ଦଳରେ କନ୍ଦଳ ଦୂର ହୋଇନି। ଏଣୁ କଂଗ୍ରେସ ପାଇଁ ୨୦୧୯ ରାସ୍ତା ସହଜ ହୋଇ ନପାରେ ବୋଲି ଚର୍ଚ୍ଚା ହେଉଛି।

ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ ହେବା ପରେ ବି ରାଜ୍ୟ କଂଗ୍ରେସରେ କିଛି ବଦଳିବା ଭଳି ଜଣାପଡ଼ୁନାହିଁ। ଦଳର ସଭାପତି ରାହୁଲ ଗାନ୍ଧି ଜିଲ୍ଲା କଂଗ୍ରେସ ସଭାପତି ତାଲିକାକୁ ଅନୁମୋଦନ କରିବାର ୨୪ ଘଣ୍ଟା ନପୂରୁଣୁ ଏପ୍ରସଙ୍ଗ ନେଇ ନେତାମାନଙ୍କ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଯାଇଛି।

ପ୍ରଥମେ ଏହା ଆରମ୍ଭ ହେଲା ଦଳର କୋରାପୁଟ ବିଧାୟକ କୃଷ୍ଣ ସାଗରିଆଙ୍କ ପାଖରୁ। ତାଙ୍କ ପ୍ରଶ୍ନ ହେଉଛି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କାହିଁକି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଗଲା?

ସଗରିଆଙ୍କ ଅଭିଯୋଗ ହେଉଛି ଗତ ନିର୍ବାଚନରେ ଏବଂ ନିର୍ବାଚନ ପରେ ମଧ୍ୟ ସେ ଓ ତାଙ୍କ କର୍ମୀମାନେ ତାରା କିମ୍ବା ମିନାକ୍ଷୀଙ୍କଠାରୁ ଦଳୀୟ କାର୍ଯ୍ୟରେ କୌଣସି ପ୍ରକାର ସହଯୋଗ ପାଇନାହାନ୍ତି। କେବଳ ଦଳର ନିଷ୍ଠାପର କର୍ମୀଙ୍କ ପାଇଁ ଆମେ ନିର୍ବାଚନ ଜିତି ପାରିଲୁ ବୋଲି ସାଗରିଆ କହିଛନ୍ତି।

ସଗରିଆଙ୍କ ଆଉ ଏକ ଅଭିଯୋଗ ଯେ ପଞ୍ଚାୟତ ନିର୍ବାଚନ ବେଳେ ମଧ୍ୟ ମିନାକ୍ଷୀ କୌଣସି ପ୍ରକାର ସାହାଯ୍ୟ କରିନଥିଲେ ଓ ଅଧିକାଂଶ ସମୟରେ ତାଙ୍କୁ କୋରାପୁଟ ଟାଉନରେ ହିଁ ଦେଖିବାକୁ ମିଳିଥିଲା।

ସଗରିଆଙ୍କ ଅଭିଯୋଗ ହେଉଛି ଯେ ସେ ଜଣେ ଦଳିତ ହୋଇଥିବାରୁ ତାରା ତାଙ୍କ ବିରୋଧରେ ଜାତିଗତ ଟିପ୍ପଣୀ କରିଛନ୍ତି। ଏନେଇ ସେ ହାଇକମାଣ୍ଡ ଓ ଓଡ଼ିଶା ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂହଙ୍କ ନିକଟରେ ଆପତ୍ତି ମଧ୍ୟ କରିଥିଲେ। ଯଦି ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାନଯାଏ ଦଳରୁ ଇସ୍ତଫା ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ ସଗରିଆ।ନିକଟରେ ସଗରିଆ ନିକଟରେ ଧର୍ମ ପରିବର୍ତ୍ତନ କରି ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି।

କୋରାପୁଟ ଭଳି ଖୋର୍ଦ୍ଧାରେ ମଧ୍ୟ ଦଳୀୟ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଡିସିସି ତାଲିକା ପ୍ରକାଶ ପାଇବା ପରେ ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ ନେତୃତ୍ୱକୁ ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ଫର୍ମୁଲାକୁ ମାନିବେ ନାହିଁ ଓ ୨୦୧୯ରେ ନିଶ୍ଚିତରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ଏହି ଦୁଇ ନେତାଙ୍କ ଆଭିମୁଖ୍ୟକୁ ଦେଖିଲେ ଜଣାପଡ଼ୁଛି ଯେ କଂଗ୍ରେସ ସଭାପତି ଓ ନୂଆ ନେତୃତ୍ୱ ଦଳକୁ ସଜାଡ଼ିବା ପାଇଁ ଓ କର୍ମୀଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ସକାଶେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା କାମ ଦେଉନାହିଁ। ଦଳରେ ଗୋଷ୍ଠୀ ବିବାଦ ଆଗରୁ ଯେମିତି ଥିଲା ସେମିତି ରହିଛି।

ସେହିଭଳି ଆଉ ଏକ ବିବାଦ ସୃଷ୍ଟି ହୋଇଛି ବିଶାଳ ଦାସଙ୍କୁ ନେଇ। ବିଶାଳ ହେଉଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଓ ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ପୁଅ। ବିଶାଳଙ୍କୁ ଡିସିସି ସଭାପତି କରିବା ପରେ ଏନେଇ ଜିଲ୍ଲାରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। କଂଗ୍ରେସରେ ବଂଶ ରାଜନୀତିକୁ ହଟାଇବା ପାଇଁ ଯେତେ ଉଦ୍ୟମ କରାଯାଉଛି ପଛ ଦୁଆର ବାଟେ ନେତାମାନେ ନିଜ ଭାଇ କୁଟୁମ୍ବଙ୍କୁ ସେତେ ଭର୍ତ୍ତି କରିବାକୁ ଚାହୁଁଛନ୍ତି।

ଉଦାହରଣ ସ୍ୱରୂପ ପସିସିର କୋଷାଧ୍ୟକ୍ଷ ପଦ। ଏହି ପଦ ପାଇଁ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ନାମ ଚର୍ଚ୍ଚାରେ ରହିଛି। ରଞ୍ଜୀବ ହେଉଛନ୍ତି ଆଉ ଜଣେ କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ସାନଭାଇ। ଏଣୁ ଫ୍ୟାମିଲି ରାଜନୀତି କଂଗ୍ରେସ ଦଳ ଭିତରେ ଏବେ ବି ବଳବତ୍ତର ରହିଛି।

ନିଜର ଦକ୍ଷତା ଓ ଉପସ୍ଥିତ ବୁଦ୍ଧି ପାଇଁ ଜଣାଶୁଣା ନିରଞ୍ଜନ ମଧ୍ୟ ତାରା-ସଗରିଆ ବିବାଦରେ କିଛି କରିପାରୁ ନାହାନ୍ତି। ଶୁଣାଯାଉଛି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପରାମର୍ଶ କ୍ରମେ ନିରଞ୍ଜନ କୋରାପୁଟ ବିଧାୟକଙ୍କ ଅଭିଯୋଗର ସତ୍ୟତା ପରୀକ୍ଷା ପାଇଁ ଏକ ତିନି ଜଣିଆ କମିଟି ନିଯୁକ୍ତ କରିବେ ଏବଂ କମିଟିର ରିପୋର୍ଟ ଦଳର ସଭାପତି ରାହୁଲ ଗାନ୍ଧିଙ୍କୁ ଦିଆଯିବ।

ଏହିଭଳି ପରିସ୍ଥିତିରେ ଦଳ ଭିତରେ ଗୋଷ୍ଠୀ ବିବାଦ ଲାଗିରହିଥିବା ବେଳେ ନିରଞ୍ଜନ କେମିତି ଏସବୁର ସମାଧାନ କରିବା ପାଇଁ ଯାଉଛନ୍ତି ତାହା ଦେଖିବାର କଥା।

ଗୋଟିଏ କଥା ନିଶ୍ଚିତ ଯେ ସମସ୍ତଙ୍କୁ ଏକାଠି କରି ଆଗକୁ ବଢ଼ିବାରେ ବହୁ ପ୍ରତିବନ୍ଧକ ରହିଛି। ୨୦୧୯ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଚୟନ ବେଳେ ନିରଞ୍ଜନ ନାକେଦମ ହେବେ ତାହା ବର୍ତ୍ତମାନ ଠାରୁ ଜଳଜଳ ଜଣାପଡ଼ିଲାଣି।

LEAVE A REPLY

Please enter your comment!
Please enter your name here