ଓଡ଼ିଶାଲାଇଭ୍ ବ୍ୟୁରୋ

- ୨୩ ପରେ ମୌସୁମୀ ହେବ ସକ୍ରିୟ
- ୨୫ରୁ ହେବ ବର୍ଷା
- ୨୫ ଯାଏଁ ତାତିରୁ ନିସ୍ତାର ନାହିଁ
- ଭୁବନେଶ୍ୱର ସବୁଠୁ ଉତ୍ତପ୍ତ
ଆକାଶରୁ ନିଆଁ ବର୍ଷୁଛି। ସକାଳ ୯ଟା ବାଜିଲେ ଘରୁ ବାହାରିବା ସମ୍ଭବ ହେଉନି। ଗତ ୫ ଦିନ ହେଲା ତାତିରୁ ତ୍ରାହି ମିଳୁନି। ବର୍ଷାର ଦେଖା ନଥିବାରୁ ଲୋକେ ଅଣନିଶ୍ୱାସୀ ହୋଇଗଲେଣି। ୪୦ ଡିଗ୍ରୀ ତଳକୁ ତାପମାତ୍ରା ଖସୁନି।
ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୨.୩ ଡିଗ୍ରୀ ରେକର୍ଡ କରାଯାଇଛି। ୪୨ ଡିଗ୍ରୀ ସେଲସିୟସରେ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି।
ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ର ତାପମାତ୍ରା ୪୦.୫ ଡିଗ୍ରୀ ଥିବା ବେଳେ ଭୁ୍ବନେଶ୍ୱରର ତାପମାତ୍ରା ଏହାକୁ ଟପି ଯାଇଛି।
ବାରିପଦାର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ତାଳଚେର ୪୧.୭ ଏବଂ ଅନଗୁଳ ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି। କଟକରେ ତାପମାତ୍ରା ୪୦.୧ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ତାପମାତ୍ରା।
୨୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଜୁନ୍ ୨୩ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାସହ ୨୫ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଆଜି ଅପରାହ୍ଣରେ ଭୁବନେଶ୍ୱର ସମେତ କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଫଳରେ ଲୋକେ ଆଶ୍ୱସ୍ତ ଅନୁଭବ କରିଛନ୍ତି।















