ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ୨୦୧୨ରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯିବ କି ନାହିଁ ଏହା ସ୍ଥିର କରିବେ ସୁପ୍ରିମକୋର୍ଟ। ଏହାପୂର୍ବରୁ ନିର୍ଭୟାର ବାପା-ମା ଦୋଷୀକୁ କଡ଼ା ଦଣ୍ଡ ଦିଆଯିବା ପାଇଁ ଯୁକ୍ତି ବାଢ଼ିଛନ୍ତି।
ନିର୍ଭୟାଙ୍କ ମା’ କହିଛନ୍ତି, “ଏହି ଘଟଣାର ୬ବର୍ଷ ବିତିଯାଇଛି। ଏହାପରେ ବି ଏଭଳି ଘଟଣା ସମାଜରେ ଘଟିଚାଲିଛି। ଦୋଷୀକୁ ଯଦି କଡ଼ା ଦଣ୍ଡ ନଦିଆଯିବ ତେବେ ଏଭଳି ଘଟଣା ଆଗକୁ ମଧ୍ୟ ଜାରି ରହିବ। ମୋର ବିଶ୍ଵାସ ଫଇସଲା ଆମ ସପକ୍ଷରେ ଆସିବ।”
ସେହିଭଳି ନିର୍ଭୟାଙ୍କ ପିତା କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କରିଛି ଯେ ମହିଳା ଓ ଶିଶୁ କନ୍ୟାଙ୍କ ପ୍ରତି ହେଉଥିବା ଏଭଳି ଅତ୍ୟାଚାର ରୋକିବା ପାଇଁ କଡ଼ା ନିୟମ ପ୍ରଣୟନ କରାଯାଉ। ନିଭୟା କାଣ୍ଡରେ ଯଦି ଦୋଷୀଙ୍କୁ ଫାଶୀ ଦିଆଯିବ ତେବେ ଯାଇ ଦେଶକୁ ଶାନ୍ତି ମିଳିବ।”
ଦିଲ୍ଲୀର ଜଘନ୍ୟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ଦଣ୍ଡର ପୁର୍ନବିଚାର ପାଇଁ ଆବେଦନ କରିଛନ୍ତି। ଆଜି ଏହି ଆବେଦନ ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିବେ।
୨୦୧୨ରେ ଦିଲ୍ଲୀରେ ଘଟିଥିବା ନିର୍ଭୟା କାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହି ନିର୍ଭୟା କାଣ୍ଡର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଥିଲେ ଜଣେ ନାବାଳକ। ଯିଏ ସବୁଠାରୁ ଜଘନ୍ୟ ଆଚରଣ ପ୍ରଦର୍ଶନ କରିଥିଲେ।


















