ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ମତେ ଜଣେ ଦେହରକ୍ଷୀ ବା ପିଏସଓ ମିଳିଛନ୍ତି। ତାଙ୍କ ପାଖରେ ମଧ୍ୟ ଗୋଟିଏ ବନ୍ଧୁକ ଅଛି। ମୋ’ ମନଟା ବେଳେ ବେଳେ କହୁଛି ଇଏ ଗୋପାଳ ଦାସ ହୋଇଯିବନି ତ? ମତେ ଡର ବି ଲାଗୁଛି’’, ବରିଷ୍ଠ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଗଣମାଧ୍ୟମକୁ ଏହା କହିଛନ୍ତି  ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ।

ସୌମ୍ୟ ରଞ୍ଜନ ପଟ୍ଟନାୟକ ହେଉଛନ୍ତି ବିଜେଡିର ବରିଷ୍ଠ ନେତା। ସେ ଏବେ ଖଣ୍ଡପଡ଼ାର ବିଧାୟକ ଏବଂ ସମ୍ବାଦ ଖବରକାଗଜର ସମ୍ପାଦକ। ନିକଟରେ ଝାରସୁଗୁଡ଼ାର ଟାଣୁଆ ନେତା ତଥା ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗରରେ ପୋଲିସ ଏଏସଆଇ ଗୋପାଳ ଦାସ ହତ୍ୟା କରିବା ଘଟଣାରେ ସୌମ୍ୟ ମୁହଁ ଖୋଲିଛନ୍ତି। ଗଣମାଧ୍ୟମରେ ମନ୍ତବ୍ୟ ଦେଇ ସୌମ୍ୟ ନବ ଦାସ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବାକୁ ଦାବି କରିଛନ୍ତି।

ସୌମ୍ୟରଞ୍ଜନ କହିଛନ୍ତି ଯେ, ‘‘ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ପୋଲିସ ଏଏସଆଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଗୂଳିକରି ହତ୍ୟା କରିବା ଘଟଣାକୁ ମୁଁ ସହଜରେ ଗ୍ରହଣ କରିପାରୁ ନାହିଁ। ଏହା ଛୋଟିଆ ଘଟଣା ନୁହେଁ। ତେଣୁ ପୋଲିସ ଅଧିକାରୀମାନେ ଏହି ଘଟଣାର ସଠିକ୍‌ ତଦନ୍ତ କଲେ ହିଁ ଏହା ପଛରେ ଥିବା ରହସ୍ୟର ଉନ୍ମୋଚନ ହୋଇପାରିବ।’’

‘‘ପୋଲିସ ପ୍ରଶାସନ ଉପରେ ଆମର ଭରସା ଅଛି। ତେଣୁ ନବ ଦାସଙ୍କ ହତ୍ୟାକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତା’ ଉପରେ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିବ ବୋଲି ଆଶା ରହିଛି’’, କହିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ।

୨୦୧୯ ନିର୍ବାଚନରେ ସୌମ୍ୟରଞ୍ଜନ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୌମ୍ୟ। ସେ ବିଗତ ଦିନରେ ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ସରକାରଙ୍କୁ ଘେରିଥିବାରୁ ନଜିର ରହିଛି। ବିଧାନସଭା ଭିତରେ ଏବଂ ବାହାରେ ସୌମ୍ୟ ସରକାରଙ୍କୁ ତୀର୍ଯ୍ୟକ ସମାଲୋଚନା କରି ଚର୍ଚ୍ଚାରେ ରହିଥିଲେ। ଏବେ ନବ ଦାସଙ୍କ ଘଟଣାରେ ସୌମ୍ୟ ମନ୍ତବ୍ୟ ଦେଇ ରାଜନୀତି ବଜାରକୁ ସରଗରମ କରିଛନ୍ତି। ସୌମ୍ୟଙ୍କର ଏହି ରୋଚକ ମନ୍ତବ୍ୟ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

#SoumyaRanjanPatnaik #Odisha #NabaDas #NabaDasMurder #GopalDas

Comment