ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜିବା ସହ ଏବେ ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଓଡ଼ିଶାରେ ମେ’ ମାସରେ ନିର୍ବାଚନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର (ଏସଆରସି) ସତ୍ୟବ୍ରତ ସାହୁ।

ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହ ନେଇ ସବୁ ଜିଲ୍ଲାରେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏସଆରସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ପକ୍ଷରୁ କୁହାଯାଇଛି।

ନିର୍ବାଚନ ସମୟରେ ଜିଲ୍ଲାରେ ପାନୀୟ ଜଳର ବ୍ୟବସ୍ଥା, ସାମୟିକ ଆଶ୍ରୟସ୍ଥଳୀ ନିର୍ମାଣ, ଶ୍ରମ ସମୟ ହ୍ରାସ କରିବା ଏବଂ ଜରୁରୀକାଳୀନ ତଥା ଡାକ୍ତରୀ ସେବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି ଏସଆରସି। ଏହାସହ ନିର୍ବାଚନୀ ପ୍ରଚାର ଓ ଶୋଭାଯାତ୍ରାବେଳେ ଖରାକୁ ନେଇ ସତର୍କତା ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଏହାପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ରାଜ୍ୟରେ ନିର୍ବାଚନ ସମୟରେ ଖରାର ମୁକାବିଲା ପାଇଁ ଯୋଜନା କରିବାକୁ ଏଥିରେ ଉଲ୍ଲେଖ ରହିଥିଲା।

ଆସନ୍ତା ଏପ୍ରିଲ ଓ ମେ’ ମାସରେ ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାସହ ଅନେକ ସ୍ଥାନରେ ତାପମାତ୍ରା ସ୍ଵାଭାବିକଠାରୁ ଅଧିକ ରହିବ। ଏହା ନିର୍ବାଚନୀ ଶୋଭାଯାତ୍ରା, ପ୍ରଚାର ତଥା ନିର୍ବାଚନର ପରିଚାଳନା ପାଇଁ ବଡ଼ ଆହ୍ଵାନ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

Tags: #IndianGeneralElections #Heatwave #Elections #SRC #Odisha

Comment