ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି
  • ସାଢ଼େ ୯ଟାରେ ପହଣ୍ଡି, ୪ଟାରୁ ରଥଟଣା
  • ପୁରୀରେ ପୋଲିସ ଛାଉଣୀ
  • ଶ୍ରୀକ୍ଷେତ୍ରରେ ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
  • ସିସିଟିଭି ନଜରରେ ରହିବ ପୁରୀ ସହର

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଭକ୍ତଙ୍କ ମେଳକୁ ଚାଲି ଆସିବେ ଭାବର ଠାକୁର। ଏଥିପାଇଁ ରଥ, ପଥ ପ୍ରସ୍ତୁତ ହୋଇ ରହିଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ତିନି ରଥ ଦକ୍ଷିଣ ମୋଡ଼ କରାଯାଇ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି। ମହାପ୍ରଭୁଙ୍କୁ ଅପେକ୍ଷା କରି ରହିଛନ୍ତି ତିନି ରଥ।

ରଥରେ ବିଜେ କରି କାଳିଆ ସାଆନ୍ତ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ପୁରୀ ଧିରେ ଧିରେ ଲୋକାରଣ୍ୟ ହୋଇଗଲାଣି। ଭାବର ଠାକୁରଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ଭକ୍ତ ଅପେକ୍ଷା କରି ରହିଛନ୍ତି।

୧୫ ଦିନ ଅଣସର ଘରେ ରହିବା ପରେ ଆଜି ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି। ସକାଳ ୧୦ଟାରୁ ଏହି ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ନବଯୌବନ ଦର୍ଶନ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ପରିମାଣି ଦର୍ଶନ ପରେ ସାହାଣମେଲା ଦର୍ଶନ କରିଥିଲେ।

ରାତି ୧୦ଟା ପରେ ନବଯୌବନ ଦର୍ଶନ ଶେଷ ହେବା ପରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ।

ଶନିବାର ଭୋର୍‌ରୁ ଶ୍ରୀଜୀଉଙ୍କ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡି ନୀତି ଆରମ୍ଭ ହେବ। ସକାଳ ସାଢ଼େ ୯ଟାରୁ ମହାପ୍ରଭୁଙ୍କ ପହଣ୍ଡି ଏବଂ ୪ଟାରେ ରଥଟଣା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ କରିଛି।

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ପୋଲିସ ଛାଉଣୀ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ୧୦୦୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହାସହ ୧୦୦୦ ହୋମଗାର୍ଡ, ୨ ୟୁନିଟ୍ ରାପିଡ ଆକ୍ସନ ଫୋର୍ସ ଏବଂ ୨ ୟୁନିଟ ସ୍ୱିଫ୍ଟ ଆକ୍ସନ ଫୋର୍ସ ମୁତୟନ କରାଯାଇଛି।

ସମୁଦ୍ର କୂଳ, ବଡ଼ଦାଣ୍ଡ, ରେଳ ଷ୍ଟେସନ ଏବଂ ବସ୍‌ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ସମେତ ରଥ ଏବଂ ଗୁଣ୍ଡିଚା ମନ୍ଦିର ସିସିଟିଭି ନଜରରେ ରହିବ। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 

Comment