ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୁଅ ହେଉଛନ୍ତି ଅମରେନ୍ଦ୍ର ସାହୁ। ଆଜି ସେ ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ ଭାବେ ଖ୍ୟାତିଲାଭ କରିପାରିଛନ୍ତି। ଦିନଥିଲା ସେ ଭଲ ଭାବରେ ଇଂରାଜୀ କହି ପାରୁନଥିଲେ। ହିନ୍ଦୀ ବୁଝି ପାରୁଥିଲେ ମଧ୍ୟ କାହା ଆଗରେ ପ୍ରକାଶ କରିବାକୁ ଡରୁଥିଲେ। କିନ୍ତୁ ଏବେ ସେ ବେଙ୍ଗାଳୁରୁ ବେସ୍‌ଡ ଷ୍ଟାର୍ଟଅପ୍ ‘ନେଷ୍ଟଆୱେ’ର ସିଇଓ ତଥା ଓଡ଼ିଶାର ଜଣେ ସଫଳ ଯୁବ ଉଦ୍ୟୋଗୀ । ଅମରେନ୍ଦ୍ର ସାହୁ କେମିତି ଇଂରାଜୀ କହିବା ଶିଖିଥିଲେ ଜାଣନ୍ତୁ?
କେମିତି ଇଂରାଜୀ କହିବା ଆରମ୍ଭ କଲେ ଅମରେନ୍ଦ୍ର?

ଭଦ୍ରକ ଜିଲ୍ଲା ଚରମ୍ପା ସରକାରୀ ସ୍କୁଲରେ ପାଠ ପଢ଼ୁଥିଲେ ଅମରେନ୍ଦ୍ର ସାହୁ। ସେ ସବୁବେଳେ ସ୍କୁଲରେ ପ୍ରଥମ ସ୍ଥାନରେ ରହୁଥିଲେ । ଏମିତିକି ଦଶମ ବୋର୍ଡ ପରୀକ୍ଷାରେ ସାରା ରାଜ୍ୟରେ ୧୯ନମ୍ବର ରାଙ୍କରେ ମଧ୍ୟ ରହିଥିଲେ। ଯୁକ୍ତ ୨ ପଢ଼ିବା ପାଇଁ ଭଦ୍ରକ କଲେଜରେ ନାମ ଲେଖାଇଲେ। ସେଠାରେ ମଧ୍ୟ ନିଜ ପଢ଼ା ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଲେ। ସୌଭାଗ୍ୟବସତଃ ଯୁକ୍ତ ୨ ବୋର୍ଡ ପରୀକ୍ଷାରେ ରାଜ୍ୟରେ ଷଷ୍ଠ ସ୍ଥାନ ହାସଲ କଲେ।

୧୯୯୯ ମସିହା ଓଜେଇଇ ପରୀକ୍ଷାରେ ୩୦୭ ରାଙ୍କରେ ରହିଥିଲେ ଅମରେନ୍ଦ୍ର ସାହୁ। ଆଇଆଇଟିରେ ତାଙ୍କର ୨୯୩୪ ରାଙ୍କ ରହିଥିଲା। ଅମରେନ୍ଦ୍ର ଏଥିରେ ସନ୍ତୁଷ୍ଟ ନହୋଇ ପୁଣିଥରେ ଓଜେଇଇ ଓ ଆଇଆଇଟି ପରୀକ୍ଷା ଦେଇଥିଲେ। ପରମୁହୂର୍ତ୍ତରେ ଭଲ ରାଙ୍କ ରଖି ଏନଆଇଆଇଟି ସୁରଥକଲରେ କମ୍ପୁଟର ସାଇନ୍ସରେ ଆଡ୍‌ମିଶନ କଲେ। ସେହି କଲେଜରେ ସବୁ ରାଜ୍ୟର ଟପ୍ପରମାନେ ଆଡ୍‌ମିଶନ କରିଥିଲେ। ସମସ୍ତେ ଇଂରାଜୀରେ କଥାବାର୍ତ୍ତା ହେଉଥାନ୍ତି। ଅଧ୍ୟାପକମାନେ ମଧ୍ୟ ଇଂରାଜୀରେ ପାଠ ପଢ଼ାଉଥାନ୍ତି। କିନ୍ତୁ ସେତେବେଳକୁ ଅମରେନ୍ଦ୍ରଙ୍କୁ ଭଲ ଭାବରେ ଇଂରାଜୀ କହିବା ଜଣାନଥିଲା। ତେଣୁ ସେ କ୍ଲାସରେ କେବଳ ଚୁପ୍‌ଚାପ୍ ବସି ଶୁଣୁଥିଲେ। ଯଦିଓ ସେ ହିନ୍ଦୀ ବୁଝିପାରୁଥିଲେ କିନ୍ତୁ କହିବା ଜଣାନଥିଲା।

ଦିନେ ସେ ତାଙ୍କ ବାପାଙ୍କୁ ଓଡ଼ିଆରୁ ଇଂରାଜୀ ଶିକ୍ଷା ଅଭିଧାନ ପଠାଇବା ପାଇଁ କହିଥିଲେ। ସବୁ ସାଙ୍ଗମାନେ ଶୋଇବା ପରେ ଗୋଟିଏ ଇଂରାଜୀ ଖବରକାଗଜ ଧରି ଅଜଣା ଶବ୍ଦକୁ ପେନ୍‌ସିଲରେ ଗୋଲ ବୁଲାଇ, ପରେ ତାହାର ଅର୍ଥ ବାହାର କରି ବୁଝୁଥିଲେ। ଏହା ଧିରେଧିରେ ଅମରେନ୍ଦ୍ରଙ୍କର ଅଭ୍ୟାସରେ ପରିଣତ ହେଲା। ଏହିଭଳି ଅଭ୍ୟାସ ଦ୍ୱାରା ତାଙ୍କର ୬ମାସ ଭିତରେ ଇଂରାଜୀରେ ସୁଧାର ଆସିଯାଇଥିଲା। ଇଂରାଜୀ ଶିଖି ଅନ୍ୟ ଆଗରେ କହିବାର ଇଚ୍ଛାଶକ୍ତି, ଆଜି ତାଙ୍କୁ ବାସ୍ତବରେ ଅନ୍ତର୍ଜାତୀୟ ସ୍ତରରେ ଏକ ସଫଳ ଉଦ୍ୟୋଗୀ କରି ଗଢ଼ିତୋଳିଛି।‘ନେଷ୍ଟଆଓ୍ୱେ’ କ’ଣ?

ଅଜଣା ସହରରେ ନିଜ ପାଇଁ ଏକ ଭଡ଼ା ଘର ଖୋଜିବା ଏକ ବଡ଼ ସମସ୍ୟା ହୋଇଥାଏ। ଏହି ସମସ୍ୟାର ଏକ ସହଜ ସମାଧାନ ସୂତ୍ର ବାହାର କରି ଅମରେନ୍ଦ୍ର ସାହୁ ଷ୍ଟାର୍ଟଅପ୍‌ ‘ନେଷ୍ଟଆଓ୍ୱେ’ ଆରମ୍ଭ କରିଥିଲେ। ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ନେଷ୍ଟଆଓ୍ୱେ’ ମାଧ୍ୟମରେ ଜଣେ ଅତି ସହଜରେ ଭଡ଼ାଘର ପାଇପାରୁଛନ୍ତି।

(ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ଇଣ୍ଡଷ୍ଟ୍ରି ପାର୍ଟନର୍‌: ଇମ୍ଫା, ଟାଇ ଭୁବନେଶ୍ୱର, ଫିକି। ପ୍ରିଣ୍ଟ ପାର୍ଟନର: ସମ୍ବାଦ। ରେଡିଓ ପାର୍ଟନର: ରେଡିଓ ଚକ୍‌ଲେଟ୍‌, କମ୍ୟୁନିଟି ରେଡିଓ ପାର୍ଟନର୍‌: ରେଡିଓ ନମସ୍କାର, ରେଡିଓ ସୁରଭି। ଓଡ଼ିଶାଲାଇଭର ୟୁଟ୍ୟବ୍ ଓ ଫେସବୁକ ପେଜ୍‌ରେ ପ୍ରତି ମାସ ୧ ତାରିଖରେ ଷ୍ଟାର୍ଟଅପ୍‌ ଷ୍ଟୋରିର ନୂଆ ନୂଆ ଅଧ୍ୟାୟ ପ୍ରସାରିତ ହେଉଛି।)

Comment