ଓଡ଼ିଶାଲାଇଭ୍ ବ୍ୟୁରୋ

ତାଳଚେରସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)କୁ ଶନିବାର ଦିନିକିଆ ଗସ୍ତରେ ଆସିଥିଲେ କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ। ସେଠାରେ ସେ ଖଣିରେ କୋଇଲା ଉତ୍ପାଦନ ଏବଂ ସ୍ଥାନାନ୍ତରଣ କାର୍ଯ୍ୟର ତଦାରଖ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, କରୋନା ପରବର୍ତ୍ତୀ ସ୍ଥିତିରେ ଏବେ ଶୁଖିଲା ଇନ୍ଧନଭାବେ କୋଇଲା ଉତ୍ପାଦନର ଆବଶ୍ୟକତା ଆହୁରି ବୃଦ୍ଧି ପାଇପାରେ। ତେଣୁ ଏଭଳି ସ୍ଥିତିରେ କୋଇଲା ଉତ୍ପାଦନ କ୍ଷେତ୍ରରେ କୋଲ ଇଣ୍ଡିଆ ଅଧିକ ଗୁରୁତ୍ଵ ଦେଉଛି।“କରୋନା କାଳରେ କୋଇଲାର ଚାହିଦା ହ୍ରାସ ପାଇଥିଲା। ତେଣୁ ଉତ୍ପାଦନରେ ମଧ୍ୟ ହ୍ରାସ ହେଲା। ଫଳରେ ଏହି ସମୟରେ ଖଣିଗୁଡ଼ିକର ଅନ୍ୟ ଦିଗ ଯେପରିକି ବାକି ପଡ଼ିଥିବା କାର୍ଯ୍ୟକୁ ଶେଷ କରିବା, ଖଣିର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରପ୍ତାନି ଆଦିପାଇଁ ଉପଯୁକ୍ତ ସମୟ ମିଳିପାରିଥିଲା”, କହିଛନ୍ତି ପ୍ରମୋଦ ଅଗ୍ରଓ୍ଵାଲ।

କୋଇଲା ଉତ୍ପାଦନକୁ ନେଇ ଅଧ୍ୟକ୍ଷ କହିଛନ୍ତି ଯେ, କୋଲ ଇଣ୍ଡିଆ ୨୦୨୦-୨୧ ଆର୍ଥିକ ବର୍ଷରେ ୬୫୦ ନିୟୁତ ଟନ୍ ଉତ୍ପାଦନ ଅତିକ୍ରମ କରିବ। ଏଥିସହିତ କୋଇଲା ଉତ୍ପାଦନ ଏବଂ ରପ୍ତାନି ଆଦିରେ ଏମସିଏଲର କାର୍ଯ୍ୟପନ୍ଥାକୁ ପ୍ରଶଂସା କରିଥିଲେ। ଭୁବନେଶ୍ୱରୀ କୋଇଲା ନିୟନ୍ତ୍ରଣ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ସେ କହିଛନ୍ତି ଯେ, ଏମସିଏଲ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଭଲ କାମ କରିଛି, କିନ୍ତୁ ଆହୁରି ଅଧିକ ଚ୍ୟାଲେଞ୍ଜ ଆଗରେ ଅଛି।କୋଲ ଇଣ୍ଡିଆ ଅଧ୍ୟକ୍ଷ ଅନୁଗୁଳର ଭୁବନେଶ୍ୱରୀ ଓସିପି, ଲିଙ୍ଗରାଜ ଅଞ୍ଚଳରେ ଥିବା ସିଲୋ, ତାଳଚେରର ଭରତପୁର ଏବଂ ହିଙ୍ଗୁଲା ଅଞ୍ଚଳରେ ଥିବା ଖଣିଗୁଡ଼ିକୁ ପରିଦର୍ଶନ କରି ସେଠାକାର କାର୍ଯ୍ୟ ଯାଞ୍ଚ କରିଥିଲେ। ଏହି ଅବସରରେ ସେ ଦେଶର ଅଭିବୃଦ୍ଧି ଦିଗରେ ଗଠନମୂଳକ ଭୂମିକା ପାଇଁ ଏମସିଏଲରେ ଥିବା ଟ୍ରେଡ ୟୁନିଅନକୁ ପ୍ରଶଂସା କରିଥିଲେ।

କୋଲ ଇଣ୍ଡିଆ ଅଧ୍ୟକ୍ଷ ପ୍ରମୋଦ ଅଗ୍ରଓ୍ଵାଲଙ୍କ ସହ ଏମସିଏଲ ପରିଚାଳନା ନିର୍ଦ୍ଦେଶକ ପି କେ ସିହ୍ନା, ବୈଷୟିକ ନିର୍ଦ୍ଦେଶକ ଓ ପି ସିଂହ ଏବଂ ପର୍ସନେଲ ନିର୍ଦ୍ଦେଶକ କେହବ ରାଓ ଏହି ଗସ୍ତରେ ଯାଇଥିଲେ।

Comment