ଓଡ଼ିଶାଲାଇଭ୍ ବ୍ୟୁରୋ
ଅଯୋଧ୍ୟାରେ ୨୦୧୯ ପୂର୍ବରୁ ନିର୍ମାଣ ହେବ ରାମ ମନ୍ଦିର। ଏନେଇ ବିଜେପି ନେତା ଦେଇଛନ୍ତି ବଡ଼ ବୟାନ।
୨୦୧୯ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ନିର୍ମାଣ ହେବ ରାମ ମନ୍ଦିର। ବାବ୍ରି ମସଜିଦ୍ ଯେମିତି ଅଚାନକ ଭଙ୍ଗା ଯାଇଥିଲା ଠିକ୍ ସେମିତି ଅଚାନକ ରାମ ମନ୍ଦିର ତିଆରି ହେବ।
ରାମ ଜନ୍ମଭୂମି ଅଯୋଧ୍ୟାରେ ଆଜି ଏଭଳି ବୟାନ ଦେଇଛନ୍ତି ବିଜେପିର ପୂର୍ବତନ ସାଂସଦ ତଥା ରାମ ମନ୍ଦିର ନ୍ୟାସ ମଣ୍ଡଳିର ସଦସ୍ୟ ରାମବିଳାସ ଦାସ ବେଦାନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅନୁରୂପ କଥା କହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ଆଦିତ୍ୟନାଥ ଦୃଢ଼ତାର ସହ କହିଛନ୍ତି।
ମହନ୍ତ ନୃତ୍ୟଗୋପାଳ ଦାସଙ୍କ ଜୟନ୍ତୀ ଉତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାମବିଳାସ ଦାସ ବେଦାନ୍ତି ଯୋଗଦେଇ ରାମ ମନ୍ଦିର ନିର୍ମାଣ ଉପରେ ବଡ଼ ବୟାନ ଦେଇଛନ୍ତି।
“୨୦୧୯ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ। ଯେମିତି ଅଚାନକ ବାବ୍ରି ମସଜିଦ ଭଙ୍ଗା ଯାଇଥିଲା ଠିକ୍ ସେମିତି ରାତାରାତି ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ। ବିଜେପି ହିଁ କେବଳ ରାମ ମନ୍ଦିର ନିର୍ମାଣ କରିପାରିବ। ଅନ୍ୟ କେଉଁ ଦଳ ଏହା ନିର୍ମାଣ କରିପାରିବେ ନାହିଁ”, କହିଛନ୍ତି ରାମବିଳାସ ଦାସ ବେଦାନ୍ତି।
ରାମବିଳାସ ଆହୁରି କହିଛନ୍ତି ଯେ ୨୦୧୯ରେ କେନ୍ଦ୍ରରେ ପୁଣି ବିଜେପି ସରକାର ଗଠନ କରିବ ଏବଂ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ।
ଯୋଗୀ ଆଦିତ୍ୟନାଥ କହିଛନ୍ତି, “ରାମ ମନ୍ଦିର ମାମଲା ସମାଧାନ ଆଡ଼କୁ ଗତି କରୁଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ସାରା ଦେଶବାସୀ ଚାହୁଁଛନ୍ତି। ହେଲେ କଂଗ୍ରେସ ଷଡ଼ଯନ୍ତ୍ର କରୁଛି। ୨୦୧୯ ନିର୍ବାଚନ ପରେ ରାମ ମନ୍ଦିର ମାମଲାର ଶୁଣାଣି ହେଉ ବୋଲି କଂଗ୍ରେସ ଚାହୁଁଛି।
୨୦୧୯ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ନହେଲେ ବିଜେପି ବିରୋଧରେ ପ୍ରଚାର କରିବାକୁ ଉତ୍ତରପ୍ରଦେଶର ସାଧୁସନ୍ଥମାନେ ଚେତାବନୀ ଦେଇଥିଲେ। ସାଧୁସନ୍ଥମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ଏବେ ପ୍ରୟାସ ଜାରି ରଖିଛି।








ଅଯୋଧ୍ୟାରେ ୨୦୧୯ ପୂର୍ବରୁ ନିର୍ମାଣ ହେବ ରାମ ମନ୍ଦିର। ଏନେଇ ବିଜେପି ନେତା ଦେଇଛନ୍ତି ବଡ଼ ବୟାନ।









