ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ସ୍ଥାନୀୟ ମିଶ୍ରପଡ଼ାଠାରେ ‘ହାଇବ୍ରିଡ୍ ୩୬୦’ କୋଚିଂ ସେଣ୍ଟର ଆରମ୍ଭ ହୋଇଛି। ବୁଧବାର ଦିନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ସିଇଓ ଦିଲ୍ଲୀପ କୁମାର ସାହୁ ଏହାକୁ ଉଦ୍‌ଘାଟନ କରିଛନ୍ତି।ଷ୍ଟାଫ୍ ସିଲେକ୍ସନ, ବ୍ୟାଙ୍କିଙ୍ଗ୍, ରେଲଓ୍ଵେ, ୟୁପିଏସ୍‌ସି ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବା ଲାଗି ଯୁବକ ଯୁବତୀମାନଙ୍କୁ ଏଠାରେ ମାଗଣାରେ କୋଚିଂ ଦିଆଯିବ। ମାଗଣାରେ କୋଚିଂ ସହ ଆନୁସଙ୍ଗିକ ସୁବିଧା ଯେପରି ରହିବା ପାଇଁ ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ପାଠ୍ୟ ଉପକରଣ ପ୍ରଦାନର ବ୍ୟବସ୍ଥା କରାଯାଇଛି। ୬୦ ଜଣ ଯୁବକ ଯୁବବତୀଙ୍କୁ ନେଇ ହାଇବ୍ରିଡ୍ ୩୬୦ର ପ୍ରଥମ ବ୍ୟାଚ୍ ଆରମ୍ଭ ହୋଇଛି।“ହାଇବ୍ରିଡ୍ ୩୬୦ ଦ୍ଵାରା ଜିଲ୍ଲାର ଗରିବ, ମେଧାବୀ ଛାତ୍ରଛାତ୍ରୀ ଏବଂ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ବିଶେଷ ଭାବେ ଉପକୃତ ହେବେ। ମାଗଣାରେ ଶିକ୍ଷାଲାଭ କରି ସେମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ଭବିଷ୍ୟତର ସ୍ଵପ୍ନକୁ ପୂରଣ କରିପାରିବେ”, କୋଟିଂ ସେଣ୍ଟର ଉଦ୍‌ଘାଟନୀ ଅବସରରେ କହିଥିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଡିଏମଏଫ୍ ସିଇଓ ଦିଲ୍ଲୀପ କୁମାର ସାହୁ।ଅନୁଗୁଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଦେଇଥିବା ବେଳେ ନିୟତୀ ଫାଉଣ୍ଡେସନ ସହଯୋଗୀ ଭାବେ ଏହାର ପରିଚାଳନା ଦାୟିତ୍ଵ ନେଇଛି। ଦକ୍ଷତା ବିକାଶ ପାଇଁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅବଧି ୬ ମାସ ରହିଥିବା ବେଳେ ଦଶମ, +୨ ବା +୩ ଉତ୍ତୀର୍ଣ୍ଣ ଯୁବକ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ।ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଡିଏମଏଫ୍‌ର ବରିଷ୍ଠ ଅଧିକାରୀ ଗିରିଜା ଭୂଷଣ ମିଶ୍ର, ଅନୁପମ ପ୍ରସାଦ, ନିୟତୀ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comment