ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଭଣ୍ଡ ଓ ଦୁରାଚାରୀ ବାବାଙ୍କ ଯେଉଁ ତାଲିକା ଲମ୍ବି ଚାଲିଛି, ତା’ର ଶେଷ କେଉଁଠି?
ଗତ କିଛିବର୍ଷ ଭିତରେ ରାଜ୍ୟ ତଥା ଦେଶରେ ଯେଉଁ କେତେକ ଅପରାଧିକ କାର୍ଯ୍ୟକଳାପ ଓ ତଦଜନିତ ଗିରଫଦାରୀ ଖୁବ୍ ଚର୍ଚ୍ଚିତ ହୋଇଛି ସେଗୁଡିକ ମଧ୍ୟରେ ରହିଛି ପ୍ରଚାର ପ୍ରସାରର ଶୀର୍ଷରେ ପହଞ୍ଚିଥିବା ବହୁ ଆତ୍ମଘୋଷିତ ବାବାମାନଙ୍କର ଗିରଫଦାରୀ। ଆମ ରାଜ୍ୟର ସୁରବାବା ଓ ସାରଥୀ ବାବାଙ୍କଠାରୁ ଆରମ୍ଭକରି ନିତ୍ୟାନନ୍ଦ, ରାମପାଲ, ଗୁରମିତ ରାମରହିମଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଅନୁଗାମୀଙ୍କ ଶ୍ରଦ୍ଧା ଓ ବିଶ୍ୱାସକୁ ଆଧାର କରି ବାବା ବୋଲାଉଥିବା ଏ ବ୍ୟକ୍ତିମାନଙ୍କର ଚରିତ୍ରର ଭିନ୍ନ ଦିଗ ସାମ୍ନାକୁ ଆସିବା ପରେ ସୃଷ୍ଟି ହୋଇଛି ହଇଚଇ।
ଏହି ବାବାମାନେ କେବଳ ଜେଲ୍ ଯାଇଛନ୍ତି ତାହା ନୁହେଁ, ଏମାନଙ୍କ କେଳେଙ୍କାରୀ ଓ କାରନାମାର ଯେଉଁ କଳଙ୍କିତ ଅଧ୍ୟାୟ ସାମ୍ନାକୁ ଆସିଛି ତାହା ଗୋଟିଏ ଭିନ୍ନ ବିତର୍କକୁ ଜନ୍ମ ଦେଇଛି। ଏହି ବିତର୍କର ସୂତ୍ରଧର ହେଉଛନ୍ତି ଆଉ ଜଣେ ବାବା, ବାବା ରାମଦେବ।
ରାମଦେବ କହିଛନ୍ତି ବେଆଇନ କାମରେ ଲିପ୍ତ ରହୁଥିବା ଆତ୍ମଘୋଷିତ ବାବାମାନଙ୍କୁ ଫାଶୀ ଦିଆଯିବା ଉଚିତ। ଗେରୁଆ ଓ ଶୁଭ୍ର ପୋଷାକ ପିନ୍ଧୁଥିବା, ନିଜକୁ ବାବା ବୋଲାଉଥିବା କେତେକ ବ୍ୟକ୍ତି ସେମାନଙ୍କ କାମର ସୀମା ପାର କରୁଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କ ଶ୍ରଦ୍ଧା ଓ ବିଶ୍ୱାସ ସହ ଖେଳ ଖେଳୁଛନ୍ତି। ଏତିକି ନୁହେଁ ଯାବତୀୟ ଅସାମାଜିକ ତଥା ସାଂଘାତିକ ବେଆଇନ ଓ ଅପରାଧିକ କାମରେ ଲିପ୍ତ ରହୁଛନ୍ତି। ସବୁ ବୃତ୍ତିର ଏକ ସୀମା ରହିଛି। ସବୁ କାମ ପାଇଁ ଏକ ନିୟମାବଳି ଅଛି, ବାବାମାନଙ୍କ କ୍ଷେତ୍ରରେ ବି ଏହା ଲାଗୁ ହୁଏ।
କେବଳ ଗେରୁଆ ବସ୍ତ୍ର ପିନ୍ଧିଲେ ଜଣେ ବାବା ବୋଲି କୁହାଯାଇପାରିବ ନାହିଁ। ଧର୍ମଗୁରୁ ହେବା ପାଇଁ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବା ଏକମାତ୍ର ଯୋଗ୍ୟତା ନୁହେଁ। ଚରିତ୍ର ହେଉଛି ମୁଖ୍ୟ କଥା।
ଯୋଗଗୁରୁ ଏମିତି ସମୟରେ ଏ ବୟାନ ରଖିଛନ୍ତି ଯେତେବେଳେ କିଛିଦିନ ତଳେ ଆଉ ଜଣେ ଆତ୍ମଘୋଷିତ ବାବାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଦାତି ମହାରାଜ ନାମକ ଜଣେ ବାବାଙ୍କ ବିରୋଧରେ ଆସିଛି ତାଙ୍କର ଜଣେ ଅନୁଗାମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ।
ଦାତି ମହାରାଜ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏ ମାମଲାର ତଦନ୍ତ ଦାୟିତ୍ୱ ଏବେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ହତ୍ୟା, ଦୁଷ୍କର୍ମ ଆହୁରି ଅନେକ ବେଆଇନ କାମରେ ଲିପ୍ତ ରହୁଥିବା ବାବାଙ୍କ ବିରୋଧରେ ପ୍ରକୃତରେ କେତେ କଠିନ ଦଣ୍ଡବିଧାନ ହେବା ଆବଶ୍ୟକ ତାହା ଆଗାମୀ ଦିନରେ ଅଧିକ ବିତର୍କକୁ ଜନ୍ମ ଦେଇପାରେ।














