ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ତିନି ତଲାକ୍‍’ ପ୍ରଥା ଅବୈଧ ଘୋଷଣା ପରେ ଏବେ ‘ନିକାହ ହଲାଲା’ ରୀତିକୁ ବେଆଇନ୍‍ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି।

କେନ୍ଦ୍ର ସରକାର ମୁସଲମାନ ପରମ୍ପରାର ନିକାହ ହଲାଲା ପ୍ରଥାରେ ସଂସ୍କାର ଆଣିବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି।

ଗତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ଏକ ଖଣ୍ଡପୀଠ ବହୁ ବିବାହ ନିକାହ ହଲାଲା ପ୍ରଥାକୁ ବିରୋଧ କରି ହୋଇଥିବା ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ। ଏହାସହ କେନ୍ଦ୍ର ସରକାର ଓ ଆଇନ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ନିକାହ ହଲାଲା ପରମ୍ପରା ଭାଙ୍ଗିବା ସପକ୍ଷରେ ମତ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ମୁସଲିମ୍‍ ରୀତିରେ ନିକାହ ହଲାଲା ବହୁ କାଳରୁ ପ୍ରଚଳିତ ହୋଇ ଆସୁଥିବା ବେଳେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ପରମ୍ପରାରେ ତଲାକ୍‍ ନେଇଥିବା ଏକ ଦମ୍ପତ୍ତିଙ୍କ ପୁନଃବିବାହ ଉପରେ କଟକଣା ଜାରି କରାଯାଇଛି।

ନିକାହ ହଲାଲ କ’ଣ?

ତଲାକ୍‍ ନେଇଥିବା ବା ଦିଆଯାଇଥିବା ଜଣେ ମହିଳା ପୁଣି ତାଙ୍କ ସ୍ୱାମୀଙ୍କ ସହିତ ନିକାହ କରିବାକୁ ଚାହୁଁଥିଲେ ସେ ପ୍ରଥମେ ଅନ୍ୟ ଜଣେ ପୁରୁଷଙ୍କ ସହିତ ନିକାହ କରିବେ। କିଛି ମାସ ଦାମ୍ପତ୍ୟ ଜୀବନ ଅତିବାହିତ କରିବା ପରେ ସେହି ପୁରୁଷଙ୍କୁ ଛାଡ଼ପତ୍ର ଦେବେ। ତା’ ପରେ ଯାଇ ପୁଣି ଥରେ ପୂର୍ବରୁ ବିବାହ କରିଥିବା ପୁରୁଷଙ୍କୁ ପୁନଃବିବାହ  କରିପାରିବେ।

ଏହି ପରମ୍ପରା ମହିଳାଙ୍କ ଅଧିକାର କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରି କେତେକ ମହିଳା ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୁସ୍‍ଲିମ୍‍ ପର୍ସନାଲ୍‍ ଲ’ରେ ଦୀର୍ଘବର୍ଷ ଧରି ଚଳି ଆସୁଥିବା ଏହି ପ୍ରଥାକୁ ଅସାମ୍ବିଧାନିକ ଘୋଷଣା କରିବାକୁ ମହିଳା ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆବେଦନକୁ ଗ୍ରହଣ କରି ଏହା ଉପରେ ମତାମତ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ବିଧି ମନ୍ତ୍ରାଳୟକୁ ନୋଟିସ୍‍ ଜାରି କରିଥିଲେ।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଆବେଦନ ସପକ୍ଷରେ ମତ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତତ୍କାଳ ତଲାକ୍‍ ପ୍ରଥା ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଭାରତୀୟ ମୁସ୍‍ଲିମ୍‍ ମହିଳା ଆନ୍ଦୋଳନ(ବିଏମ୍‍ଏମ୍‍ଏ) ମଧ୍ୟ ନିକାହ ହଲାଲା ପ୍ରସଙ୍ଗରେ ଆବେଦନକାରୀଙ୍କୁ ସମର୍ଥନ ଜଣାଇଛି।

Comment