ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ନେତା ସମୀର ଦେଙ୍କୁ ବୈଜୟନ୍ତ ପଣ୍ଡା ଭେଟିବା ପରେ କଟକ ରାଜନୀତି ସରଗରମ୍ ହୋଇଛି। ବିଜେଡି-କଂଗ୍ରେସ ଏହି ଭେଟଘାଟକୁ କଡ଼ା ଜବାବ ଦେଇଛନ୍ତି।

  • କଟକରେ ବୈଜୟନ୍ତ-ସମୀର ଦେ କବାଟକିଳା ବୈଠକ
  • ବୈଜୟନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ବିଜେପି ନେତା ଓ କର୍ମୀ
  • ବୈଜୟନ୍ତ କଟକରୁ ଲଢ଼ିବାକୁ ପରାମର୍ଶ
  • ବୈଜୟନ୍ତ କହିଲେ, “ସୁଯୋଗ ମିଳିଲେ କଟକର ସେବା କରିବି”

ବିଜେଡିରୁ ସବୁ ସମ୍ପର୍କ ତୁଟାଇବା ପରେ ବୈଜୟନ୍ତ ପଣ୍ଡାଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଚାଲିଥିଲା। ବୈଜୟନ୍ତ କୁଆଡ଼େ ଯିବେ ତା’ ଉପରେ ସମସ୍ତଙ୍କର ନଜର ରହିଥିଲା।

ବୈଜୟନ୍ତ କେଉଁ ଦଳକୁ ଯିବେ ତାହା ସେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନାହାନ୍ତି। ହେଲେ ଶନିବାର ସନ୍ଧ୍ୟାରେ ବିଜେପି ନେତା ସମୀର ଦେଙ୍କ ବାସଭବନକୁ ଯିବା ପରେ ବୈଜୟନ୍ତ ବିଜେପି ଯିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଖାଲି ସେତିକି ନୁହେଁ, ବିଜେପିରୁ ବୈଜୟନ୍ତ କଟକ ଲୋକସଭା ଆସନ ପାଇଁ ଲଢ଼ିବେ ବୋଲି ଆଲୋଚନା ହେଉଛି।

ଶନିବାର ସନ୍ଧ୍ୟା ୬ଟା। ବିଜେପି ନେତା ସମୀର ଦେଙ୍କ କଟକ ସିଡିଏସ୍ଥିତ ବାସଭବନରେ ପହଞ୍ଚିଥିଲେ ବୈଜୟନ୍ତ ପଣ୍ଡା। ସମୀର ଦେଙ୍କ ଘରେ ବୈଜୟନ୍ତଙ୍କ ଆବିର୍ଭାବକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଲା। ଆଉ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା ବୈଜୟନ୍ତ-ସମୀରଙ୍କ ଭିତରେ ରୁଦ୍ଧଦ୍ୱାର ବୈଠକ।

୧୫ ମିନିଟ କବାଟ କିଳା ବୈଠକ ପରେ ବୈଜୟନ୍ତ ଏବଂ ସମୀର ଦେ ବାହାରକୁ ଆସିଥିଲେ। ପରେ ଆରମ୍ଭ ହୋଇଥିଲା ସମ୍ବର୍ଦ୍ଧନା ସଭା। ବୈଜୟନ୍ତଙ୍କୁ ଫୁଲତୋଡ଼ା ଏବଂ ଉପଢ଼ୈକନ ଦେଇ ବିଜେପି ନେତା ଓ କର୍ମୀ କଟକରେ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ ବିଜେପି ନେତ୍ରୀ ନିବେଦିତା ପ୍ରଧାନ, କଟକ ନଗର ବିଜେପି ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ନେତା।

ଏହି ସମ୍ବର୍ଦ୍ଧନା ସଭାରେ ବିଜେପି ନେତାମାନେ ବୈଜୟନ୍ତଙ୍କୁ ପ୍ରଶଂସା କରିଥିଲେ। ବୈଜୟନ୍ତ କଟକରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଖୋଲାଖୋଲି ଭାଷଣ ଦେଇଥିଲେ। ବୈଜୟନ୍ତ ମଧ୍ୟ ବିଜେପି କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା ସହ ସୁଯୋଗ ମିଳିଲେ କଟକର ସେବା କରିବେ ବୋଲି କହିଥିଲେ।

ସମୀର ଦେଙ୍କ ଘରେ ଏହି ସମ୍ବର୍ଦ୍ଧନା ପର୍ବକୁ ନେଇ ଏବେ ରାଜ୍ୟ ରାଜନୀତି ପୁଣି ଉଷ୍ମ ହୋଇଛି। କଟକରୁ ବୈଜୟନ୍ତ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଛି। ଏହି ପ୍ରସଙ୍ଗରେ ବିଜେଡି ଏବଂ କଂଗ୍ରେସ ନେତାମାନେ ପ୍ରତିକ୍ରିୟା ରଖିଛନ୍ତି। ବୈଜୟନ୍ତ କଟକରୁ ଛିଡ଼ା ହେଲେ କିଛି ଫରକ ପଡ଼ିବନି ବୋଲି କହିଛନ୍ତି। ବିଜେପି ମଧ୍ୟ ଏହାର ଜବାବ ଦେଇଛି।

“ବୈଜୟନ୍ତ ପଣ୍ଡାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ରହିଛି। ବୈଜୟନ୍ତଙ୍କୁ ଆମେ ସମ୍ବର୍ଦ୍ଧିତ କରିଥିବାରୁ ସେ କଟକରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ହେଲେ ସେ ଏଯାଏଁ ବିଜେପିରେ ଯୋଗ ଦେଇ ନାହାନ୍ତି। ଯଦି ସେ ବିଜେପିରେ ଯୋଗ ଦେବେ ତାହାଲେ ଆମେ ତାଙ୍କୁ ସ୍ୱାଗତ କରିବୁ”, କହିଛନ୍ତି ସମୀର ଦେ।

ସମୀର ଦେଙ୍କୁ ବୈଜୟନ୍ତ ଭେଟିବା ପରେ କଟକ ରାଜନୀତି ସରଗରମ୍ ହୋଇଯାଇଛି। “କିଏ କାହା ଘରକୁ ଗଲା ସେଥିରେ ଆମର କିଛି ଯାଏ ଆସେ ନାହିଁ। ହେଲେ ବୈଜୟନ୍ତ ପଣ୍ଡା କଟକରୁ ପ୍ରାର୍ଥୀ ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ବିଜେଡି ଉପରେ କିଛି ପ୍ରଭାବ ପକାଇବନି”, କହିଛନ୍ତି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ।

କଟକ ନଗର କଂଗ୍ରେସ କମିଟି ସଭାପତି ଇଂ ମହମ୍ମଦ ମୋକିମ୍ ମଧ୍ୟ ବୈଜୟନ୍ତ-ସମୀରଙ୍କ ଭେଟଘାଟକୁ ସମାଲୋଚନା କରିଛନ୍ତି।

“କଟକରେ ବିଜେପିର ସ୍ଥିତି କିଛି ନାହିଁ। ଗତ ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା। ବୈଜୟନ୍ତ ପଣ୍ଡା କଟକରୁ ପ୍ରାର୍ଥୀ ହେଲେ ବି ଆମ ପାଇଁ କିଛି ଫରକ ପଡ଼ିବନି। ୨୦୧୯ରେ ବିଜେଡି-କଂଗ୍ରେସ ଭିତରେ ଟକ୍କର ହେବ। ବିଜେପି ପୁଣି ତୃତୀୟ ସ୍ଥାନରେ ରହିବ।

Comment