ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ପ୍ରବଳ ଖରା ଜାରି ରହିଛି। ଆଗକୁ ହିଟ ୱେଭ୍ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାରଠାରୁ ଓଡ଼ିଶାର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ଏବେ ଏପ୍ରିଲ ୧୬ ତାରିଖ ଯାଏଁ ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଅନ୍ୟାନ୍ୟ କ୍ଷେତ୍ର ଉପରେ ସମୀକ୍ଷା କରିଥିଲେ। ଏଠାରେ ରାଜ୍ୟର ତାପମାତ୍ରା ବୃଦ୍ଧି ଓ ଏହା ସହ ଜଡ଼ିତ ଅନ୍ୟାନ୍ୟ ବିଷୟରେ ସମୀକ୍ଷା କରଯାଇଥିଲା। ଏହାକୁ ନଜରରେ ରଖି ସରକାର ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା କରିଛନ୍ତି।

ଖରାକୁ ନଜର ରଖି ରାଜ୍ୟ ସରକାର ଏପ୍ରିଲ ୧୧ ତାରିଖରୁ ସବୁ ସ୍କୁଲଗୁଡ଼ିକରେ ସକାଳୁଆ ପାଠପଢ଼ା ପାଇଁ ପୂର୍ବରୁ ନିର୍ଦେଶ ଦେଇଥିଲେ। ଏନେଇ ମଙ୍ଗଳବାର ସବୁ ସ୍କୁଲରେ ସକାଳୁଆ ପାଠପଢ଼ା ହୋଇଥିଲା। ତେବେ ଏପ୍ରିଲ ୧୬ ତାରିଖ ପରେ ଖରାର ସ୍ଥିତିକୁ ଦେଖି ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।

ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟରେ ଖରାର ତୀବ୍ରତା ବଢ଼ିବ। ଅନେକ ସ୍ଥାନରେ ତାପମାତ୍ରା ଧୀରେ ଧୀରେ ୩ରୁ ୪ ଡ଼ିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି। ଏହାଛଡ଼ା ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଏପ୍ରିଲ ୧୩ ତାରିଖରୁ ୧୫ ତାରିଖ ଯାଏଁ ହିଟ ୱେଭ୍ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Tags: #Heatwave #TemperatureRise #SchoolClosed #Students #Education #Odisha

 

Comment