ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ପାଞ୍ଚମାହାଳାଠାରେ ଥିବା ଆଦୃତା ଶିଶୁ ସଦନର ପିଲାମାନଙ୍କ ପାଇଁ ଏକ ବହୁମୁଖୀ ହଲ୍‌ର ଉଦ୍‌ଘାଟନ ହୋଇଛି। ବୁଧବାର ଜେଏସପିଏଲ୍‌ ଫାଉଣ୍ଡେସନର ଚେୟାରମ୍ୟାନ ଶାଲ୍ଲୁ ଜିନ୍ଦଲ ଏହି ହଲ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ହଲ୍‌ ନିର୍ମାଣ ପାଇଁ ଜେଏସପିଏଲ୍ ଫାଉଣ୍ଡେସନ ଆର୍ଥିକ ସହୟତା ଯୋଗାଇ ଦେଇଛି।

ପ୍ରାୟ ୧୩ ଶହ ବର୍ଗଫୁଟରେ ନିର୍ମିତ ଏହି ହଲ୍‌ରେ ଆଦୃତା ଶିଶୁ ସଦନର ୧୨୦ ପିଲାମାନଙ୍କ ଭୋଜନ ପାଇଁ ଡାଇନିଂ, ଖେଳକୁଦ ପାଇଁ ଇଣ୍ଡୋର ଗେମ୍ ଏବଂ ପାଠ ପଢ଼ିବା ପାଇଁ ୨୦୦ ପୁସ୍ତକ କ୍ଷମତା ବିଶିଷ୍ଟ ପାଠାଗାର ଆଦିର ବ୍ୟବସ୍ଥା ରହିଛି।

“ଜେଏସପିଏଲ୍ ଫାଉଣ୍ଡେସନ ଆଦୃତା ଶିଶୁ ସଦନର ପିଲାମାନଙ୍କ ସହ ୧୧ବର୍ଷ ହେଲା ଯୋଡ଼ିହୋଇ ଅଛି। ଏହି ପିଲାମାନଙ୍କୁ ଫାଉଣ୍ଡେସନ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ଚେଷ୍ଟା କରିଆସିଛି। ଏହି ବହୁମୁଖୀ ହଲ୍‌ଟି ପିଲାମାନଙ୍କୁ ସେମାନଙ୍କ ସମୟ ଅତିବାହିତ ପାଇଁ ଭଲ ଅନୁଭୂତି ଦେବ। ପିଲାମାନେ ଏଠାରେ ପାଠ ପଢ଼ିବା ସହ ବିଭିନ୍ନ ଖେଳ ଖେଳିବା ପାଇଁ ଭଲ ପରିବେଶଟିଏ ପାଇପାରିବେ”, କହିଛନ୍ତି ଜେଏସପିଏଲ ଫାଉଣ୍ଡେସନର ଚେୟାରମ୍ୟାନ ଶାଲ୍ଲୁ ଜିନ୍ଦଲ।

“ସ୍ନେହ” ପ୍ରକଳ୍ପ ଅଧୀନରେ ୨୦୦୯ ମସିହାରୁ ଆଦୃତା ସଦନର ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ପିଲାମାନଙ୍କର ସ୍ଵାସ୍ଥ୍ୟସ୍ଥିତି ଉପରେ ନଜର ରଖିବା ପାଇଁ ଫାଉଣ୍ଡେସନ ପକ୍ଷରୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର କରାଯାଇଥାଏ। ଏଥିସହିତ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ସ୍କୁଲ ପାସ୍ ଆଉଟ୍ ପିଲାମାନଙ୍କୁ ଓପି ଜିନ୍ଦଲ କମ୍ୟୁନିଟି କଲେଜ ଏବଂ ଅନ୍ୟାନ୍ୟ ପଲିଟେକ୍ନିକ୍ କଲେଜରେ ବୈଷୟିକ ତାଲିମ ନେବାକୁ ମଧ୍ୟ ସୁବିଧା ଯୋଗାଇ ଦିଆଯାଉଛି।

ଏହି ଉଦଘାଟନୀ ଉତ୍ସବରେ ଜେଏସପିଏଲ୍‌ର ଗ୍ରୁପ ସିଏସଆର ଆଣ୍ଡର ସସ୍‌ଷ୍ଟେନେବିଲିଟିର ମୁଖ୍ୟ ପ୍ରଶାନ୍ତ ହୋତା, ଜେନେରାଲ୍ ମ୍ୟାନେଜର (ସିଏସ୍ଆର) ପୁଷ୍ପଲତା ଶତପଥୀ ଏବଂ ଜେଏସପିଏଲର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment