ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି। ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଦିନ ତାପମାତ୍ରା ଅଧିକ ରହୁଛି। ଆଗକୁ ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବାର ସମ୍ଭାବନା ରହିଛି। ସେହିପରି ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶୁକ୍ରବାର ଦିନ ୧୧ଟା ୩୦ ସୁଦ୍ଧା ଓଡ଼ିଶାର ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି। ଚାନ୍ଦବାଲିରେ ତାପମାତ୍ରା ସର୍ବାଧିକ ୩୬.୨ ଡିଗ୍ରୀ ରହିଛି। ସେହିପରି ଭୁବନେଶ୍ଵରରେ ୩୬ ଡିଗ୍ରୀ, କେନ୍ଦୁଝରରେ ୩୬ ଡିଗ୍ରୀ, ଝାରସୁଗୁଡ଼ାରେ ୩୫.୪ ଡିଗ୍ରୀ ଏବଂ ସମ୍ବଲପୁରରେ ୩୫.୨ ଡିଗ୍ରୀ ତାପମାତ୍ରା ରହିଛି।

ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇବ। ଏଥିପାଇଁ ଦିନର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗୁରୁବାର ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଥିଲା।  

ଅନ୍ୟପଟେ କିଛି ସ୍ଥାନରେ ବର୍ଷା ଯୋଗୁଁ ତାପମାତ୍ରା କମିଥିଲେ ମଧ୍ୟ ଏପ୍ରିଲ ପହିଲାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Tags: #Heatwave #Summer #TemperatureRise #Weather #Odisha

Comment