ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକା ଡଙ୍ଗାବୁଡ଼ି ଘଟଣାର ଆସିଲା ତଦନ୍ତ ରିପୋର୍ଟ। କାଳବୈଶାଖୀ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।

ଚିଲିକା ଡଙ୍ଗାବୁଡ଼ି ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଦୁର୍ଘଟଣା ଦିନ ପ୍ରବଳ ପବନ ବୋହୁ ଥିବାରୁ ଅଘଟଣା ଘଟିଲା ବୋଲି ଅନ୍ତର୍ଦ୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଜି ଶ୍ରୀନିବାସ ରାଜ୍ୟ ସରକାରଙ୍କୁ ଦେଇଥିବା ତଦନ୍ତ ରିପୋର୍ଟରେ କୁହାଯାଇଛି।

ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣରେ ଲାଇଫ୍ ଜ୍ୟାକେଟ ଥିଲା। ଡଙ୍ଗାରେ ୧୫ ଜଣ ବସିବାକୁ ଜାଗା ଥିବାବେଳେ ୨୦ଟି ଜ୍ୟାକେଟ ମହଜୁଦ ଥିଲା। ଡଙ୍ଗାରେ କୌଣସି ତ୍ରୁଟି ନଥିଲା। କାଳବୈଶାଖୀ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି। ବର୍ଷାପବନରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ିଯାଇଥିଲା ଏବଂ ଲୋକଙ୍କର ଜୀବନ ଚାଲିଗଲା ବୋଲି ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ ଏହା କୁହାଯାଇଛି।

ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଚିଲିକା ଡଙ୍ଗାବୁଡ଼ି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ବନ୍ଦର ଏବଂ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ବିଭାଗର ୭ ଜଣିଆ ଟିମ୍ ଜେଟିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ନିର୍ଦ୍ଦେଶାଳୟର ନିର୍ବାହୀ ଯନ୍ତ୍ରୀ ମାତ୍ର ତିନିଦିନ ତଦନ୍ତ କରି ରିପୋର୍ଟ ଦାଖଲ କରିଦେଇଛନ୍ତି।

ଆଜିର ତଦନ୍ତ ରିପୋର୍ଟକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଯଦି ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣରେ ଲାଇଫ୍ ଜ୍ୟାକେଟ୍ ମହଜୁଦ ଥିଲା ତେବେ ଯାତ୍ରୀମାନେ ତାହା ପିନ୍ଧି ନଥିଲେ କାହିଁକି? ଯଦି ପିନ୍ଧିଥିଲେ ଏଭଳି ଦୁର୍ଘଟଣା ଘଟିଲା କେମିତି? ତଦନ୍ତ ଟିମ୍ ଏହି ଦୁଇଟି ପ୍ରଶ୍ନର ଉତ୍ତର ସଠିକ୍ ଭାବେ ଉପସ୍ଥାପନ କରିନଥିବାବେଳେ କେବଳ ପବନର ସବୁ ଦୋଷ କହି ତଦନ୍ତ ଶେଷ କରି ଦେଇଛନ୍ତି।

୧୭ ତାରିଖରେ ଚିଲିକାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ୧୬ ଜଣ ଯାତ୍ରୀଙ୍କୁ ନେଇ କାଳିଜାଈରୁ ବାଲୁଗାଁ ଫେରୁଥିବା ଦେଶୀ ଡଙ୍ଗାଟି ବର୍ଷା ପବନରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଫଳରେ ୧୬ ଜଣ ଯାତ୍ରୀ ବୁଡ଼ି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଏଥିରେ ୬ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା।

ଓଡ଼ିଶା ପର୍ଯ୍ୟଟନର ଏକ ମୁଖ୍ୟ ସ୍ଥଳ ହେଉଛି ଚିଲିକା। ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ପ୍ରତିବର୍ଷ ଯଦି ଡଙ୍ଗାବୁଡ଼ି ଭଳି ଅଘଟଣ ଘଟିବ ତେବେ ପର୍ଯ୍ୟଟକ ଚିଲିକା ଆସିବାକୁ ଭୟ କରିବେ। ଆଗକୁ ଯଦି ପର୍ଯ୍ୟଟକଙ୍କ ସୁରକ୍ଷା କଥା ଚିନ୍ତା କରାନଯାଏ ଓଡ଼ିଶା ପର୍ଯ୍ୟଟନ ପ୍ରତି ବିପଦ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।

Comment