ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍‍ସ। ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମ୍ୟାଚ୍‍ରେ ଫ୍ରାନ୍‍ସ ୧-୦ ଗୋଲ୍‍ରେ ବେଲ୍‍ଜିୟମ୍‍କୁ ପରାସ୍ତ କରିଛି।

ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ପ୍ରଥମେ ପାଦ ଥାପିଛି ୧୯୯୮ ବିଜେତା ଫ୍ରାନ୍‌ସ। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଫରାସୀ ଦଳ ୧-୦ ଗୋଲ୍‌ରେ ନିଜ ୟୁରୋପୀୟ ପ୍ରତିଦ୍ୱନ୍ଦ୍ୱୀ ବେଲ୍‌ଜିୟମ୍‌କୁ ପରାସ୍ତ କରି ଦ୍ୱିତୀୟ ଥର ବିଶ୍ୱ ମୁକୁଟ ଜିତିବାର ସୁଯୋଗ ସୃଷ୍ଟି କରିଛି।

ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିବା ପରେ ୫୧ ମିନିଟରେ ଫ୍ରାନ୍‍ସର ସାମୁଏଲ୍‍ ଉମ୍‍ଟିଟି ହେଡ୍‍କରି ଏହି ଗୋଲ୍‍ଟି ଦେଇଥିଲେ।

ଫ୍ରାନ୍‍ସ ୩ୟ ଥର ପାଇଁ ବିଶ୍ୱକପ୍‍ର ଫାଇନାଲରେ ପହଞ୍ଚିଛି। ଶେଷଥର ପାଇଁ ୨୦୦୬ରେ ଫ୍ରାନ୍‍ସ ଫାଇନାଲ ଖେଳି ରନର୍ସଅପ୍‍ ହୋଇଥିଲା।

ବୁଧବାର ଖେଳାଯିବାକୁ ଥିବା ଇଂଲଣ୍ଡ-କ୍ରୋଏସିଆ ୨ୟ ସେମିଫାଇନାଲର ବିଜେତା ବିପକ୍ଷରେ ଫ୍ରାନ୍‍ସ ଫାଇନାଲ ଖେଳିବ। ୧୯୮୬ ପରେ ୨ୟ ଥର ସେମିରେ ପହଞ୍ଚିଥିବା ବେଲ୍‍ଜିୟମ୍‍ ପୁଣି ନିରାଶ ହୋଇଛି। ମ୍ୟାଚ୍‍ ଆରମ୍ଭରୁ ବେଲ୍‍ଜିୟମ୍‍ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଫ୍ରାନ୍‍ସକୁ ବ୍ୟତିବ୍ୟସ୍ତ କରି ପକାଇଥିଲା। ଘନଘନ ଆକ୍ରମଣ କରି ଫାନ୍‍ସକୁ ଚାପରେ ରଖି ପାରିଥିଲା ବେଲ୍‍ଜିୟମ୍‍।

୧୫ ମିନିଟରେ ବେଲ୍‍ଜିୟମ୍‍କୁ ଗୋଲ୍‍ଦେବାର ପ୍ରଥମ ସୁଯୋଗ ମିଳିଥିଲା। ବେଲ୍‍ଜିୟମ୍‍ ଅଧିନାୟକ ଏଡେନ୍‍ ହାଜାର୍ଡଙ୍କ ସଟ୍‍ ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା।

୧୯ ମିନିଟରେ ହାଜାର୍ଡଙ୍କ ସଟ୍‍କୁ ବେଲ୍‍ଜିୟମ୍‍ ଡିଫେଣ୍ଡର ହେଡ୍‍କରି ଗୋଲ୍‍ପୋଷ୍ଟ ସମ୍ମୁଖରୁ ବାହାର କରି ଦେଇଥିଲେ।

୨୨ ମିନିଟରେ ଚମତ୍କାର ଢଙ୍ଗରେ ଫ୍ରାନ୍‍ସର ଗୋଲ୍‍ରକ୍ଷକ ହ୍ୟୁଗୋ ଲରିସ୍‍ ନିଶ୍ଚିତ ଗୋଲ୍‍ ବଞ୍ଚାଇ ଦେଇଥିଲେ। କର୍ଣ୍ଣର କିକ୍‍ରୁ ବଲ୍‍ ପାଇ ବେଲ୍‍ଜିୟମ୍‍ ଡିଫେଣ୍ଡର ଟୋବି ଆଲ୍‍ଡରୱିରେଲ୍‍ଡ ଏକ ଜୋରଦାର ସଟ୍‍ ମାରିଥିଲେ ହେଁ ଲରିସ୍‍ ଡାହାଣକୁ ଡାଇଭ୍‍ମାରି ବଲ୍‍କୁ ବାହାର କରି ଦେଇଥିଲେ।

୨୮ ମିନିଟରେ ବେଲ୍‍ଜିୟମ୍‍ର କେଭିନ୍‍ ଡି ବ୍ରୁଇନ୍‍ଙ୍କ ପ୍ରୟାସକୁ ଫାନ୍‍ସ ଡିଫେଣ୍ଡର ରୋକି ଦେଇଥିଲେ। ମ୍ୟାଚ୍‍ର ଅଧଘଣ୍ଟା ପରେ ଫ୍ରାନ୍‍ସ ଲୟକୁ ଆସିଥିଲା ଏବଂ ପ୍ରତ୍ୟାକ୍ରମଣ କରିଥିଲା।

୩୩ ମିନିଟରେ ଫ୍ରାନ୍‍ସର ତାରକା ଫରୱାର୍ଡ ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ୍‍ଙ୍କ ସଟ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା।

୩୪ ମିନିଟରେ କିଲିଆନ୍‍ ଏମ୍‍ବାପେଙ୍କଠାରୁ ପାସ୍‍ ପାଇ ଫ୍ରାନ୍‍ସର ଅଭିଜ୍ଞ ଖେଳାଳି ଅଲିଭର ଜିରୌଡ୍‍ ଗୋଲ୍‍ପୋଷ୍ଟ ବାହାରେ ସଟ୍‍ ମାରିଥିଲେ।

୩୭ ମିନଟରେ ଆଣ୍ଟୋଏନ୍‍ ଗ୍ରିଜ୍‍ମ୍ୟାନ୍‍ଙ୍କୁ କେବଳ ଗୋଲ୍‍ରକ୍ଷକଙ୍କୁ ପରାସ୍ତ କରିବାର ଥିଲେ ହେଁ ତାଙ୍କ ଦୁର୍ବଳ ସଟ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା।

୩୯ ମିନିଟରେ ଫ୍ରାନ୍‍ସର ବେଞ୍ଜାମିନ୍‍ ପାଭାର୍ଡ ଗୋଲ୍‍ପୋଷ୍ଟକୁ ସଟ୍‍ ମାରିଥିଲେ ହେଁ ବେଲ୍‍ଜିୟମ୍‍ ଗୋଲ୍‍ରକ୍ଷକ ଥିବାଓ କୋର୍ଟୋଆ ଡାଇଭ୍‍ ମାରି ଏହାକୁ ରୋକି ଦେଇଥିଲେ।

୪୫ ମିନିଟରେ ବେଲ୍‍ଜିୟମ୍‍ର ରୋମେଲୁ ଲୁକାକୁଙ୍କ ପାଖକୁ ଆସିଥିବା ବଲ୍‍କୁ ସେ ବୁଝି ପାରିନଥିଲେ। ଏହିପରି ଉଭୟ ଦଳ ପ୍ରଥମାର୍ଦ୍ଧରେ ଏକାଧିକ ସୁଯୋଗ ପାଇଥିଲେ ହେଁ ଗୋଲ୍‍ ହୋଇନଥିଲା।

ଦ୍ୱିତୀୟାର୍ଦ୍ଧରେ ଆରମ୍ଭରୁ ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା।

୪୮ ମିନିଟ୍‍ରେ ବେଲ୍‍ଜିୟମ୍‍ ଆକ୍ରମଣରୁ ରୋମେଲୁ ଲୁକାକୁ ହେଡ୍‍ କରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା।

୫୧ ମିନିଟରେ ଫ୍ରାନ୍‍ସ ଗୋଲ୍‍ଦେଇ ଆଗୁଆ ହୋଇ ଯାଇଥିଲା। ଗ୍ରିଜ୍‍ମ୍ୟାନ୍‍ଙ୍କ କର୍ଣ୍ଣର କିକ୍‍କୁ ଗୋଲ୍‍ପୋଷ୍ଟର ଅତି ନିକଟରୁ ଫ୍ରାନ୍‍ସର ସାମୁଏଲ୍‍ ଉମ୍‍ଟିଟି ହେଡ୍‍କରି ଏହି ଗୋଲ୍‍ଟି ସ୍କୋର କରିଥିଲେ।

୫୬ ମିନିଟରେ ଫ୍ରାନ୍‍ସ ଆଉ ଏକ ଗୋଲ୍‍ଦେବାର ସୁଯୋଗ ଛାଡ଼ିଥିଲା। ଫ୍ରାନ୍‍ସର ଅଭିଭର ଜିରୌଡ୍‍ଙ୍କୁ ଗୋଲ୍‍ଦେବାରୁ ରୋକିଥିଲେ ବେଲ୍‍ଜିୟମ୍‍ ଡିଫେଣ୍ଡର ଡାମ୍ବେଲେ।

୬୧ ମିନିଟରେ ବେଲ୍‍ଜିୟମ୍‍ର କେଭିନ୍‍ ଡି ବ୍ରୁଇନ୍‍ ସଠିକ୍‍ ଭାବେ ସଟ୍‍ ମାରି ପାରିନଥିଲେ ଏବଂ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ଏହାସହ ବେଲ୍‍ଜିୟମ୍‍ର ଆକ୍ରମଣ ଜାରି ରହିଥିଲା।

୬୫ ମିନିଟରେ ଫ୍ରାନ୍‍ସ ଗୋଲ୍‍ରକ୍ଷକ ଡ୍ରାଇଜ୍‍ ମର୍ଟେନ୍‍ସଙ୍କ କ୍ରସ୍‍କୁ ବାହାର କରି ଦେଇଥିଲେ। ୬୫ ମିନିଟରେ ବେଲ୍‍ଜିୟମ୍‍ର ମାରାଓନେ ଫେଲାଇନି ଜୋରଦାର ହେଡର ମାରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୬୭ ମିନିଟରେ ଗ୍ରିଜ୍‍ମ୍ୟାନ୍‍ଙ୍କ ପାସ୍‍ରୁ ଫ୍ରାନ୍‍ସର ସାଥୀ ଖେଳାଳି ଅଲିଭର ଜିରୌଡ୍‍ଙ୍କ ସଟ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା।

୭୯ ମିନିଟରେ ଫ୍ରାନ୍‍ସର ପଲ୍‍ ପୋଗ୍‍ବାଙ୍କ ହେଡର ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ଶେଷ ୧୦ ମିନିଟରେ ବେଲ୍‍ଜିୟମ୍‍ ଚାପ ପକାଇ ଖେଳିଥିଲା। ୮୧ ମିନିଟରେ ବେଲ୍‍ଜିୟମ୍‍ର ଆକ୍ସେଲ ୱିଟ୍‍ସେଲଙ୍କ ଜୋର୍‍ଦାର ସଟ୍‍କୁ ଫ୍ରାନ୍‍ସ ଗୋଲ୍‍ରକ୍ଷକ ହ୍ୟୁଗୋ ଲରିସ୍‍ ବାହାର କରି ଦେଇଥିଲେ।

Comment