ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ୫୫ ନମ୍ବର ଜାତୀୟ ରାଜପଥର ରେଢ଼ାଖୋଲ-ଲୁହାପଙ୍କ ରୋଡ଼୍ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୋମବାରଦିନ ଭୋର ସମୟରେ ଭୁବନେଶ୍ୱରୁ ଝାରସୁଗୁଡ଼ାର ଇବ୍ ଥର୍ମାଲକୁ ଯାଉଥିବା ସୁଶୀଲ ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ ରେଢ଼ାଖୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।
ଏହି ଦୁର୍ଘଟଣାରେ ବସରେ ଥିବା ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୋମବାରଦିନ ଓଆର୦୫ ୟୁ ୯୨୯୮ ନମ୍ବର ବିଶିଷ୍ଟ ସୁଶୀଲ ଟ୍ରାଭେଲ୍ସ ନାମକ ଘରୋଇ ବସଟି ଭୋର ପ୍ରାୟ ୩ଟାରୁ ୪ଟା ସମୟରେ ଇବ୍ ଥର୍ମାଲ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବାବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ବେତଗଡ଼ ଆମ୍ରବନ ଢ଼ାବା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ପଠାଇଛି।


















