ଡକ୍ଟର ଗୀତା ଦାସ

ଏକ ପୁରୁଷ-ପ୍ରଧାନ ସମାଜରୁ ପୃଥିବୀ ଏକ ନାରୀ-ପୁରୁଷ ପୂର୍ଣ୍ଣ ସହଭାଗିତାର ଭବିଷ୍ୟତ ଆଡକୁ ଗତିକରୁଛି। ଏହି ପରିବର୍ତ୍ତନକୁ ପୁରୁଷମାନେ ସ୍ୱାଗତ କଲେ ସାମାଜିକ ପରିବର୍ତ୍ତନର ଧାରା ଅଧିକ ସହଜ ଏବଂ ସୁସଂହତ ହୋଇପାରିବ।

ଏ ପର୍ଯ୍ୟନ୍ତ ଆମ ସମାଜ ପୁରୁଷର ପ୍ରାଧାନ୍ୟ ସ୍ୱୀକାର କରି ସେହି ଅନୁସାରେ ଚଳୁଛି। ଘରର ବିବାହ ହେଉଛି ନାରୀର ଜଗତ ଓ ଘର ବାହାରର ସମଗ୍ର ପୃଥିବୀ ହେଉଛି ପୁରୁଷର ବିଚରଣ ଭୂମି। ଯିଏ ସହରରେ ବଢ଼ିଛି, ତା’ର ଅନ୍ୟ ପ୍ରକାରର ଅଭିଜ୍ଞତା ମଝିରେ ମଝିରେ ହୋଇଛି। ସେ ସ୍କୁଲ୍‌ରେ ଥରେ ଅଧେ ଶିକ୍ଷୟିତ୍ରୀଙ୍କ ନିକଟରେ ପଢ଼ିଛି, ଡାକ୍ତରଖାନାରେ ନର୍ସ ପାଖରେ ଇଞ୍ଜେକସନ୍ ନେଇଛି, ଘରେ କୌଣସି ଲେଡ଼ି ଡାକ୍ତର ଆତ୍ମୀୟା ଦେହଖରାପ ବେଳେ ତା’ର ଚିକିତ୍ସା କରିଛନ୍ତି। ଗାଁରେ ବଢ଼ିଥିବା ମଣିଷ ଏସବୁ କାମ କେବଳ ପୁରୁଷଲୋକଙ୍କୁ କରିବାର ଦେଖିଛି। ତଥାପି କଟକ ପରି ସହରରେ ମଧ୍ୟ ପ୍ରଥମ ନାରୀ ଟ୍ରାଫିକ୍ ପୋଲିସ ଦେଖି ଲୋକେ ପୋଲିସର ହାତର ସଙ୍କେତକୁ ନ ଅନେଇ ତା’ର ବେଶଭୂଷାକୁ ଅନେକ ଦେଖୁଥିଲେ।

୧୯୮୦ରୁ ୨୦୧୭ ଭିତରେ ଏପରି ଦୃଶ୍ୟ ଚାରିଆଡ଼େ ଦେଖାଯିବ। ସେତେବେଳେ ଲେଡି ଡାକ୍ତରମାନେ କେବଳ ସ୍ତ୍ରୀରୋଗର ଚିକିତ୍ସା ନ କରି ବିଶେଷଜ୍ଞ ଡାକ୍ତର ରୂପରେ ପ୍ରାୟ ସବୁ ରୋଗର ଚିକିତ୍ସା କରିବେ। ସେହିଭଳି ସ୍କୁଲ ଓ କଲେଜରେ ଶିକ୍ଷୟିତ୍ରୀ ଓ ଅଧ୍ୟାପିକା ବହୁଗୁଣରେ ବଢ଼ିବେ। ଅଫିସର ସହକର୍ମିଣୀ ହେବ ସ୍ତ୍ରୀଲୋକ। କିରାନି, ଅଫିସର, ମ୍ୟାନେଜର, ଟେକନିସିଆନ୍‌ ଇତ୍ୟାଦି ବିଭିନ୍ନ ଚାକିରିରେ ସ୍ତ୍ରୀଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବ। ହୁଏତ ତା’ର ଉପର ଅଫିସର ବା କାରଖାନା ମ୍ୟାନେଜର ହେବେ ସ୍ତ୍ରୀଲୋକ। ସେମାନଙ୍କ ହୁକୁମ ଅନୁସାରେ ତାକୁ କାମ କରିବାକୁ ପଡ଼ିବ। ବୟସରେ ଏମାନଙ୍କ ମଧ୍ୟରୁ କେତେକ ତା’ର ସମବୟସୀ ହୋଇପାରନ୍ତି ଯିଏ କି ଆଇଏ‍ଏସ୍‍ ପରୀକ୍ଷା ଦେଇ ଜିଲ୍ଲାପାଳ ବା ଉଚ୍ଚପଦସ୍ଥ ପୋଷ୍ଟାଲ୍ ଅଫିସର ହେଇ ଚାକିରି କରୁଛନ୍ତି।

ପୁରୁଷ ଓ ନାରୀର ଚିରାଚରିତ ଭୂମିକାରେ ଏଇ ଯେଉଁ ଆମୂଳ ପରିବର୍ତ୍ତନ ଘଟୁଛି, ତା’ର ପ୍ରଭାବ କ’ଣ ହେବ ସେକଥା ଆମେ ଏଯାକେ ଭାବି ଦେଖି ନାହୁଁ। ଘର ବାହାରେ ଝିଅମାନେ କାମ କରିବାଟା ଏ ପର୍ଯ୍ୟନ୍ତ ମଧ୍ୟ ଗୋଟାଏ ନୂଆ ଜିନିଷ। ଅଳ୍ପ ପୁରୁଷ ଲୋକଙ୍କର ଝିଅମାନଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାର ଅଭିଜ୍ଞତା ଅଛି। ଅଧିକାଂଶ ଲୋକ ସେମାନଙ୍କୁ ଦୂରରୁ ଅଫିସ ଯିବାର ଦେଖନ୍ତି। ମୁହାଁମୁହିଁ ଅବସ୍ଥାରେ ପଡ଼ିଲେ କେମିତି ବ୍ୟବହାର କରିବାକୁ ହବ ଜାଣିପାରନ୍ତି ନାହିଁ।

ସ୍କୁଲ ଓ କଲେଜରେ ବହୁଦିନ ହେଲା ସହଶିକ୍ଷାର ପ୍ରଚଳନ ହେଲାଣି। ତଥାପି ଛାତ୍ର ଓ ଛାତ୍ରୀ ପରସ୍ପର ସହିତ ସହଜ ଭଦ୍ରତା ଦେଖାଇ ଦୁଇପଦ ସୌଜନ୍ୟସୂଚକ କଥାବାର୍ତ୍ତା କରିପାରନ୍ତି ନାହିଁ। ଏହା କଲେଜରେ ଚାରିବର୍ଷ ପାଠ ପଢ଼ିଲେ ମଧ୍ୟ ଦୋକାନ, ବଜାର, ବସ୍ ବା ଟ୍ରେନରେ ଦେଖାହେଲେ ଦେଖି ନ ଦେଖିଲା ପରି ମୁହଁ ବୁଲେଇ ଚାଲିଯାଆନ୍ତି।

ଆମେ ପୁଅଙ୍କୁ ଝିଅଙ୍କ ସାଙ୍ଗରେ ମିଶିବାକୁ ମନା କରିଛୁ ଓ ଝିଅଙ୍କୁ ଅନାତ୍ମୀୟ ପୁରୁଷ ସହିତ କଥା କହିବା ଖରାପ ବୋଲି ଶିଖାଇଛୁ। ତେଣୁ ଝିଅମାନେ ପର୍ଦ୍ଦାସୀନ ସ୍ତ୍ରୀଲୋକଙ୍କ ପରି ଏବେ ମଧ୍ୟ ବ୍ୟବହାର କରୁଛନ୍ତି। ସେମାନେ ପୁରୁଷ ପ୍ରତି ସୌଜନ୍ୟ, ଭଦ୍ରତା ଓ ବନ୍ଧୁତ୍ୱର ସହଜ ପ୍ରୀତି ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି। କାରଣ ପୁରୁଣା ବିଧାନ ଅନୁସାରେ ଏପରି ବ୍ୟବହାରର କେବଳ ଗୋଟିଏ ଅର୍ଥ ହେବ। ସେ ଅର୍ଥ ହେଲା ପ୍ରଣୟାସକ୍ତି।

ପୁରୁଷ ମଧ୍ୟ ସେହିପରି ଅଡ଼ୁଆରେ ପଡ଼େ। ଧରନ୍ତୁ, ଶାଶୂଙ୍କୁ ଡାକ୍ତର ଦେଖେଇବା ପାଇଁ ଜ୍ୱାଇଁ ଗାଁରୁ ସହରକୁ ଆସିଛନ୍ତି। ବସଷ୍ଟାଣ୍ଡରେ ରିକ୍ସା କରି ଡାକ୍ତରଖାନା ଯିବେ। ସମସ୍ୟା ହେଲା, ଜ୍ୱାଇଁ ଶାଶୂଙ୍କ କରରେ ବସି ଯିବେ ବା ଆଉ ଗୋଟିଏ ରିକ୍‌ସା କରିବେ? ପଇସା ଟଣାଟଣି ଅଛି। ସେ ଶେଷରେ ଶାଶୂଙ୍କୁ ବସାଇ ନିଜେ ରିକ୍ସାର ଡାଲାରେ ଠିଆ ହୋଇଗଲେ।

ଥରେ ଜଣେ ଭଦ୍ରଲୋକଙ୍କର ବହୁତ ଦେହ ଖରାପ ହେଲା। ଖଣ୍ଡମଣ୍ଡଳରେ ଡାକ୍ତର ପାଇଲେ ନାହିଁ। ଶେଷରେ ସାନଭାଇର ଡାକ୍ତରାଣୀ ସ୍ତ୍ରୀଙ୍କୁ ବଡ଼ଯାଆ ଆସି ଡାକିଲେ। ଭାଇବୋହୂ ରୋଗୀକୁ ପରୀକ୍ଷା କରି ଔଷଧ ଦେଲେ। ରୋଗୀ ଭଲ ହୋଇଗଲା। ମାତ୍ର ଦେଢ଼ଶୁର ଭାଇବୋହୂ ଛୁଆଁଛୁଇଁ ହେଇଯାଇଥିବାରୁ ଦୋଷ ଛଡ଼ାଇବା ପାଇଁ ବିଭିନ୍ନ ବିଧିବିଧାନ କରି ଶେଷରେ ଚାଲୁଣୀ ପାଣିରେ ଗାଧୋଇବାକୁ ପଡ଼ିଲା। ଘର ଭିତରେ ଯେତେବେଳେ ଏତେ ବାରଣ, ଘର ବାହାରେ ପୁରୁଷଲୋକ ଅନୀତ୍ମୀୟା ସ୍ତ୍ରୀଲୋକ ସହିତ କିପରି ବ୍ୟବହାର କରିବ, ସେ କଥା ସ୍ଥିର କରିବା ତା’ ପାଇଁ ଦୁରୂହ ହେଇପଡ଼େ। ବସଷ୍ଟାଣ୍ଡରେ ଗୋଡ଼ ଖସି ଜଣେ ପୁରୁଷ ପଡ଼ିଗଲେ ଯେ କେହି ଯାଇ ହାତ ଧରି ଉଠାଇ ଲୋକଟିକୁ ସାଷ୍ଟମ କରିବାକୁ ଚେଷ୍ଟା କରେ; ମାତ୍ର ଜଣେ ସ୍ତ୍ରୀଲୋକ ଯଦି ପଡ଼ିଯାଏ, ତା’ ହେଲେ ଆଉ ଜଣେ ବୟସ୍କା ସ୍ତ୍ରୀଲୋକକୁ ଖୋଜି ଆଣିବାକୁ ପଡ଼େ। ଏଇ ପ୍ରସଙ୍ଗରେ ଚିତୋରର ରାଣୀ ମୀରାବାଈଙ୍କର ଉକ୍ତି ଉଲ୍ଲେଖଯୋଗ୍ୟ।

ମୀରା କହିଥିଲେ ଭକ୍ତର କେବଳ ଗୋଟିଏ ପରିଚୟ- ସେ ହେଲା ଭକ୍ତ। ଯିଏ ଭଗବତ୍‌ ଭାବରେ ବିଭୋର ସେ ନିଜକୁ ନାରୀ ବା ପୁରୁଷ ବୋଲି ଭାବେ ନାହିଁ, ଭକ୍ତ ବୋଲି ଭାବେ। ମୀରାଙ୍କ ପରି ଆମେ ଯଦି ନିଜକୁ ପ୍ରଥମେ ମଣିଷ ଓ ପରେ ପୁରୁଷ ବା ନାରୀ, କୁଳୀନ, ଅକୁଳୀନ, ଧନୀ, ନିର୍ଧନ ଇତ୍ୟାଦି ପ୍ରଭେଦ ଅନୁସାରେ ବିଚାର କରିବୁ, ତାହାହେଲେ ଆମର ମଙ୍ଗଳ ହେବ। ଏଇ ମନୋଭାବ ହେଲେ ପୁରୁଷ ଓ ନାରୀ ପରସ୍ପରକୁ କେବଳ କାମନାର ଆଖିରେ ନ ଦେଖି ବନ୍ଧୁ ରୂପରେ ଦେଖିବାକୁ ଶିଖିବେ। ଅନ୍ୟ ପରିଚିତ ବା ଅପରିଚିତ ଲୋକ ପ୍ରତି ଆମେ ଯେପରି ବ୍ୟବହାର କରିଥାଉ ପୁରୁଷ ଓ ନାରୀ ପରସ୍ପର ପ୍ରତି ସେତିକି ଭଦ୍ରତା ଓ ବିବେଚନାପୂର୍ଣ୍ଣ ବ୍ୟବହାର ଦେଖାଇଲେ ଯଥେଷ୍ଟ ହେବ।

ବର୍ତ୍ତମାନ ପାଶ୍ଚାତ୍ୟ ଦେଶରେ ଯେପରି ପୁରୁଷ ଓ ନାରୀ ମଧ୍ୟରେ ସହଜ ସାମାଜିକ ସମ୍ପର୍କ ରହିଛି, କାଳକ୍ରମେ ଆମ ଦେଶରେ ଧୀରେ ଧୀରେ ସେପରି ସମ୍ପର୍କ ଗଢ଼ିଉଠିବ। ପ୍ରକୃତରେ ଦେଖିବାକୁ ଗଲେ ଦେଶର ସ୍ୱାଧୀନତା ଲାଭ ପରେ ସ୍ତ୍ରୀଲୋକମାନେ ଅଧିକ ସଂଖ୍ୟାରେ ପର୍ଦ୍ଦାସୀନ ଅବସ୍ଥା ତ୍ୟାଗ କରି ବାହାରର ମୁକ୍ତ ଅଙ୍ଗନକୁ ବାହାରିଛନ୍ତି।

ଏଇ ଅଳ୍ପ ସମୟ ଭିତରେ ସ୍ତ୍ରୀଲୋକଙ୍କର ସାଧାରଣ ଅବସ୍ଥାର ବହୁ ଉନ୍ନତି ହୋଇଛି। ଏଇ ଉନ୍ନତି ଯୋଗୁଁ ପୁରୁଷଲୋକଙ୍କୁ ବିଶେଷ ଅସୁବିଧା ସହ୍ୟ କରିବାକୁ ପଡ଼ି ନାହିଁ। ବରଂ ସ୍ତ୍ରୀ ଶିକ୍ଷିତ ହେଇଥିବାରୁ ନିଜ ସ୍ତ୍ରୀ ବିଷୟରେ ଗୌରବବୋଧ କରୁଛି। ରଘୁବଂଶ ଆବୃତ୍ତି କରି ସେ ମଧ୍ୟ ଅଜଙ୍କ ପରି କହିପାରିବ ଯେ, ତା’ର ସ୍ତ୍ରୀ ତା’ର ଜୀବନରେ ଗୃହିଣୀ, ସଚିବ ଓ ସଖୀର ସ୍ଥାନ ଅଧିକାର କରିଛି। ମାତ୍ର ସାଧାରଣ ଶିକ୍ଷିତା ସ୍ତ୍ରୀ ଏବଂ ଓକିଲ, ଜଜ୍, ମନ୍ତ୍ରୀ, ଡାକ୍ତର ଓ ବୈଜ୍ଞାନିକ ସ୍ତ୍ରୀ ମଧ୍ୟରେ ବହୁତ ପ୍ରଭେଦ। ସାଧାରଣ ଶିକ୍ଷିତା ସ୍ତ୍ରୀ ସ୍ୱାମୀର ପରିପୂରକ ରୂପରେ ସହଚାରିଣୀ ହୋଇ ସଂସାର ଧର୍ମ ପାଳନ କରେ। ମାତ୍ର ଆସନ୍ତାକାଲିର ଉଚ୍ଚଶିକ୍ଷିତା ସ୍ତ୍ରୀର ସ୍ୱତନ୍ତ୍ର ଜୀବନ, ସ୍ୱତନ୍ତ୍ର ପରିଚୟ ଓ ସ୍ୱତନ୍ତ୍ର ବ୍ୟକ୍ତତ୍ୱ ରହିବ। ଆମ ପୁଅମାନେ ଯାହାକୁ ବାହା ହେବେ, ସେମାନେ ବିବାହ ଜୀବନରେ ସମକକ୍ଷ ଅଂଶୀଦାର ହୋଇ ଚଳିବାକୁ ଚାହିଁବେ।

ମନେକରନ୍ତୁ ଜଣେ ସାଧାରଣ ପୁରୁଷ ପିଲାଦିନୁ ମା’ର ନୟନପିତୁଳା ହୋଇ ବଢ଼ିଛି। ଘରେ ସବୁଠାରୁ ଭଲ ଖାଇବା ତା’ ଭାଗରେ ପଡ଼େ। ସବୁ ସୁବିଧା ପ୍ରଥମେ ତାକୁ ଦିଆଯିବା ପରେ ଅନ୍ୟମାନଙ୍କ କଥା ବିଚାରକୁ ନିଆଯାଏ। ସମସ୍ତଙ୍କର ସ୍ନେହ ଆଦର ପାଇ ସେ ବଢ଼େ। ଘରେ ଦେଖେ ବାପାଙ୍କ କଥା ବେଦବାକ୍ୟ। ବାପା ଘରକୁ ଫେରିଲେ ମା’ ସବୁ କାମ ପକେଇ ଯାଇ ବାପାଙ୍କ ହାତରୁ ଜିନିଷ ଆଣି ଥୁଅନ୍ତି। ଗୋଡ଼ ଧୋଇବାକୁ ପାଣି, ହାତ ପୋଛିବାକୁ ତଉଲିଆ ଧରି ଠିଆ ହୁଅନ୍ତି। ବାପା ଶାନ୍ତିରେ ବସିଲେ ଜଳଖିଆ ବାଢ଼ି ହାତରେ ପଙ୍ଖାଟିଏ ଧରି ବିଞ୍ଚନ୍ତି। ଭଉଣୀ ପରଷାପରଷି କରେ। ସେହି ବାପା ପୁଣି ଥାଳିରୁ ତାକୁ ଭଲ ଜିନିଷ ବାଛି ଖୁଆନ୍ତି। ସ୍କୁଲରେ ସେ ଭଲ ଛାତ୍ର। ପରୀକ୍ଷାରେ ପ୍ରଥମ ହୁଏ। ଭଲ ପଢ଼ିଲାରୁ ପ୍ରତିଯୋଗିତାରେ ଜିତି ଡାକ୍ତରୀ ପଢ଼ିଲା। ପାସ୍‌ କଲା। ଭଲ ପାଇ ନିଜର ସହପାଠିନୀକୁ ବାହା ହେଲା। ପାଞ୍ଚବର୍ଷ ପରେ ତା’ର ସ୍ତ୍ରୀ ପ୍ରମୋସନ୍ ପାଇ ଉପରକୁ ଉଠିଲା। କାରଣ ତା’ ସ୍ତ୍ରୀ ତା’ଠାରୁ ଆହୁରି ଭଲ ପଢ଼ୁଥିଲା। ଡାକ୍ତର ହିସାବରେ ଆହୁରି ଭଲ ନାଁ କରିଛି। ଏଇ ଅବସ୍ଥାକୁ ମାନିନେବା କେଡେ କଷ୍ଟ। ପିଲାଦିନୁ ସେ ଜାଣିଛି, ସେ ଶ୍ରେଷ୍ଠ; ସମସ୍ତଙ୍କଠାରୁ ଭଲ, ସମସ୍ତଙ୍କର ପ୍ରଶଂସା ଆଦର ପାଇବାକୁ ହକଦାର। କେବଳ ସେତିକି ନୁହେଁ ସ୍ତ୍ରୀର ଏଇ ଉନ୍ନତି ପାଇଁ ସେ ନିଜର ବହୁତ ସୁବିଧା ତ୍ୟାଗ କରିଛି। କାମରୁ ଫେରି ନିଜେ ଜଳଖିଆ କରି ଖାଇଛି। ସ୍ତ୍ରୀର ରାତିରେ ଡିଉଟି ଥିଲେ ଆପତ୍ତି କରି ନାହିଁ, ବାପା ପରି କେବେ ସ୍ତ୍ରୀ ହାତରୁ ଗୋଡ଼ଧୁଆ ପାଣି ବା ହାତପଙ୍ଖାର ପବନ ପାଇ ନାହିଁ। ଭାବିଚିନ୍ତି ସେ ନିଜର ବିଭାଗ ବଦଳେଇ ଡାକ୍ତରଖାନାର ଆଉ ଏକ ବିଭାଗରେ ଯାଇ ଚାକିରି କଲା, ଭାବିଲା ଏଥର ସ୍ତ୍ରୀ ସହିତ ସିଧାସଳଖ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ। ଅଳ୍ପଦିନ ପରେ ଆଉ ଜଣେ ବିଖ୍ୟାତ ମହିଳା ଡାକ୍ତର ସେ ବିଭାଗର ମୁଖ୍ୟ ଅଧ୍ୟାପିକା ହୋଇଆସିଲେ। ବର୍ତ୍ତମାନ ଜଣେ ମହିଳା ହାକିମ ପାଖରେ ନିଜ କାମର କୈଫିୟତ୍ ଦେଇ ତାଙ୍କ ଆଦେଶ ମାନି କାମ କଲାବେଳକୁ ତା’ ମନର ଅବସ୍ଥା କ’ଣ ହେଉଥିବ? ଆଜି ଏ କାହାଣୀ ଅବାସ୍ତବ ଜଣାଯାଉଛି, ମାତ୍ର ଆସନ୍ତା କୋଡ଼ିଏ ବର୍ଷ ପରେ ଏଭଳି ଘଟଣା ଚାରିଆଡ଼େ ଘଟିବ। ଆଜହୁଁ ଆମେ ଯଦି ଏ ବିଷୟରେ ସଚେତନ ନ ହେଉ, ତେବେ ଭବିଷ୍ୟତରେ ଏପରି ଅବସ୍ଥା ହେଲେ ଭାଙ୍ଗିପଡ଼ିବୁ।

ଘରେ ରହୁଥିବା ଅଳ୍ପଶିକ୍ଷିତା ସ୍ତ୍ରୀ ବାହାହେଲେ ହୁଏତ ଏଭଳି ଅବସ୍ଥା ନ ହେଇପାରେ। ମାତ୍ର ଦେଶରେ ଆର୍ଥିକ ଅନଟନ ଯେତେ ବଢ଼ିବ, ସେତେ ପୁରୁଷଲୋକ ରୋଜଗାରିଆ ସ୍ତ୍ରୀ ବାହା ହେବାକୁ ଚାହିଁବେ। ସ୍ତ୍ରୀ ଅର୍ଜନ କରୁଥିଲେ, ଯଦି ସ୍ୱାମୀର ଦୁର୍ଘଟଣାରେ ମୃତ୍ୟୁ ହୁଏ ତା’ ହେଲେ ପରିବାର ପଥର ଭିକାରି ହେବେ ନାହିଁ। ଏହା ଜୀବନ ସମସ୍ୟାର ଏକ ତିକ୍ତ-ମଧୁର ସମାଧାନ। ପୂର୍ବେ ବାପା, ବଡ଼ବାପା ଯେବେ ଗାଁରେ ଜମିବାଡ଼ି ଛାଡ଼ି, ଯୌଥ ପରିବାରର ବନ୍ଧନ ଭାଙ୍ଗି ସହରରେ ଚାକିରି କରିବାକୁ ଆସିଲେ, ସେତେବେଳେ ଯେପରି ଏକ ନୂଆ ପରିସ୍ଥିତି ସୃଷ୍ଟି ହୋଇଥିଲା, ବର୍ତ୍ତମାନ ମଧ୍ୟ ସେହିପରି ଆମ ପୁଅ, ଝିଅ, ନାରୀ ଓ ପୁରୁଷର ସମାନପଣ ସ୍ୱୀକାର କରି ନୂଆ ପ୍ରକାର ପରିବାର ଗଢ଼ିଲା ବେଳକୁ ଅଭିନବ ତିକ୍ତ ମଧୁର ଅନୁଭୂତି ଭିତର ଦେଇ ଯିବେ।

ସାମାଜିକ ଜୀବନରେ ପୁରୁଷକୁ ବଡ଼ପଣ ଦେବା ଫଳରେ ନାରୀ ପ୍ରତି ଯେଉଁ ଅନ୍ୟାୟ ହୋଇଛି, ସେକଥା ଆମେ ସମସ୍ତେ ଜାଣୁ। ମାତ୍ର ବଡ଼ପଣ ପାଇ ପୁରୁଷ କେତେ ଅସୁବିଧାରେ ପଡ଼ିଛି, ସେକଥା କେବେହେଁ ଭାବି ଦେଖୁନା। ନିଜର ବଡ଼ପଣ ରକ୍ଷା କରିବା ପାଇଁ ପୁରୁଷ ଉପରେ ସବୁବେଳେ ଅନ୍ୟ ତୁଳନାରେ ବଡ଼ ହେବା ଲାଗି ଅହରହ ଚାପ ଦିଆଯାଉଛି। ତେଣୁ କାହାଠାରୁ ଧନରେ, ମାନରେ, ବିଦ୍ୟାରେ ଅଳ୍ପ ଉଣା ହେଲେ ତା’ର ପ୍ରାଣକୁ ବାଧେ। ପୃଥିବୀରେ ସମସ୍ତେ ତା’ର ପ୍ରତିଯୋଗୀ। ଅଥଚ ଜୀବନର ଅଭିଜ୍ଞତାରୁ ସେ ପଦେ ପଦେ ଅନୁଭବ କରେ, ସେ ପ୍ରକୃତରେ ଅନ୍ୟମାନଙ୍କ ତୁଳନାରେ ବଡ଼ ନୁହେଁ। କେତେ ବିଷୟରେ ସମକକ୍ଷ ଆଉ କେତେ ବିଷୟରେ ସେ ଅନ୍ୟଠାରୁ ଉଣା। ସ୍ତ୍ରୀଲୋକ ତଳତଳିଆ ଅବସ୍ଥାରେ ରହିଥିଲେ ନିଜର ହୀନିମାନିଆ ଜୀବନ କଥା ସମସ୍ତଙ୍କୁ କହିପାରେ। ପୁରୁଷ ଅନ୍ତରରେ ଦୈନ୍ୟ ଅନୁଭବ ସତ୍ତ୍ୱେ ମୁହଁରେ ଦମ୍ଭ ପ୍ରକାଶ କରେ। ସ୍ତ୍ରୀ ଆଖିରେ କାଳେ ଛୋଟ ହେଇଯିବ ବୋଲି ଟଙ୍କାପଇସାର ଅସୁବିଧା, ଚାକିରିର ଅସୁବିଧା କଥା ସ୍ତ୍ରୀକୁ ପ୍ରାୟ କହେ ନାହିଁ। ଚାକିରିରେ ଗଫଲତି କରି ଗାଳି ଖାଇଥିଲେ ଘରେ ସ୍ତ୍ରୀକୁ ବାଡେଇ ବା ତୋଡ଼ ଦେଖେଇ ନିଜର ବଡ଼ପଣକୁ ଦୃଢ଼ କରିବାକୁ ଚାହେ।

କେବଳ ପୁରୁଷ ନୁହେଁ ଯିଏ ଉଚ୍ଚପଦରେ ଥାଏ, ଯାହାକୁ ସମସ୍ତେ ବଡ଼ ବୋଲି ମାନନ୍ତି ଓ ଶ୍ରେଷ୍ଠ ବିଚାରନ୍ତି ସେସବୁ ପୁରୁଷ ବା ସ୍ତ୍ରୀଲୋକ ସଦାସର୍ବଦା ନିଜର ପ୍ରଶଂସା ତଳ ଲୋକଙ୍କଠାରୁ ଶୁଣିବାକୁ ଭଲ ପାଆନ୍ତି। କାରଣ ନିଜର ବଡ଼ପଣ ଅନ୍ୟର ସାନପଣ ଉପରେ ହିଁ ନିର୍ଭର କରେ। ସମକକ୍ଷ ଲୋକକୁ ଖୁବ୍ ଅଳ୍ପ ଲୋକ ଭଲ ପାଆନ୍ତି। ଦେବରାଜ ଇନ୍ଦ୍ର ସବୁବେଳେ ନିଜ ଇନ୍ଦ୍ରପଦ ଚାଲିଯିବ ବୋଲି ଆତଙ୍କିତ ହୋଇ ସମସ୍ତଙ୍କର ତପସ୍ୟା ନଷ୍ଟ କରୁଥିଲେ। ଯେମିତି ଅନ୍ୟ କେହି ତପସ୍ୟା ବଳରେ ଇନ୍ଦ୍ରପଦ ନ ପାଏ। ଯିଏ ଇନ୍ଦ୍ର ନୁହେଁ, ତା’ର ଏଭଳି ଚିନ୍ତାଦକ ନ ଥାଏ ଓ ଅନ୍ୟ ପ୍ରତି ଈର୍ଷା ମଧ୍ୟ କମିଯାଏ।

ସ୍ତ୍ରୀମାନେ ଘରର ଚାରିକୋଣରେ ବନ୍ଦୀ ହୋଇ ରହିଛନ୍ତି ସତ, ମାତ୍ର ପୁରୁଷ ତୁଳନାରେ ଜୀବନଯୁଦ୍ଧର ବହୁ କ୍ଷତ ଓ କ୍ଷତିରୁ ରକ୍ଷା ପାଇଛନ୍ତି। ଯେଉଁ ଝିଅ ଏମ୍.ଏ. ପାସ୍ କରି ଘରେ ବସିଛି, ତାକୁ କେହି ବେକାର ବୋଲି ଭାବନ୍ତି ନାହିଁ। ସେ ବାହାହେବାକୁ ଅପେକ୍ଷା କରିଛି। ଯେଉଁ ପୁଅ ଏମ୍.ଏ. ପାସ୍ କରି ବସିଛି, ତାକୁ ସମସ୍ତେ କୁହନ୍ତି ବେକାର। ଅନ୍ୟ ସମସ୍ତଙ୍କ ଆଗରେ ଘରଲୋକ ଦୁଃଖ କରି କୁହନ୍ତି- ‘ପିଲାଟା କିଛି ହେଲା ନାହିଁ।’

ପୁରୁଷର ଯଶ, ଖ୍ୟାତି, କୀର୍ତ୍ତି ଓ ଧନ ଅର୍ଜନ କରିବାର ସୁଯୋଗ ରହିଛି। ତେଣୁ ତା’ ଉପରେ ସବୁବେଳେ ଚାପ ଦିଆଯାଏ। ସେ ଜୀବନରେ ଉନ୍ନତି ନ କଲେ ଲୋକେ ତାକୁ ବେଖାତିର କରନ୍ତି। ତେଣୁ ପୁରୁଷକୁ ‘କିଛି ଗୋଟାଏ’ ଦବାକୁ ପଡ଼େ। ବାପା ଧନରେ ଯିଏ ଧନୀ ତାକୁ କେହି ସାର୍ଥକ ପୁରୁଷ ବୋଲି ଭାବନ୍ତି ନାହିଁ। ନିଜ ବଳରେ ନିଜ ଗୋଡ଼ରେ ଠିଆ ହୋଇ ସାଫଲ୍ୟ ଅର୍ଜନ କରିପାରିଲେ ଯାଇ ପୁରୁଷ ନିଜର ପୁରୁଷାର୍ଥ ପ୍ରମାଣ କରିଥାଏ।

ସବୁ ସମାଜରେ ଅଳ୍ପ ପୁରୁଷଲୋକ ହିଁ ଜୀବନର ଶୀର୍ଷ ଶିଖରରେ ପହଞ୍ଚିପାରନ୍ତି। ଅଧିକାଂଶ ଲୋକ ବହୁ ଆଶା ଆକାଂକ୍ଷା ନେଇ ଜୀବନ ଆରମ୍ଭ କରିଥାନ୍ତି ମାତ୍ର ଜୀବନରେ ବାଞ୍ଛିତ ଉନ୍ନତି କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଇନଥାଏ। ଜୀବନ ସମୁଦ୍ର ମନ୍ଥନରୁ ଯେଉଁ ନିଷ୍ଫଳତାର ବିଷ ଉଠେ, ତା’ର ଜ୍ୱାଳାରେ ଅଧିକାଂଶ ଲୋକ ଜୀବନଯାକ ଜଳିପୋଡ଼ି ହୁଅନ୍ତି। ଅମୃତ ଅଳ୍ପ ଲୋକଙ୍କ ପତ୍ରରେ ପଡ଼ିଥାଏ। ଏଥିପାଇଁ ନିଜ ଆହତ ହୃଦୟର କ୍ଷତ ବେଦନାର ଉପଶମ ଲାଗି ପୁରୁଷ ମାଆ, ଭଉଣୀ ଓ ସ୍ତ୍ରୀଠାରୁ ମମତା ଓ ଯତ୍ନ ଲୋଡ଼ିଛି।

ନାରୀ କ୍ରମଶଃ ପୁରୁଷର ପ୍ରତିଦ୍ୱନ୍ଦ୍ୱିନୀ ଭୂମିକାରେ ଅବତୀର୍ଣ୍ଣ ହେବା ଫଳରେ ପୁରୁଷ ତା’ଠାରେ ଚିରାଚରିତ ସମବେଦନା ଓ ସହାନୁଭୂତି ନ ପାଇ ଅଧିକ ବ୍ୟଥିତ ହୋଇଛି। କେଉଁଠାରୁ ସାନ୍ତ୍ୱନା ପାଇବ ସେକଥା ଜାଣିପାରୁ ନାହିଁ। ଯଦି ଆଧୁନିକ ନରନାରୀ ପରସ୍ପରର ପ୍ରତିଯୋଗୀ ହୋଇ ମଧ୍ୟ ପରସ୍ପର ପ୍ରତି ସହାନୁଭୂତିଶୀଳ ହୁଅନ୍ତି ତାହେଲେ ସେମାନଙ୍କର ମଙ୍ଗଳ ହେବ। ପରସ୍ପରକୁ ମିତ୍ର ଭାବି ପ୍ରତିଯୋଗିତା କଲେ ତା’ର ଫଳ ସେତେ ଭୟାବହ ହୁଏ ନାହିଁ।

ବର୍ତ୍ତମାନ ପାଶ୍ଚାତ୍ୟ ଦେଶରେ ନାରୀ ବହୁଯୁଗର ସଞ୍ଚିତ ଅନ୍ୟାୟର ପ୍ରତିବାଦ କରିବାକୁ ଯାଇ ପୁରୁଷ ପ୍ରତି ଅନ୍ୟାୟ କରିବାକୁ ଦ୍ୱିଧାବୋଧ କରୁନାହିଁ। ନିଜର ସ୍ୱାର୍ଥ ତିଳେ ହେଲେ ଛାଡ଼ିବାକୁ ଚାହୁ ନାହିଁ। ଫଳରେ ସେଠିକାର ସ୍ୱାମୀ-ସ୍ତ୍ରୀର ପରିବାର ଭାଙ୍ଗିଯାଉଛି। ଯୌନ ସମ୍ପର୍କରେ ସମକାମୀତା ବୃଦ୍ଧି ପାଉଛି। ପିଲାମାନେ ବାପାମାଆଙ୍କ ଆଶ୍ରୟରେ ନ ରହି ସରକାରୀ ଆଶ୍ରୟରେ ବଢ଼ୁଛନ୍ତି। ଏଇ ପିଲାମାନଙ୍କର ଶାରୀରିକ ଅଯତ୍ନ ହେଉ ନାହିଁ। ଭଲ ଖାଇ ଭଲ ପିନ୍ଧି ସେମାନେ ସୁଶ୍ରୀ ଓ ସ୍ୱାସ୍ଥ୍ୟବାନ୍ ହେଇ ବଢ଼ୁଛନ୍ତି। ମାତ୍ର ପରିବାରର ବାତାବରଣରେ ବଢ଼ୁ ନଥିବା ହେତୁ ସେମାନଙ୍କର ଚିନ୍ତା, ଆଦର୍ଶ, ମୂଲ୍ୟବୋଧ ଓ ବିବେକଜ୍ଞାନରେ ତ୍ରୁଟି ରହୁଛି। ସେମାନେ ବଡ଼ ହେଲେ ସମାଜ ସହିତ ବା ଅନ୍ୟ ଲୋକ ସହିତ ଚଳିପାରୁନାହାନ୍ତି।

ଆମ ଦେଶରେ କ’ଣ କଲେ ଏପରି ବିଷମ ପରିସ୍ଥିତି ସୃଷ୍ଟି ହେବ ନାହିଁ, ସେ ବିଷୟ ନେଇ ଆଜିଠାରୁ ଚିନ୍ତା କରିବା ଉଚିତ। ଏ ଦେଶରେ ପୁରୁଷ ଯଦି ନ୍ୟାୟନିଷ୍ଠ ନ ହୁଏ ଓ ନାରୀ ଯଦି ମମତା ତ୍ୟାଗ କରେ, ତାହେଲେ ଏଠି ମଧ୍ୟ ଏକାପରି ବିଭ୍ରାଟ ହେବ।

(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଲେଖିକା। ଦୀର୍ଘ ବର୍ଷରୁ ସେ କାନାଡାର ଆଲବର୍ଟା ସହରରେ ରହୁଛନ୍ତି। ତାଙ୍କର ବିଭିନ୍ନ ଓଡ଼ିଆ ବହି ଭିତରେ ‘କୈଶୋରରୁ ଯୌବନ’ ଏକ ଲୋକପ୍ରିୟ କୃତି। ଏହି ପୁସ୍ତକର ବିଭିନ୍ନ ଭାଗ ବା ଅଂଶକୁ ସାଧାରଣରେ ପ୍ରକାଶିତ ଓ ପ୍ରସାରିତ କରିବା ଲାଗି ଲେଖିକା ଓଡ଼ିଶାଲାଇଭକୁ ସଦୟ ଅନୁମତି ପ୍ରଦାନ କରିଛନ୍ତି। -ସମ୍ପାଦକ)

LEAVE A REPLY

Please enter your comment!
Please enter your name here