ଓଡ଼ିଶାଲାଇଭ୍ ବ୍ୟୁରୋ

  • ସମ୍ବଲପୁର ଜିଲ୍ଲା ଲରିଆପାଲ୍ଲି ପଞ୍ଚାୟତର କାହାଣୀ
  • ସମ୍ପୂର୍ଣ୍ଣ ନିଶାମୁକ୍ତ ହେଲା ଲରିଆପାଲ୍ଲି ପଞ୍ଚାୟତ
  • ଦ ଆର୍ଟ ଅଫ୍ ଲିଭିଙ୍ଗ ପକ୍ଷରୁ ଆରମ୍ଭ ହୋଇଥିଲା ଅଭିଯାନ
  • ସହଯୋଗ କରିଥିଲେ ଓଡ଼ିଶା ସରକାର ଏବଂ ସ୍ଥାନୀୟ ସରପଞ୍ଚ
  • ନିଶାମୁକ୍ତ ପାଇଁ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦେଲେ ପୁରସ୍କାର
  • ଅନ୍ୟ ପଞ୍ଚାୟତ ପାଇଁ ଉଦାହରଣ ସାଜିଲା ଲରିଆପାଲ୍ଲି

ସମ୍ବଲପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲରିଆପାଲ୍ଲି ପଞ୍ଚାୟତକୁ ମିଳିଲା ଜାତୀୟ ପୁରସ୍କାର। ସମ୍ପୂର୍ଣ୍ଣ ନିଶାମୁକ୍ତ ପାଇଁ ଏହି ପଞ୍ଚାୟତକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀର ବିଜ୍ଞାନଭବନରେ ମଙ୍ଗଳବାର ଦିନ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରିଛନ୍ତି। ଲରିଆପାଲ୍ଲି ସରପଞ୍ଚ ଶୁକ୍ରୁ କୁଜୁର୍ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଦ ଆର୍ଟ ଅଫ୍ ଲିଭିଙ୍ଗର ସ୍ୱେଚ୍ଛାସେବୀ, ଲରିଆପାଲ୍ଲି ପଞ୍ଚାୟତର ସରପଞ୍ଚ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ପଞ୍ଚାୟତ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇପାରିଛି।

ଲରିଆପାଲ୍ଲି ପଞ୍ଚାୟତ ଅଧିନରେ ରହିଛି ୯ଟି ରାଜସ୍ୱ ଗ୍ରାମ। ତିନି ବର୍ଷ ତଳେ ଏହି ପଞ୍ଚାୟତର ୯୦ ପ୍ରତିଶତ ଲୋକ ବିଭିନ୍ନ ପ୍ରକାରର ନିଶା ସେବନ କରୁଥିଲେ। ଦିନକୁ ୨.୪୦ କୁଇଣ୍ଟାଲ ନିଶା ଏହି ପଞ୍ଚାୟତବାସୀ ସେବନ କରୁଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି। ହେଲେ ଏବେ ଏହି ପଞ୍ଚାୟତ ସମ୍ପୂର୍ଣ୍ଣ ନିଶାମୁକ୍ତ ଭାବେ ବିବେଚିତ ହୋଇଛି।

ଦ ଆର୍ଟ ଅଫ୍ ଲିଭିଙ୍ଗର ସୋସିଆଲ ୟୁନିଟ୍‌ର ନିର୍ଦ୍ଦେଶକ ଭୋଳାନାଥ ଏବଂ ସ୍ୱେଚ୍ଛାସେବୀଙ୍କ ନେତୃତ୍ୱରେ ଏହି ପଞ୍ଚାୟତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ନିଶା ସେବନର ଅପକାରିତା ସମ୍ପର୍କରେ ଏମାନେ ଲୋକଙ୍କୁ ସଚେତନ କରିଥିଲେ। ଏହାସହ ନିଶାମୁକ୍ତ ପାଇଁ ବିଭିନ୍ନ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ ଲରିଆପାଲ୍ଲି ଗ୍ରାମପଞ୍ଚାୟତର ସରପଞ୍ଚ ଶୁକ୍ରୁ କୁଜୁର୍ ଏବଂ ଓଡ଼ିଶା ସରକାର। ଏହି ଉଦ୍ୟମ ଯୋଗୁଁ ଲରିଆପାଲ୍ଲି ପଞ୍ଚାୟତ ଆଜି ଅନ୍ୟ ପଞ୍ଚାୟତ ପାଇଁ ଉଦହାରଣ ପାଲଟିଛି।

ସରପଞ୍ଚ ଶୁକ୍ରୁ କୁଜୁର୍‌ ଏବଂ ୫୦ ଜଣ ଗ୍ରାମବାସୀଙ୍କୁ ନେଇ ଭୋଳାନାଥ ଏହି ଅଭିଯାନ ଆରମ୍ଭ କରିଥିଲେ। ଯୁବକମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯାଇଥିଲା।

ଖାଲି ସେତିକି ନୁହେଁ, ଏହି ପଞ୍ଚାୟତର ଲୋକଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଛି। ଦ ଆର୍ଟ ଅଫ୍ ଲିଭିଙ୍ଗର ବ୍ୟକ୍ତି ବିକାଶ କେନ୍ଦ୍ର ସହଯୋଗରେ ଲୋକମାନଙ୍କୁ ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ ଉପରେ ତାଲିମ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଲରିଆପାଲ୍ଲି ପଞ୍ଚାୟତରେ ସଫଳ ହୋଇଛି।

ମଦ ଦୋକାନ ବନ୍ଦ ହେବା ପରେ ଏଠାରେ କାମ କରୁଥିବା ଲୋକମାନେ ଜୀବିକା ହରାଇଥିଲେ। ସେମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ ବାଟ ବାହାର କରାଗଲା। ମହାତ୍ମା ଗାନ୍ଧି ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା ବିଭିନ୍ନ କାମରେ ସେମାନଙ୍କୁ ନିୟୋଜିତ କରାଗଲା। ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଇ ଚାଷଜମିକୁ ଜଳସେଚନର ବ୍ୟବସ୍ଥା କରାଗଲା। ଏହି ପଞ୍ଚାୟତବାସୀ ଏବେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି।

୨୦୧୭ ଅକ୍ଟୋବର ୧ ତାରିଖରେ ପଞ୍ଚାୟତର ସମସ୍ତ ମଦ ଦୋକାନ ବନ୍ଦ କରାଯାଇଥିଲା। ଅକ୍ଟୋବର ୨ ତାରିଖରେ ପଞ୍ଚାୟତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ପରେ ପଞ୍ଚାୟତରେ ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟକୁ ଆଧାର କରି ଲରିଆପାଲ୍ଲି ପଞ୍ଚାୟତକୁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି।

Comment