ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦେବସ୍ନାନ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ନୀତି
  • ଶ୍ରୀମନ୍ଦିରରେ ଶେଷ ହେଲା ସେନାପଟା ନୀତି
  • ରାଘବ ଦାଶ ମଠରେ ଚାଲିଛି ଟାହିଆ ପ୍ରସ୍ତୁତି

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନ ମଣ୍ଡପକୁ ଆସିବେ ମହାପ୍ରଭୁ। ୧୦୮ ଗରା ପାଣିରେ ସ୍ନାନ କରିବେ ଶ୍ରୀଜୀଉ। ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି।

ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି କରାଯାଇଛି। ଅପରାହ୍ଣ ୪ଟାରୁ ଏହି ନୀତି ଆରମ୍ଭ ହୋଇଥିଲା। ପ୍ରାୟ ୫ଟା ବେଳକୁ ଏହି ନୀତି ଶେଷ ହୋଇଛି। ଏହି ନୀତି ଚାଲିଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିଥିଲା।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାଘବ ଦାଶ ମଠ ଏବଂ ଗୋପାଳ ତୀର୍ଥ ମଠରେ ବ୍ୟାପକ ଆୟୋଜନ ଚାଲିଛି। ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ବିଜେ ହୋଇ ଶ୍ରୀଜୀଉ ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ଆସିଥାନ୍ତି। ପହଣ୍ଡି ବେଳେ ଆବଶ୍ୟକ ପଡ଼ୁଥିବା ଟାହିଆ ରାଘବ ଦାଶ ମଠରୁ ଆସିଥାଏ। ଟାହିଆ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପରମ୍ପରା ଅନୁଯାୟୀ ରାଘବ ଦାଶ ମଠରୁ ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ବେଶ ସାରଞ୍ଜାମ ଆସୁଥିବା ବେଳେ ଗୋପାଳ ତୀର୍ଥ ମଠରୁ ବଳଭଦ୍ରଙ୍କର ଆସିଥାଏ।

ସ୍ନାନମଣ୍ଡପରେ ମହାପ୍ରଭୁ ସ୍ନାନ କରିବା ପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ହାତୀ ବେଶ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥାଏ।

ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁ ଅସୁସ୍ଥ ହୋଇପଡ଼ନ୍ତି। ଏଣୁ ଅଣସର ଘରେ ତାଙ୍କର ଉପଚାର ଚାଲେ। ଏହି ସମୟରେ ରତ୍ନବେଦୀରେ ପୂଜା ପାଇଥାନ୍ତି ପଟି ଦିଅଁ। ପୁରୀର ଚିତ୍ରକାର ସାହିରେ ଅନନ୍ତ ବାସୁଦେବ ଏବଂ ମା’ ଭୁବନେଶ୍ୱରୀଙ୍କ ପଟି ଦିଅଁ ତିଆରି ଚାଲିଥିବା ବେଳେ ପଣାପଡ଼ିଆ ସାହିରେ ଅନନ୍ତ ନାରାୟଣ ପଟି ଦିଅଁ ତିଆରି ଶେଷ ହୋଇଛି।

ଅଣସର ବେଳେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥାଏ।

Comment