ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ବିଜେଡି ଗୋଟିଏ ପାଦ ଆଗୁଆ ଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ।

ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ମତଦାନ ପାଇଁ ମେ’ ୧୦ ତାରିଖ ଧାର୍ଯ୍ୟ ହୋଇଛି। ତେବେ ଏହି ଉପନିର୍ବାଚନ ପାଇଁ ବିରୋଧୀ ବିଜେପି ଏବଂ କଂଗ୍ରେସ ଭିତରେ ଯେମିତି ଉତ୍ସାହ ରହିବା କଥା ତାହା ଦେଖିବାକୁ ମିଳୁନି। କେବଳ ବିଜେଡି ଦୀପାଳି ଦାସଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବିଜେପି ଓ କଂଗ୍ରେସ ଦିଲ୍ଲୀ ଭରସାରେ ରହିଛନ୍ତି। ଏହି ଦୁଇ ଦଳରୁ କିଏ ପ୍ରାର୍ଥୀ ହେବ ସେହି ତାଲିକା ଏବେ ଦିଲ୍ଲୀ ଯାଇଥିବା କୁହାଯାଉଛି।

କଂଗ୍ରସ ୩ ଜଣିଆ ତାଲିକା ପଠାଇଛି ଏଆଇସିସିକୁ। ସେମାନଙ୍କ ଭିତରୁ କିଏ ଝାରସୁଗୁଡ଼ା ନିର୍ବାଚନ ମଇଦାନରେ ପ୍ରାର୍ଥୀ ହେବେ ତାହା ଏଆଇସିସି ଉପରେ ନିର୍ଭର କରୁଛି। ବିଜେପିରେ ଟଙ୍କଧର ତ୍ରିପାଠୀଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ଦଳ ତରଫରୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏପଟେ ବିଜେଡି କିନ୍ତୁ ଗଡ଼ ଜଗିବା ପାଇଁ ବରିଷ୍ଠ ନେତାମାନଙ୍କୁ ଝାରସୁଗୁଡ଼ା ପଠାଇ ସାରିଲାଣି। ଏପଟେ ବିଜେପି ଓ କଂଗ୍ରେସ ଦିଲ୍ଲୀରୁ ଆସିବାକୁ ଥିବା ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି।

ଝାରସୁଗୁଡ଼ାରେ ବିଜେଡି ଓ୍ଵାର୍ଡ ସ୍ତରରୁ ନିର୍ବାଚନ ପରିଚାଳନା କରିବ। ଏଥିପାଇଁ ଏକାଧିକ ବରିଷ୍ଠ ନେତାଙ୍କ ମଧ୍ୟରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ବ୍ଲକ ଓ ମ୍ୟୁନିସିପାଲିଟିକୁ ଭାଗ କରି ଦାୟିତ୍ଵ ଦିଆଯାଇଛି। କିରମିରା ବ୍ଲକ ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁଙ୍କୁ ଦାୟିତ୍ଵ ଦେଇଛି ବିଜେଡି। କୋଲାବିରା ବ୍ଲକ ଦାୟିତ୍ଵରେ ଅଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ସରୋଜ ମେହେର।

ସେହିପରି ଝାରସୁଗୁଡ଼ା ବ୍ଲକ ଦାୟିତ୍ଵ ଦିଆଯାଇଛି ବରିଷ୍ଠ ବିଧାୟକ ପଦ୍ମନାଭ ବେହେରା ଓ ଡକ୍ଟର ଅରୁଣ ସାହୁଙ୍କୁ। ଲଇକେରା ବ୍ଲକ ଦାୟିତ୍ଵରେ ଅଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ବିଧାୟକ ଦିବ୍ୟଶଙ୍କର ମିଶ୍ର। ଝାରସୁଗୁଡ଼ା ପୌରପାଳିକା ଦାୟିତ୍ଵରେ ଅଛନ୍ତି ବିଧାୟକ ପ୍ରତାପ ଜେନା, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ ଓ ବରିଷ୍ଠ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓ।

ବିଜେଡିର ଏହି ହେଭିଓ୍ଵଟମାନେ ଗଡ଼ ଜଗିବେ। ଯେମିତି ଆହୁରି ଅଧିକ ଭୋଟରେ ବିଜେଡି ଜିତିବ ସେଥିପାଇଁ ସ୍ଥାନୀୟ ମତାମତ ଓ ପରିସ୍ଥିତି ଆଧାରିତ ରଣନୀତିକୁ କାର୍ଯ୍ୟକାରୀ କରିବେ। ବୁଥ ଓ୍ଵାରୀ ଭୋଟକୁ ଜଗିବେ ବିଜେଡିର ଏହି ନେତା। ଏମାନେ ସ୍ଥାନୀୟ ନେତା ଓ କର୍ମକର୍ତ୍ତାଙ୍କ ସହ ସମନ୍ଵୟ ରଖି ନିର୍ବାଚନ ପରିଚାଳନା କରିବେ। ଏହା ସହିତ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏଠାରେ ନିର୍ବାଚନ ପରିଚାଳନା କରିବା ପାଇଁ ଡେରା ପକାଇଛନ୍ତି।

୨୦୧୯ ବିଧାନସଭା ନିର୍ବାଚନ ପରେ ହୋଇଥିବା ୭ଟି ଉପନିର୍ବାଚନରେ ବିଜେଡି ୬ଟି ଉପ ନିର୍ବାଚନ ଜିତିଛି। ଏସହିତ ଅତାବିରା ଓ ହିନ୍ଦୋଳ ଏନ୍‌ଏସି ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ କରିଛି। ବାରମ୍ବାର ଉପନିର୍ବାଚନରେ ବିଜୟ ପାଇଁ ବିଜେଡିର ଆତ୍ମବିଶ୍ଵାସ ଶୀର୍ଷରେ ରହିଛି। ଏହା ସହିତ ନବ ଦାସଙ୍କ ବିୟୋଗ ପରେ ତାଙ୍କ ପରିବାର ବା ତାଙ୍କ ଝିଅଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଅନୁକମ୍ପା ପାଇବା ପାଇଁ ବିଜେଡି ଦୃଢ଼ ଆଶାବାଦୀ ରହିଛି।

ଏହା ଛଡ଼ା ଦୀପାଳି ମଧ୍ୟ ବାପାଙ୍କ ବିୟୋଗ ପୂର୍ବରୁ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଜକୁ ବିଭିନ୍ନ ସାମାଜିକ ସଂଗଠନ ସହ ଯୋଡ଼ିରଖିଛନ୍ତି। ତେଣୁ ଏ ନିର୍ବାଚନ ବିଜେଡି ପାଇଁ ବେଶୀ ଆହ୍ଵାନମୟ ନୁହେଁ ବୋଲି  ରାଜନୈତିକ ସମୀକ୍ଷକଙ୍କ ମତ। କିନ୍ତୁ ପଦ୍ମପୁର, ବରପାଲିର ବ୍ୟବଧାନଠାରୁ ଏଠାରେ କେମିତି ଆହୁରି ଅଧିକ ବ୍ୟବଧାନରେ ବିଜୟ ମିଳିବ ସେଥିପାଇଁ ବିଜେଡି କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନି।

୨୦୧୪ ନିର୍ବାଚନରେ ବିଜେଡି ହାତରେ  ନଥିଲା ଝାରସୁଗୁଡ଼ା ଜିଲ୍ଲାର କୌଣସି ନିର୍ବାଚନମଣ୍ଡଳୀ। ଝାରସୁଗୁଡ଼ା ଥିଲା କଂଗ୍ରେସ ହାତରେ ଏବଂ ବ୍ରଜରାଜନଗର ବିଜେପି ଖାତାକୁ ଯାଇଥିଲା। କଂଗ୍ରେସ ବିଧାୟକ ନବ ଦାସ ବିଜେଡିକୁ ଯିବା ପରେ କଂଗ୍ରେସର ସ୍ଥିତି ଖରାପ ହୋଇଯାଇଥିଲା। ଅନ୍ୟପଟେ ବ୍ରଜରାଜନଗର ନିଜ ହାତରେ ରଖିବାକୁ ବିଫଳ ହୋଇଥିଲା ବିଜେପି। ଉଭୟ ଆସନରେ ବିଜେଡି ଜିତିଥିଲା। ଦୁର୍ଭାଗ୍ୟବଶତଃ ଉଭୟ ନିର୍ବାଚନମଣ୍ଡଳୀର ବିଧାୟକଙ୍କ ଦେହାନ୍ତ ହେବାରୁ ସେଠାରେ ଉପ ନିର୍ବାଚନ ହେବାର ସ୍ଥିତି ସୃଷ୍ଟି ହୋଇଛି। ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଜିତିଛନ୍ତି।

ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ବରିଷ୍ଠ ନେତାଙ୍କ ଅନୁପସ୍ଥିତିରେ ନିର୍ବାଚନ ଲଢ଼ିବ ବିଜେଡି। ଏଥିପାଇଁ ରାଜ୍ୟସ୍ତରୀୟ ନେତମାନେ ହିଁ ବିଜେଡିର ନିର୍ବାଚନ ପରିଚାଳନା କରିବେ। ସାଧାରଣତଃ ନବ ଦାସ ଓ କିଶୋର ମହାନ୍ତି ଝାରସୁଗୁଡ଼ା ନିର୍ବାଚନ ସମ୍ଭାଳିବା ସହ ପଡ଼ୋଶୀ ଜିଲ୍ଲାର ବିଧାନସଭା ନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ। ନବ ଦାସଙ୍କ ବିୟୋଗ ପରେ ଦିପାଳୀଙ୍କ ସପକ୍ଷରେ ଅନୁକମ୍ପା ପ୍ରବାହିତ ହେଉଥିଲେ ମଧ୍ୟ ନବ ଓ କିଶୋରଙ୍କ ଅବର୍ତ୍ତମାନକୁ ଅନୁଭବ କରିବ ବିଜେଡି।

ବର୍ତ୍ତମାନ ନବ ଏବଂ କିଶୋର କେହି ନାହାନ୍ତି। ତେଣୁ ଏ ନିର୍ବାଚନର ପୂରା ଦାୟିତ୍ଵ ରାଜ୍ୟ ବିଜେଡି ନିଜ କାନ୍ଧ ଉପରକୁ ନେଇଛି। ଏ ପରିସ୍ଥିତିରେ କଂଗ୍ରେସ ଓ ବିଜେପି ନିର୍ବାଚନକୁ ନେଇ ଯେତିକି ଗମ୍ଭୀର ହେବା କଥା ସେତିକି ଦେଖିବାକୁ ମିଳୁନି ବୋଲି ଚର୍ଚ୍ଚା ହେଉଛି। ରାଜନୀତି ସମୀକ୍ଷକଙ୍କ ମତରେ ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିବା ଯେତିକି ବିଳମ୍ବିତ ହେବ; ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରାର୍ଥୀମାନଙ୍କ ପାଇଁ ସେତିକି ଅସୁବିଧା ହେବ।

ଝାରସୁଗୁଡ଼ା ପାଇଁ ଉପ ନିର୍ବାଚନ ହେଉଛି। ଗୋଟିଏ ପଟେ ବିଜେଡିର ପ୍ରାର୍ଥୀଙ୍କ ଦୀପାଳିଙ୍କ ପାଖରେ ବାପାଙ୍କ ଲିଗାସି ଅଛି, ନିଜସ୍ଵ ସଂଗଠନ ଅଛି, ବିଜେଡିର ସାଂଗଠନିକ ଶକ୍ତି ଅଛି। ଏମିତି ସ୍ଥିତିରେ କଂଗ୍ରେସ ଓ ବିଜେପି ପକ୍ଷରୁ ଯେତିକି ପଦକ୍ଷେପ ନିଆଯିବା କଥା ସେତିକି ନିଆଯାଉନି। କଂଗ୍ରେସ ବିଜେପିର କଣ ଯୋଜନା ଅଛି ତାହା ଖୁବ୍‌ ଶୀଘ୍ର  ସ୍ପଷ୍ଟ ହେବାର ସମ୍ଭାବନା ରହିଛି।

Tags: #JharsugudaByElection #OdishaElection #BJD #BJP #Congress #NabaDas

Comment