ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାଗା ମିଶନ ଓ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡ଼ିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି। ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶା ସ୍ଥାନ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଓଡ଼ିଶାକୁ ପୁରସ୍କୃତ କରିଥିଲେ। ରାଜ୍ୟ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନ ଏହି ପୁରସ୍କାର ଦୁଇଟି ଗ୍ରହଣ କରିଥିଲେ।

୧୭ଟି ରାଜ୍ୟରୁ ୫୪ଟି ଆବେଦନକୁ ବିଚାରାକୁ ନିଆଯାଇଥିବାବେଳେ ୫ଟି ବର୍ଗ ମଧ୍ୟରୁ ଓଡ଼ିଶା ଦୁଇଟିରେ ପ୍ରଥମ ସ୍ଥାନ ହାସଲ କରିଛି। ଜାଗା ମିଶନ କ୍ଷେତ୍ରରେ ଆଇନ୍‍ର ସଫଳ ରୂପାୟନ, ନୀତି ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନ ପାଇଁ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ସକାଶେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଛି।

ଓଡ଼ିଶା କାର୍ଯ୍ୟକାରୀ କରିଥିବା ବସ୍ତି ବାସିନ୍ଦାଙ୍କୁ ଜମିର ସତ୍ତ୍ୱଧିକାର ନିୟମ -୨୦୧୭ କାର୍ଯ୍ୟକାରୀ କରାଇବା ଏବଂ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ ବସ୍ତିଗୁଡିକର ବିକାଶ ପାଇଁ ଏହି ପୁରସ୍କାର ମିଳିଛି।

ଗୃହ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନ ସହରାଞ୍ଚଳରେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ‘ବେଷ୍ଟ ସିଭିକ ଏଜେନ୍ସି’ ପୁରସ୍କାର ପାଇଛି।

ବିକେନ୍ଦ୍ରୀକରଣର ଭି.ରାମଚନ୍ଦ୍ରନଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡିକ ପ୍ରଦାନ କରାଯାଇଥାଏ। ୫ଟି ବର୍ଗରେ ଦିଆଯାଉଥିବା ପୁରସ୍କାରଗୁଡ଼ିକ ହେଉଛି ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପୌରସଂସ୍ଥା, ଶ୍ରେଷ୍ଠ ସିଭିକ ଏଜେନ୍ସି, ଶ୍ରେଷ୍ଠ ରାଜ୍ୟ ନିର୍ବାଚନ କମିସନ ଏବଂ ଶ୍ରେଷ୍ଠ ରାଜ୍ୟ ଅର୍ଥ କମିସନ। ଏହି ପୁରସ୍କାର ମିଳିଥିବା ଯୋଗୁଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ, ଆଇନ୍‍, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ବିଭାଗର ପଦାଧିକାରୀମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ସାଧୁବାଦ ଜଣାଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ନଗର ଉନ୍ନୟନ ଓ ସ୍ମାର୍ଟସିଟି ମିଶନର ସଫଳତାକୁ ସମଗ୍ର ବିଶ୍ୱ ଅନୁସରଣ କରୁଛି।

ଏହି ପୁରସ୍କାର ବିତରଣ ଉତ୍ସବରେ ପୌର ପ୍ରଶାସକ ସଂଗ୍ରାମଜିତ ନାଏକ, ଇଆଇସି ପିଏଚ୍‍ ବସନ୍ତ କୁମାର ସେନାପତି ଓ ଉପଶାସନ ସଚିବ ଶାରଦା ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Comment