ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ଜିଲ୍ଲା ଛାଞ୍ଚୁଣିଆରେ ୧୩ଦିନର ଶିଶୁକନ୍ୟାକୁ କୂଅରେ ପକାଇ ମାରି ଦେଇଛି ବାପା।
ମହିଳା ସଶକ୍ତିକରଣ ପାଇଁ ଅନେକ କିଛି ଯୋଜନା ସରକାରଙ୍କ ପକ୍ଷରୁ ହାତକୁ ନିଆଯାଉଛି। ଏହାପରେ ବି ସମାଜରେ ଝିଅମାନଙ୍କ ପ୍ରତି ଘୃଣ୍ୟ ମାନସିକତା ଆଜି ବି ବଳବତ୍ତର ରହିଛି। ସମାଜରେ ଏମିତି କିଛି ବାପା-ମା ଅଛନ୍ତି ଯେକି ଝିଅଟିଏ ଜନ୍ମ ହେଲେ ତାକୁ ଅଲୋଡ଼ା ଭାବି ମାରି ଦେଉଛନ୍ତି। ଏମିତି ଏକ ନିଚ୍ଛକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛାଞ୍ଚୁଣିଆରେ।
୧୩ଦିନର ଶିଶୁକନ୍ୟାକୁ କୂଅରେ ପକାଇ ମାରି ଦେଇଛି ବାପା। ଘଟଣାରେ ପୋଲିସ ଅଭିଯୁକ୍ତ ବାପା ଦୁଃଶାସନ ସାହୁକୁ ଗିରଫ କରିଛି।
ଗତ ୬ ତାରିଖରେ ଦୁଃଶାସନଙ୍କ ୧୩ଦିନର ଶିଶୁ ହଠାତ ନିଖୋଜ ହୋଇଯାଇଥିଲା।ପ୍ରଥମେ ଶିଶୁଟିକୁ କୁକୁର ନେଇଯାଇଥିବା ଖବର ପ୍ରଚାର ହୋଇଥିଲା। ତେବେ ପରଦିନ ଘର ପାଖ କୂଅରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ଖୋଳତାଡ଼ ପରେ ପୋଲିସ ଦୁଃଶାସନକୁ ନେଇ ପଚରାଉଚୁରା କରିଥିଲା। ତେବେ ତଦନ୍ତ ସମୟରେ ଶିଶୁକୁ ନିଜେ ଦୁଃଶାସନ ହିଁ କୂଅରେ ଫୋପାଡି ମାରିଥିବା ସ୍ୱୀକାର କରିଛି।
ପୂର୍ବରୁ ଦୁଃଶାସନର ଗୋଟିଏ ଝିଅ ଥିଲା। ଏହାପରେ ପୁଣି ଏକ ଝିଅ ହେବାରୁ ଏଭଳି ପଦକ୍ଷେପ ନେଇଥିବା ଖମାର ପୋଲିସ ସୂଚନା ଦେଇଛି।
















