ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ରେ ପୋଲିସର ଏନ୍କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଟିଟୋର ଜଣେ ସହଯୋଗୀର ମୃତ୍ୟୁ ହୋଇଛି। ତା ନାଁ ହେଉଛି ଚଗଲା ମଲ୍ଲିକ। ତେବେ ଏହି ଘଟଣାରେ ଅନ୍ୟ ୨ଜଣ ଖସି ପଳାଇଛନ୍ତି।
କୌଣସି ଏକ ଅପରାଧିକ କାର୍ଯ୍ୟ ଘଟାଇବାକୁ କୁଖ୍ୟାତ ଅପରାଧୀ ଚଗଲା ଓ ତା’ର ଅନ୍ୟ ୨ ଜଣ ସହଯୋଗୀ ନୟାଗଡ଼ ଆସିଥିଲେ।
ଜୁନ ୫ ତାରିଖ ସାଢେ଼ ୧୧ଟା ରାତିରେ ଚଗଲା ଜଣେ ସହଯୋଗୀଙ୍କ ସହ ଏକ ବାଇକରେ ନୟାଗଡ଼ ସହରରୁ ନବଘନପୁର ରାସ୍ତାରେ ଯାଉଥିବା ଖବର ପାଇ ପୋଲିସ ପିଛା କରିଥିଲା। ଚଗଲା ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସର ପାଲଟା ଦୁଇରାଉଣ୍ଡ ଗୁଳି ଚଗଲା ଦୁଇଗୋଡ଼ ଆଣ୍ଠୁରେ ବାଜିଥିଲା। ଆହତ ଚଗଲାକୁ ପ୍ରଥମେ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ଅବସ୍ଥା ସଙ୍ଗଟାପନ୍ନ ଥିବାରୁ କଟକ ବଡ଼ ମେଡ଼ିକାଲ ସ୍ତାନାନ୍ତର ରାସ୍ତାରେ ଆହତ ଚଗଲାର ମୃତ୍ୟୁ ହୋଇଥିବା ଜିଲ୍ଲା ଏସପି ଆଶିଷ କୁମାର ସିଂ କହିଛନ୍ତି।
ଚଗଲା ନିକଟରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ ହୋଇଛି। ଚଗଲାର ଦୁଇ ଜଣ ସହଯୋଗୀ ଅନ୍ଧାରର ସୁଯୋଗ ନେଇ ପୋଲିସ ହାତରୁ ଖସି ଯାଇଛନ୍ତି।
ଚଗଲା ନାମରେ ତିନିଟି ହତ୍ୟା ମାମଲା ସହ, ଡକାୟତି, ବୋମା ମାଡ଼ ଭଳି ୫୦ରୁ ଅଧିକ ମାମଲା ରାଜ୍ୟର ବିଭିନ୍ନ ଥାନାରେ ବହୁ ସଙ୍ଗୀନ ମାମଲା ରହିଛି। ଗତ ଏପ୍ରିଲ୍ ମାସରେ ରଣପୁର ଥାନା ଅଧୀନ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ମାମଲାର ମୁଖ୍ୟ ଆସାମୀ ଥିଲା ଚଗଲା।
ଚଗଲା ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସ ସୂଚନା ଦେଇଛି। ଚଗଲାର ଘର କଟକର ନିଆଳି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଜିଲ୍ଲା ପୋଲିସର ଏହ ପଞ୍ଚମ ଏନ୍କାଉଣ୍ଟର୍।


















