ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଦ୍ଧାରିତ ସମୟ ପୂର୍ବରୁ ଶରଧାବାଲିରେ ଲାଗିଲା ରଥ। ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଲାଗିଥିଲା। ପଛରେ ଆସୁଥିବା ଜଗନ୍ନାଥଙ୍କ ରଥ ବଳଗଣ୍ଡି ଛକରେ ଅଟକି ଯାଇଛି। ରବିବାର ନନ୍ଦିଘୋଷ ଗୁଣ୍ଡିଚାବାଡ଼ିରେ ପହଞ୍ଚିବ। ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ତିନି ରଥକୁ ଟାଣି ନେଇଥିଲେ।

ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ରଥଟଣା ହୋଇଥିଲା। ଅପରାହ୍ଣ ୨ଟା୪୦ରେ ବଳଭଦ୍ରଙ୍କ ରଥ ଟଣା ହୋଇଥିଲା। ଏହାର କିଛି ସମୟ ପରେ ସୁଭଦ୍ରାଙ୍କ ରଥ ଏବଂ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା। ବର୍ଷାକୁ ଖାତିର ନକରି ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ।

ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ମେଳରେ ରହିରହି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।

ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନଅଦିନ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି କାଳିଆ ଠାକୁର। ଏଥିପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି।

ଘଣ୍ଟ ଓ ହୁଳାହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡଦାଣ୍ଡ। ସକାଳୁ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି କାର୍ଯ୍ୟ ଶେଷ ହୋଇଥିଲା।

ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିକରି ଦେବୀଦଳନ ରଥକୁ ଅଣାଯାଇଥିଲା। ପରେ ସୁଭଦ୍ରାଙ୍କୁ ଦେବଦଳନ, ତାଳଧ୍ଵଜ ରଥରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ନନ୍ଦିଘୋଷ ରଥରେ ରଥାରୂଢ କରାଇଥିଲେ ସେବକମାନେ।

ଏହାପରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ରଥ ପରିକ୍ରମା କରିଥିଲେ। ସହଯୋଗୀମାନଙ୍କ ସହ ତିନିରଥକୁ ବୁଲି ଆଶୀର୍ବାଦ ଭିକ୍ଷା କରିଥିଲେ ଶଙ୍କରାଚାର୍ଯ୍ୟ।

ତିନିଠାକୁରଙ୍କ ରଥାରୂଢ ପରେ ଆରମ୍ଭ ହୋଇଥିଲା ଗଜପତି ମହାରାଜଙ୍କ ଛେରାପହଁରା ସେବା। ପ୍ରଥମେ ଗଜପତି ମହାରାଜ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିସାରିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ। ଏହାପରେ ବଳଭଦ୍ର ରଥକୁ ଯାଇ ଛେରାପହଁରା କରିଥିଲେ ଗଜପତି ମହାରାଜ। ଏହାପରେ ତିନି ରଥରେ ଘୋଡ଼ା ଯୋଖା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ରଥଯାତ୍ରାର ସିଧାପ୍ରସାରଣ ଲକ୍ଷଲକ୍ଷ ଦର୍ଶକ ଟେଲିଭଜନ ଚ୍ୟାନେଲ ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ଦେଖୁଛନ୍ତି।

ଶ୍ରୀକ୍ଷେତ୍ର ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ଓଡ଼ିଶାଲାଇଭ୍‌ ଡିଜିଟାଲ ପୋର୍ଟାଲ (www.odisha.live), ୟୁଟ୍ୟୁବ ଚ୍ୟାନେଲ (www.youtube.com/odishalive) ଏବଂ ଫେସବୁକ୍ ପେଜ୍ (www.facebook.com/odishalive) ମାଧ୍ୟମରେ ଆପଣମାନଙ୍କ ପାଖରେ ପହଞ୍ଚୁଛି।

Comment