ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ଓଡ଼ିଶାରେ ପ୍ଲାଷ୍ଟିକ ଏବଂ ପଲିଥିନ ନିଷେଧ କରିବାକୁ ଘୋଷଣା କରିବା ପରେ ବିଭିନ୍ନ ମହଲରେ ଦ୍ୱନ୍ଦ୍ୱ ଦେଖାଦେଇଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ୨ ତାରିଖରୁ ସମଗ୍ର ରାଜ୍ୟରେ ପ୍ଲାଷ୍ଟିକର ବ୍ୟବହାରକୁ ନିଷେଧ କରାଯାଇଛି। ଗାନ୍ଧି ଜୟନ୍ତୀଠାରୁ ପ୍ଲାଷ୍ଟିକ ମୁଣି, ଫିଙ୍ଗା ହେଉଥିବା ପ୍ଲାଷ୍ଟିକ, ପଲିଥିନ ଜରି ଆଦିକୁ ବ୍ୟାନ କରିଛନ୍ତି ସରକାର।

ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ପ୍ଲାଷ୍ଟିକର ବ୍ୟବହାରକୁ ଆଗରୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରାଜଧାନୀ ଭୁବନେଶ୍ୱରରେ ପ୍ଲାଷ୍ଟିକ ବ୍ୟାନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଲୋକେ ଠଉରେଇ ପାରୁନାହାନ୍ତି ଆଉ ୩ ମାସ ପରେ ପରିସ୍ଥିତି କ’ଣ ହେବ? ମଧ୍ୟମ ଧରଣର ଶିଳ୍ପ, ଛୋଟ ବ୍ୟବସାୟୀ ଓ ଏପରିକି ଉପଭୋକ୍ତା ବି ଟେର ପାଉନାହାନ୍ତି ପ୍ଲାଷ୍ଟିକ ବନ୍ଦ ହେଲେ କି ପ୍ରକାର ବିକଳ୍ପ ପନ୍ଥା ଅବଲମ୍ବନ କରାଯିବ? ଯେହେତୁ ପ୍ଲାଷ୍ଟିକର ବ୍ୟବହାର ସର୍ବବ୍ୟାପୀ, କେଉଁ ପ୍ଲାଷ୍ଟିକକୁ ବନ୍ଦ କରାଯିବ ଓ କେଉଁଟି ରହିବ ସେ ନେଇ ସରକାରୀ ସ୍ତରରେ ବି ସ୍ପଷ୍ଟତା ନାହିଁ। ବ୍ୟାନ ଘୋଷଣା ପରେ ରାଜଧାନୀର କିଛି ବ୍ୟବସାୟୀ ଏ ନେଇ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ପ୍ଲାଷ୍ଟିକ ବ୍ୟାଗ ବଦଳରେ ଲାଇନେନ୍ ଓ କାଗଜ ବ୍ୟାଗ ଗ୍ରାହକଙ୍କୁ ଦେବା ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି। କିନ୍ତୁ ସମସ୍ୟା ସୃଷ୍ଟି ହୋଇଛି ପ୍ଲାଷ୍ଟିକ ପାଉଚ ଓ ଜରିରେ ଯେଉଁମାନେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି ସେମାନେ କ’ଣ କରିବେ?

‘ପାଣ୍ଟାଲୁନ’ର ସେଲସ ମ୍ୟାନେଜର ଦୀପକ ଦାଶ କହିଛନ୍ତି, “ସରକାରୀ ଘୋଷଣା ପରେ ଆମେ ଗ୍ରାହକଙ୍କୁ କାଗଜ ନିର୍ମିତ ବ୍ୟାଗରେ ସାମଗ୍ରୀ ଦେବା ପାଇଁ ଠିକ୍ କରିଛୁ। କିନ୍ତୁ ଯେଉଁଗୁଡ଼ିକ ଅଦ୍ୟାବଧି ପ୍ଲାଷ୍ଟିକ ବ୍ୟାଗରେ ରହିଛି ତାକୁ କ’ଣ କରାଯିବ ଜାଣି ପାରୁନାହୁଁ। ଏନେଇ ଆମେ ଆମ ପାର୍ଟିମାନଙ୍କ ସହ ଆଲୋଚନା କରିବୁ।”

ବେକେରୀ ମାଲିକ ମାନଙ୍କର ମଧ୍ୟ ଏକା ଅବସ୍ଥା। ଯେହେତୁ ବେକେରୀ ଖାଦ୍ୟ ସାମଗ୍ରୀ କେବଳ ପ୍ଲାଷ୍ଟିକ ଜରିରେ ଆସିଥାଏ,ସେମାନେ ଏବେ କ’ଣ କରିବେ ତାହା ଏକ ପ୍ରଶ୍ନବାଚୀ। ସୂର୍ଯ୍ୟ ନଗରର ଜଣେ ବେକେରୀ ମାଲିକ କହିଛନ୍ତି ବିନା ପ୍ଲାଷ୍ଟିକରେ ଖାଦ୍ୟ ପଦାର୍ଥ ନଷ୍ଟ ହେବାର ସମ୍ଭାବନା ରହିଛି। ଏହାର ବିକଳ୍ପ କ’ଣ ସରକାର କୁହନ୍ତୁ ବୋଲି ମତ ଦେଇଛନ୍ତି ଦୋକାନୀ ଦିବାକର ସାହୁ।

ରାସ୍ତା କଡ଼ରେ ଥିବା ଠେଲା ଦୋକାନୀମାନେ ମଧ୍ୟ ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି। ପ୍ଲାଷ୍ଟିକ କପ, ପ୍ଲାଷ୍ଟିକ ଥାଳିରେ ଖାଦ୍ୟ ସାମଗ୍ରୀ ବିକୁଥିବା ବ୍ୟବସାୟୀ ମାନେ ଚିନ୍ତାରେ ପଡିଯାଇଛନ୍ତି ଯେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲେ ସେମାନଙ୍କ ପେଟ ପୋଷିବା କଷ୍ଟସାଧ୍ୟ ହୋଇପଡ଼ିବ। ପରିବା ଓ ଫଳ ବେପାରୀମାନେ କିନ୍ତୁ ଏଥିରେ ଟିକେ ହାଲ୍‌କା ହୋଇଯାଇଛନ୍ତି।

ୟୁନିଟ ୨ ମାର୍କେଟର ପରିବା ବ୍ୟବସାୟୀ ବୀରେନ୍ଦ୍ର ଜେନା କହିଛନ୍ତି ଆମେ ସବୁବେଳେ ଗ୍ରାହକଙ୍କୁ କହୁଛୁ ଘରୁ ବ୍ୟାଗ ଆଣିବା ପାଇଁ। କିନ୍ତୁ କେହି ଆଣନ୍ତିନି ଓ ଜରି ମାଗନ୍ତି। ପଲିଥିନ ବ୍ୟାନ ପରେ ଏଣିକି ଗ୍ରାହକମାନେ ସେମାନଙ୍କ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

ପରିବେଶବିତମାନେ ପ୍ଲାଷ୍ଟିକ ବ୍ୟାନ ସଂକ୍ରାନ୍ତ ସରକାରୀ ଘୋଷଣାକୁ ସ୍ୱାଗତ କରିଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ବିସ୍ତୃତ ନିୟମାବଳୀ ଆସିବା ଦରକାର ବୋଲି କହିଛନ୍ତି କିଛି ପରିବେଶବିତ। ଲୋକେ କ’ଣ ବ୍ୟବହାର କରିବେ ଓ ନକରିବେ ତାହାର ସୂଚନା ଦିଆନଯିବା ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ ବୋଲି ସେମାନଙ୍କ ମତ।

ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି, “ପ୍ଲାଷ୍ଟିକ ନିଷିଦ୍ଧ ଘୋଷଣାକୁ ନେଇ ଲୋକଙ୍କ ଭିତରେ ସଚେତନତା ଆଣିବା ପାଇଁ ବିଏମସି କିଛି କାର୍ଯ୍ୟକ୍ରମ ଆରମ୍ଭ କରିବ। ମହାରାଷ୍ଟ୍ର ସରକାର ନିକଟରେ ସମସ୍ତ ପ୍ରକାର ପ୍ଲାଷ୍ଟିକ ଓ ପଲିପ୍ରପାଇନ୍ ବ୍ୟାଗକୁ ବ୍ୟାନ କରିଛନ୍ତି। ଜିନିଷ ପତ୍ର ବୋହିବା, ପ୍ୟାକ କରିବା ପାଇଁ ପ୍ଲାଷ୍ଟିକକୁ ଆଦୌ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପଇଡ଼ ପିଇବା ପାଇଁ ବ୍ୟବହାର କରୁଥିବା ଷ୍ଟ୍ର ଠାରୁ ଆରମ୍ଭ କରି ପାଣି ପାଉଚ ପର୍ଯ୍ୟନ୍ତ ସବୁ ବ୍ୟାନ କରାଯାଇଛି।

ଉତ୍ତର ପ୍ରଦେଶ ସରକାର ମଧ୍ୟ ସବୁ ରକମର ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି। ବ୍ୟାନ ଭଲ ହେଲା, ତେବେ କ’ଣ କ’ଣ ବ୍ୟାନ ହେଲା ସେ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିବା ସହ ବିକଳ୍ପ କ’ଣ ରହିଛି ସେ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରିବା ଦରକାର ବୋଲି ସମୂହରେ ମତ ପ୍ରକାଶ ପାଇଛି।

Comment