ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆନ୍ଧ୍ର ମାଛରେ ମିଶୁଛି ମାରାତ୍ମକ ଫର୍ମାଲିନ ଡିହାଇଡ୍ କେମିକାଲ୍
  • ଆସାମ ସରକାର ବ୍ୟାନ୍‌ କଲେ ଆନ୍ଧ୍ର ମାଛ
  • ୧୦ ଦିନ ପାଇଁ କଟକଣା ଜାରି କଲେ
  • ନିୟମ ଉଲ୍ଲଂଘନ କଲେ ଜରିମାନା ଏବଂ ଜେଲ୍‌ ଦଣ୍ଡ
  • ଚେତିଲେ ଓଡ଼ିଶା ସରକାର
  • ମାଛ ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଆନ୍ଧ୍ର ମାଛକୁ ବ୍ୟାନ୍ କରିଛନ୍ତି ଆସାମ ସରକାର। ଆନ୍ଧ୍ର ମାଛରେ ବିଷାକ୍ତ ଫର୍ମାଲିନ୍ ଡିହାଇଡ୍ କେମିକାଲ ମିଶୁଥିବା ଜଣାପଡ଼ିବା ପରେ ଆସାମରେ ୧୦ ଦିନ ପାଇଁ ଆନ୍ଧ୍ରରୁ ମାଛ ଆମଦାନୀ ଉପରେ କଟକଣା ଜାରି କରାଯାଇଛି। ଏହି କେମିକାଲ ଯୋଗୁଁ କ୍ୟାନସର ହେଉଥିବା ଅଭିଯୋଗ ହୋଇଛି।

ଆସାମ ସରକାର ଆନ୍ଧ୍ର ମାଛ ଆମଦନୀ ଉପରେ କଟକଣା ଲଗାଇବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି। ଓଡ଼ିଶାକୁ ଆସୁଥିବା ଆନ୍ଧ୍ର ମାଛର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ମାଛକୁ ଅଧିକ ଦିନ ସତେଜ ରଖିବା ପାଇଁ ଫର୍ମାଲିନ ଡିହାଇଡ୍ କେମିକାଲ ମିଶାଯାଏ। ଏହି କେମିକାଲ ଶରୀରକୁ ଗଲେ ପେଟ ରୋଗ ଦେଖାଦିଏ ଏବଂ ପରେ କ୍ୟାନସର ହେବାର ଅଧିକ ସମ୍ଭାବନା ରହିଛି। ଆସାମକୁ ଆସୁଥିବା ମାଛରେ ଏହି କେମିକାଲ ପ୍ରବଳ ମିଶା ଯାଉଥିବା ଅଭିଯୋଗ ହେବା ପରେ ସରକାର ପରୀକ୍ଷାଗାରକୁ ନମୁନା ପଠାଇଥିଲେ। ରିପୋର୍ଟକୁ ଆଧାର କରି ସରକାର ଏହି ପଦକ୍ଷେପ ନେଇଛନ୍ତି।

ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରି ଫର୍ମାଲି କେମିକାଲ ମିଶା ମାଛ ବିକ୍ରି କରିବେ ସେମାନଙ୍କୁ ଜେଲ୍‌ ଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜରିମାନା ଦେବା ପାଇଁ କୁହାଯାଇଛି।

ଆସାମ ସରକାରଙ୍କ ଏହି କଟକଣା ପରେ ଓଡ଼ିଶା ସରକାର ତତ୍ପର ହୋଇ ଉଠିଛନ୍ତି।

ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, “ଆନ୍ଧ୍ର ମାଛରେ ଫର୍ମାଲିନ୍ କେମିକାଲ ମିଶିବା ଜଣାପଡ଼ିବା ପରେ ସରକାର ଏ ବିଷୟରେ ସତର୍କ ହୋଇଛନ୍ତି। ଏ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ମତ୍ସ୍ୟ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାଛ ନମୁନା ପରୀକ୍ଷାଗାରକୁ ପଠାଯିବ। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।”

Comment