ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ୨୦୧୨ରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।

ଦିଲ୍ଲୀର ଜଘନ୍ୟ ନିଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ଦଣ୍ଡର ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ସୋମବାର ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଅଭିଯୁକ୍ତଙ୍କ ପୁନର୍ବିଚାର ଆବେଦନ ଖାରଜ କରି ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି।

ମୁଖ୍ୟ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପିଠ ଏହି ଘଟଣାରେ ଅଭିଯୁକ୍ତ ମୁକେଶ(୨୯), ପବନ ଗୁପ୍ତା(୨୨) ଓ ବିନୟ ଶର୍ମା ସୋମବାର ଏହି ମାମଲାରେ ଚୂଡ଼ାନ୍ତ ଶୁଣାଣି କରିଛନ୍ତି।

ନିର୍ଭୟାଙ୍କ ସହିତ ଏକ ଚଳନ୍ତା ବସରେ ଉପରୋକ୍ତ ଅଭିଯୁକ୍ତମାନେ ଗଣବଳାତ୍କାର କରିବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ନିର୍ଭୟା ସିଙ୍ଗାପୁରସ୍ଥିତ ମାଉଣ୍ଟ ଏଲିଜାବେଥ ଡାକ୍ତରଖାନାରେ ୨୯ଡିସେମ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।
ଏହି ଘଟଣାରେ ସମ୍ପୃକ୍ତ ରାମ ସିଂହ ତିହାଡ଼ ଜେଲରେ ଆତ୍ମହତ୍ୟା କରିଥିଲେ।

ତେବେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ଏହି ନିର୍ଭୟା କାଣ୍ଡର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଥିଲେ ଜଣେ ନାବାଳକ। ଯିଏ ସବୁଠାରୁ ଜଘନ୍ୟ ଆଚରଣ ପ୍ରଦର୍ଶନ କରିଥିଲେ। ତେବେ ଗୋଟିଏ ପଟେ ଫାଶି ଦଣ୍ଡ ପାଇଥିବା ଏହି ୪ ଜଣ ସେମାନଙ୍କ ଜୀବନର ଅବଶିଷ୍ଟ ଜୀବନ ନେଇ ସନ୍ଦିହାନ ଥିବା ବେଳେ ନାବାଳକ ଅପରାଧୀ ଜଣକ ୩ବର୍ଷର ବାଳସୁଧାର ଗୃହରେ ରହି ଏବେ ଦକ୍ଷିଣ ଭାରତର କୌଣସି ଏକ ଅଜ୍ଞାତ ସହରରେ ଏକ ରେସ୍ତାରାଁରେ ଛଦ୍ମ ବେଶରେ ରୋଷେୟା ଭାବେ କାର୍ଯ୍ୟ କରୁଛି।

ନିର୍ଭୟା କାଣ୍ଡର ତତ୍‌କାଳୀନ ନାବଳକ ଅଭିଯୁକ୍ତ ଏବେ ୨୩ ବର୍ଷୀୟ ଯୁବକ। ସେ ଗତ ୨୦୧୫ ମସିହା ଡିସେମ୍ବର ମାସରେ ୩ ବର୍ଷର ସଜା କାଟି ମୁକୁଳିଛି। ତେବେ ତା ପର ଠାରୁ ଏହି ଅଭିଯୁକ୍ତର ଜୀବନ ପ୍ରତି ବିପଦ ରହିଛି।

ଯେଉଁଦିନ ନାବାଳକ ଜଣକ ଖଲାସ ହେଲେ ସେହିଦିନ ତାଙ୍କୁ ବହୁ ଲୋକ ଖୋଜାଖୋଜି ମଧ୍ୟ କରିଥିଲେ। ମାତ୍ର ପୁଲିସ ଏକ ଏନଜିଓ ସହଯୋଗରେ ସମ୍ପୃକ୍ତ ନାବାଳକ ଅଭିଯୁକ୍ତଙ୍କୁ ନେଇ ଦକ୍ଷିଣ ଭାରତର ଏକ ଅଜ୍ଞାତ ସହରରେ ଏକ ରେସ୍ତାରାଁରେ ରୋଷେୟା ଭାବେ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛି।

ଏ ପର୍ଯ୍ୟନ୍ତ ସମ୍ପୃକ୍ତ ରେସ୍ତୋରାଁର ମାଲିକ ମଧ୍ୟ ଏହି ନାବାଳିକ ଅଭିଯୁକ୍ତର ପ୍ରକୃତ ପରିଚୟ ପାଇ ପାରି ନାହାଁନ୍ତି। ପୋଲିସ ସମ୍ପୃକ୍ତ ନାବାଳକ ଅଭିଯୁକ୍ତଙ୍କୁ ଏନଜିଓ ସଂସ୍ଥାକୁ ହସ୍ତାନ୍ତର କରିବା ପରେ ସଂସ୍ଥା ନାବାଳକ ଅଭିଯୁକ୍ତଙ୍କୁ ଛଦ୍ମନାମରେ ସେଠାରେ ନିଯୁକ୍ତି ଦେଇଛନ୍ତି। ତେବେ ଏହି ନାବଳକ ଅଭିଯୁକ୍ତଙ୍କ ସମ୍ପର୍କରେ କେହି ବିଶେଷ କିଛି ଆଉ ଜାଣି ନାହାଁନ୍ତି।

Comment