ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସିଖବର। ରଥଯାତ୍ରା ପୂର୍ବରୁ ଭୁବନେଶ୍ୱରରେ ନୂଆ ରେଳଷ୍ଟେସନ କାର୍ଯ୍ୟକ୍ଷମ ହେବ। ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନଠାରୁ ୧୪ କିଲୋମିଟର ଦୂର ରଘୁନାଥପୁରଠାରେ ଏହି ନୂଆ ରେଳ ଷ୍ଟେସନ ଖୋଲିବ।
ଆସନ୍ତା ସପ୍ତାହରେ ଏହି ଷ୍ଟେସନ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି।
ଏହି ନୂଆ ରେଳ ଷ୍ଟେସନରେ ୩ଟି ପାସେଞ୍ଜର ଟ୍ରେନ ରହିବ। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୁରୀ-ହାୱଡା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର, କଟକ-ବ୍ରହ୍ମପୁର-କଟକ ପାସେଞ୍ଜର ଟ୍ରେନ ଏହି ନୂଆ ଷ୍ଟେସନରେ ରହିବ।
ବାରଙ୍ଗ, ନନ୍ଦନକାନନ, ରଘୁନାଥପୁର, କଳାରାହାଙ୍ଗ, କିଟ୍, ପଟିଆ ଅଞ୍ଚଳର ଲୋକେ ଏହି ନୂଆ ଷ୍ଟେସନରୁ ଉପକୃତ ହେବେ।
୨୦୧୨ରେ ନିର୍ମାଣ ହୋଇଥିବା ନୂଆ ଷ୍ଟେସନକୁ ଅନ୍ତର୍ଜାତୀୟ ସ୍ତରର ଷ୍ଟେସନ କରିବାକୁ ରେଳ ମନ୍ତ୍ରାଳୟ ଘୋଷଣା କରିଥିଲା। କିନ୍ତୁ ଏହା ସାଟେଲାଇଟ୍ ଷ୍ଟେସନରେ ପରିଣତ ହୋଇଗଲା।
ଏହି ନୂଆ ଷ୍ଟେସନରେ ଆବଶ୍ୟକୀୟ ଭିତ୍ତିଭୂମି, ଗମନାଗମନର ସୁବିଧା ନଥିବାରୁ ଏଠାରେ ପ୍ରଥମେ ପାଞ୍ଜେର ଟ୍ରେନ ଚଳାଚଳ କରିବ। ଯାତ୍ରୀଙ୍କ ସଂଖ୍ୟାକୁ ଦେଖିବା ପରେ ୬ ମାସ ପରେ ଆଉ କିଛି ନୂଆ ପଦକ୍ଷେପ ନିଆଯିବ।


















