ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କିଛି ଦିନ ଧରି ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଖରା ଓ ଗୁଳୁଗୁଳି ଯୋଗୁଁ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ସୋମବାର ଦିନ ୪୬.୧ ଡିଗ୍ରୀ ସହ ସମ୍ବଲପୁର ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଆଉ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ପାଗ କୋହଲା ରହି ଗରମରୁ ସାମାନ୍ୟ ଆଶ୍ଵସ୍ତି ମିଳିବ। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ସୋମବାର ଦିନ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିଥିଲା। ସମ୍ବଲପୁରର ତାପମାତ୍ରା ୨୫ ବର୍ଷରେ ସର୍ବଧିକ ରହିଥିଲା। ସେହିପରି ଓଡ଼ିଶାର ୧୦ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା। ସମ୍ବଲପୁର ପରେ ହୀରାକୁଦରେ ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରଯାଇଥିଲା।

ସେହିପରି ସୋମବାର ଓଡ଼ିଶାର ଅନ୍ୟ ସହରଗୁଡ଼ିକ ମଧ୍ୟରେ ସୋନପୁରରେ ୪୫ ଡିଗ୍ରୀ, ବରଗଡ଼ରେ ୪୪.୯ ଡିଗ୍ରୀ, ଭୁବନେଶ୍ୱରରେ ୪୪.୩ ଡିଗ୍ରୀ, ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ଼, ନୟାଗଡ଼ ଓ ତାଳଚେରରେ  ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ ଉପକୂଳ ଓଡ଼ିଶାରେ ଏବେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ସାମାନ୍ୟ କମିଛି। ସୋମବାର ସନ୍ଧ୍ୟାରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସହ ଝଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ଆଉ ଦୁଇଦିନ ଯାଏଁ ଉପକୂଳ ଜିଲ୍ଲାଗୁଡ଼ିକରେ ଗରମ କମ ରହିବ।

କାଳବୈଶାଖୀଜନିତ ଝଡ଼ ବର୍ଷା ପାଇଁ ମଙ୍ଗଳବାର ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଉଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ରହିଛନ୍ତି।

ସେହିପରି ଚଳିତବର୍ଷ ମୌସୁମୀ ବାୟୁ ବିଳମ୍ବରେ ଆସିଥିବାରୁ ଓଡ଼ିଶା ଆସିବାରେ ମଧ୍ୟ ଡେରି ହେବ। ଜୁନ ୧୭ ତାରିଖ ପରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #Weather #Heatwave #Summer #TemperatureRise #KalaBaisakhi #Odisha

 

Comment