ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭକ୍ତଙ୍କ ଗହଣରେ ମହାପ୍ରଭୁ। ରତ୍ନବେଦୀ ଛାଡ଼ି ଶ୍ରୀଜୀଉ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବାରୁ ଆଜି ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ।

  • ଗୁଣ୍ଡିଚା ମନ୍ଦିରରେ ଲାଗିଲା ଦୁଇ ରଥ
  • ବଳଗଣ୍ଡିରେ ଅଟକିଲା ନନ୍ଦିଘୋଷ
  • ବର୍ଷାକୁ ଖାତିର୍ କଲେନି ଶ୍ରଦ୍ଧାଳୁ
  • ବର୍ଷାରେ ଭିଜିଭିଜି ରଥ ଟାଣିଲେ
  • ଶୃଙ୍ଖଳିତ ନୀତିକାନ୍ତିରେ ଶେଷ ହେଲା ଗୁଣ୍ଡିଚା ଯାତ୍ରା
  • ବଡ଼ଦାଣ୍ଡରେ ଭାବମୟ ପରିବେଶ

ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିଛନ୍ତି ଭାବର ଠାକୁର। ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ତିନି ଠାକୁରଙ୍କୁ ପାଖରେ ପାଇ ଭକ୍ତ ବି ଭାବବିହ୍ୱଳ ହୋଇଯାଇଥିଲେ।

କିଏ ମହାପ୍ରଭୁଙ୍କୁ ହାତଟେକି ନିଜକୁ ସମର୍ପଣ କରିଦେଇଥିଲା ତ ପୁଣି ଆଉ କିଏ ବଡ଼ଦାଣ୍ଡରେ ଗଡ଼ି ଯାଇଥିଲା। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଭଜନ, କୀର୍ତ୍ତନରେ ମଜ୍ଜି ଯାଇଥିଲେ। ହରିବୋଲ, ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ଖୋଳ, ମୃଦଙ୍ଗ ଓ ଖଞ୍ଜଣିର ତାଳେତାଳେ ନାଚି ଉଠିଥିଲେ ଶ୍ରଦ୍ଧାଳୁ। ବଡ଼ଦାଣ୍ଡରେ ଆଜି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା।

ଅଣସର ଘରେ ୧୫ ଦିନ ରହିବା ପରେ ଶୁକ୍ରବାର ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଭକ୍ତଙ୍କୁ। ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ନବଯୌବନ ବେଶ ଚାଲିବା ପରେ ରଥଯାତ୍ରା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।

ଶନିବାର ଭୋର୍‌ରୁ ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ରୋଷ ହୋମ ଅବକାଶ, ସୂର୍ଯ୍ୟପୂଜା, ଗୋପାଳ ବଲ୍ଲଭ, ସକାଳଧୂପ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ପହଣ୍ଡି ଆରମ୍ଭ ହୋଇଥିଲା। ନୀତିକାନ୍ତି ଆଜି ଶୃଙ୍ଖଳିତ ଭାବେ ସମାପନ ହୋଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା।

ଧାଡ଼ି ପହଣ୍ଡିରେ ରଥକୁ ଆସିଥିଲେ ମହାପ୍ରଭୁ। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହେବା ପରେ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା। ତାଳଧ୍ୱଜ ରଥରେ ବଳଭଦ୍ର, ଦର୍ପଦଳନ ରଥରେ ମା’ ସୁଭଦ୍ରା ଏବଂ ନନ୍ଦିଘୋଷ ରଥରେ ଜଗନ୍ନାଥ ବିରାଜମାନ କରିଥିଲେ।

ରଥରେ ପାରମ୍ପରିକ ରୀତିରେ ନୀତିକାନ୍ତି ସମାପନ ହେବା ପରେ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଆସିଥିଲେ। ୬ ଜଣ ସହଯୋଗୀଙ୍କୁ ନେଇ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥରେ ଚଢ଼ି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ।

ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥରେ ଚଢ଼ି ଛେରାପହଁରା ଏବଂ ବନ୍ଦାପନା କରିବା ପରେ ଘୋଡ଼ା ଯୋଖା ଯାଇଥିଲା। ଚାରମାଳ ଫିଟାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟାରେ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଥିଲା। ହେଲେ ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ଦେଢ଼ ଘଣ୍ଟା ପୂର୍ବରୁ ରଥଟଣା ହୋଇଥିଲା।

ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ଟାଣିଥିଲେ। ନିର୍ଦ୍ଧାରିତ ସମୟରେ ତାଳଧ୍ୱଜ, ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ହେଲେ ବଳଗଣ୍ଡି ଛକରେ ସନ୍ଧ୍ୟା ହୋଇଯିବାରୁ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରି ନଥିଲା।

ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଲୀଳାଖେଳା ଦେଖିବା ପାଇଁ ପୁରୀ ଆଜି ଜନସମୁଦ୍ର ପାଲଟି ଯାଇଥିଲା। ଦେଶ ତଥା ବିଦେଶରୁ ବହୁ ଶ୍ରଦ୍ଧାଳୁ ପୁରୀକୁ ଛୁଟି ଆସିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍, ହାଇକୋର୍ଟ ମୁଖ୍ୟ ବିଚାରପତି ଭିନତ୍ ସରନ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥଯାତ୍ରାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଜଗନ୍ନାଥଙ୍କ ରଥକୁ କିଛି ବାଟ ଟାଣିଥିଲେ।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଟୁଇଟ୍ କରି ଦେଶବାସୀଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଥିଲେ।

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୁରୀ ସହର ପୋଲିସ ଛାଉଣୀରେ ପରିଣତ ହୋଇଥିଲା। ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ୧୦୦୦ ବରିଷ୍ଠ ଅଧିକାରୀ ମୁତୟନ ହୋଇଥିଲେ।

ପୁରୀ ସହରକୁ ୩ଟି ଡିଭିଜନରେ ବିଭକ୍ତ କରାଯାଇ ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା ପୋଲିସ। ସିସିଟିଭି ମଧ୍ୟ ପୂରା ସହର ଉପରେ ନଜର ରଖିଛି। ୧୦୦ ହୋମଗାର୍ଡ, ବିଭିନ୍ନ ସ୍ୱେଚ୍ଛାସେବୀ ମଧ୍ୟ ପୁରୀରେ ମୁତୟନ ହୋଇଛନ୍ତି। ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ପୁରୀରେ ବଳବତ୍ତର ରହିବ।

LEAVE A REPLY

Please enter your comment!
Please enter your name here