ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି

ୟୁଟ୍ୟୁବ୍ ଓ ଫେସବୁକ୍‌ରେ ଶ୍ରୀଗୁଣ୍ଡିଚାର ସିଧାପ୍ରସାରଣ କରି ବିଶେଷ ଲୋକପ୍ରିୟତା ହାସଲ କରିଛି ଓଡ଼ିଶାର ଡିଜିଟାଲ୍ ପ୍ଲାଟଫର୍ମ ଓଡ଼ିଶାଲାଇଭ୍‌

  • ଓଡ଼ିଶାଲାଇଭ୍ ଫେସବୁକ୍ରେ ପ୍ରାୟ ଲକ୍ଷ ଲୋକ ଦେଖିଲେ ରଥଯାତ୍ରା
  • ଫେସବୁକ୍ ରିଚ୍୩୬ ଲକ୍ଷରୁ ଅଧିକ, ୨୭ ହଜାରରୁ ଅଧିକ ସେୟାର ୩୦ ହଜାରରୁ ଅଧିକ କମେଣ୍ଟ୍
  • ଫେସବୁକ୍ରେ ଟୋଟାଲ୍ ମିନିଟ୍ସ ଭ୍ୟୁଜ୍ ଲକ୍ଷ ଟପିଲା
  • ଓଡ଼ିଶାଲାଇଭ୍ୟୁଟ୍ୟୁବ୍ରେ ପ୍ରାୟ ଅଢ଼େଇ ଲକ୍ଷ ଭ୍ୟୁ, ୱାଚ୍ ଟାଇମ୍୩୬ ହଜାର ଘଣ୍ଟା
  • ୟୁଟ୍ୟୁବ୍ ଏବଂ ଫେସବୁକ୍ଉଭୟରେ ସର୍ବାଧିକ କନକରେଣ୍ଟ ୟୁଜର ପାଇଲା ଓଡ଼ିଶାଲାଇଭ୍
  • ୟୁଟ୍ୟୁବ୍ ଇଣ୍ଡିଆ ଲାଇଭ୍ ପେଜ୍ରେ ଏକ ନମ୍ବର ସ୍ଥାନ

ଟେଲିଭିଜନ ଯୁଗ ପରେ ଏବେ ଆରମ୍ଭ ହୋଇଛି ଡିଜିଟାଲ୍ ମିଡିଆ ଯୁଗ। ଦେଶ ବିଦେଶର ଲକ୍ଷ ଲକ୍ଷ ପାଠକ, ଦର୍ଶକ ଖବରକାଗଜ ଓ ଟେଲିଭିଜନ ପରଦାରୁ ଆଖି ଫେରାଇ ଏବେ ମୋବାଇଲ୍ ମିଡିଆ ଭିତରେ ହଜିଯାଉଛନ୍ତି। ଗଣମାଧ୍ୟମର ଏହି ବ୍ୟାପକ ପରିବର୍ତ୍ତନର ଛବି ଦେଖିବାକୁ ମିଳିଛି ଚଳିତବର୍ଷ ରଥଯାତ୍ରା ଅବସରରେ। ରାଜ୍ୟର ଆଗ ଧାଡ଼ିର ଡିଜିଟାଲ୍ ମିଡିଆ ଓଡ଼ିଶାଲାଇଭ୍‌ର ବିଭିନ୍ନ ସୋସିଆଲ୍ ମିଡିଆ ଚ୍ୟାନେଲରେ ୧୦ ଲକ୍ଷରୁ ଅଧିକ ଲୋକ ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ତା’ର ଏକ ଉଦାହରଣ ବୋଲି କୁହାଯାଇପାରେ।

୨୦୧୧ ମସିହା ଡିସେମ୍ବର ମାସରୁ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଭାବେ ପ୍ରସାରଣ ଆରମ୍ଭ କରିଥିଲା ଓଡ଼ିଶାଲାଇଭ୍‌। ନିଜର ୱେବ୍‌ ପୋର୍ଟାଲ୍ ଏବଂ ବିଭିନ୍ନ ସୋସିଆଲ୍ ମିଡିଆ ଚ୍ୟାନେଲ୍ ମାଧ୍ୟମରେ ଏହା ବିଭିନ୍ନ ଖବର ଓ କାର୍ଯ୍ୟକ୍ରମର ପ୍ରସାରଣ କରି ଦିନକୁ ଦିନ ଲୋକପ୍ରିୟତା ହାସଲ କରିଆସୁଛି।

ଫେସବୁକ୍ରେ ଆଠ ଲକ୍ଷରୁ ଅଧିକ ଦର୍ଶକ, ୩୬ ଲକ୍ଷ ରିଚ୍

‘‘ଚଳିତବର୍ଷ ଶ୍ରୀଗୁଣ୍ଡିଚା ଦିନ ଓଡ଼ିଶାଲାଇଭ୍‌ ଫେସବୁକ୍‌ ପେଜ୍‌ ମାଧ୍ୟମରେ ଆଠ ଲକ୍ଷ ଅଧିକ ଦର୍ଶକ ରଥଯାତ୍ରା ଦେଖିବା ଏକ ଖୁସିର ବିଷୟ। ଏହି କ୍ରମରେ ଆମ ଫେସବୁକ୍ ପେଜ୍‌ର ଭ୍ୟୁ ସଂଖ୍ୟା ୮ ଲକ୍ଷ ୨୬ ହଜାର ୯୦୨ ରେକର୍ଡ ହୋଇଛି’’, କହିଛନ୍ତି ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ଓଡ଼ିଶାଲାଇଭ୍‌ ଫେସବୁକ୍‌ ପେଜ୍‌ର ରଥଯାତ୍ରା ଅନୁଭବର ଆଉ କେତୋଟି ଦିଗ ବିଷୟରେ ନଜର ପକାଯାଇପାରେ। ତା’ ଭିତରୁ ସବୁଠାରୁ ବଡ଼ କଥା ହେଉଛି ରଥଯାତ୍ରାର ସିଧାପ୍ରସାରଣ କାର୍ଯ୍ୟକ୍ରମ ବେଳେ ଏହି ଫେସ୍‌ବୁକ୍‌ ପେଜ୍‌ର ମୋଟ ରିଚ୍‌ ୩୬ ଲକ୍ଷ ୪୫ ହଜାରରୁ ଅଧିକ ରେକର୍ଡ କରାଯାଇଛି। ତା’ ସାଙ୍ଗକୁ ୨୭ ହଜାରରୁ ଅଧିକ ସେୟାର ଏବଂ ୩୦ ହଜାରରୁ ଅଧିକ କମେଣ୍ଟ୍ ହାସଲ କରିଥିବାରୁ ଓଡ଼ିଶାଲାଇଭର ଫେସବୁକ୍ ପେଜ୍‌ ଓଡ଼ିଶାରୁ ପରିଚାଳିତ ଡିଜିଟାଲ୍ ମିଡିଆ ବିଭାଗରେ ଏକ ଅତ୍ୟନ୍ତ କ୍ରିୟାଶୀଳ ସୋସିଆଲ୍‌ ପ୍ଲାଟଫର୍ମ ହିସାବରେ ପ୍ରମାଣିତ ହୋଇଛି।

ଫେସବୁକ୍‌ରେ ୨୦୦୦ରୁ ଅଧିକ ପିକ୍‌ କନକରେଣ୍ଟ ୟୁଜର ଏବଂ ମୋଟ ୭ ଲକ୍ଷ ୩୮ ହଜାରରୁ ଅଧିକ ମିନିଟ୍‌ର ମୋଟ ୱାଚ୍ ଟାଇମ୍‌ ହାସଲ କରି ଓଡ଼ିଶାଲାଇଭ୍‌ ମିଡିଆ ଡିଜିଟାଲ୍‌ କ୍ଷେତ୍ରରେ ଏହାର ପ୍ରତିଷ୍ଠାକୁ ଆଗେଇ ନେଇପାରିଛି।

ସେହିପରି ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍‌ ଜୁଲାଇ ୧୪ ତାରିଖ ଶ୍ରୀଗୁଣ୍ଡିଚା ଦିନ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଶ୍ରୀକ୍ଷେତ୍ର ପୁରୀର ଏହି ଅପୂର୍ବ ପରମ୍ପରାକୁ ପହଞ୍ଚାଇପାରିଛି। ଏହି କ୍ରମରେ ମୋଟ ଭ୍ୟୁଜ୍ ସଂଖ୍ୟା ୨ ଲକ୍ଷ ୩୩ ହଜାର ୫୩୧ ରେକର୍ଡ କରାଯାଇଛି। କେବଳ ସେତିକି ନୁହେଁ ଦର୍ଶକଙ୍କ ପିଛା ଆଭରେଜ୍ ଭ୍ୟୁ ଡ୍ୟୁରେସନ ୭ ମିନିଟ୍ ରହିଛି ଯାହାକି ଡିଜିଟାଲ୍ ମିଡିଆ ପାଇଁ ଏକ ଉଲ୍ଲେଖନୀୟ ବିଷୟ।

‘‘ଗତ କିଛି ବର୍ଷ ଧରି ଓଡ଼ିଶାଲାଇଭ୍‌ ମାଧ୍ୟମରେ ଆମେ ପୁରୀରୁ ରଥଯାତ୍ରାର ସିଧାପ୍ରସାରଣ କରିଆସୁଛୁ। ବାସ୍ତବରେ ଟେଲିଭିଜନ ଚ୍ୟାନେଲକୁ ଛାଡ଼ିଦେଲେ ଓଡ଼ିଶାରେ ଗଢ଼ି ଉଠିଥିବା ଡିଜିଟାଲ୍ ବା ୱେବ୍‌ ଚ୍ୟାନେଲ ହିସାବରେ ରଥଯାତ୍ରାର ସିଧାପ୍ରସାରଣ ଦେଖାଇବା କ୍ଷେତ୍ରରେ ଓଡ଼ିଶାଲାଇଭ୍‌ ପ୍ରଥମ। ଚଳିତବର୍ଷ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲରେ ଶ୍ରୀଗୁଣ୍ଡିଚା ଦିନ ସର୍ବାଧିକ କନକରେଣ୍ଟ ୟୁଜର୍ ୫ ହଜାର ୨୨୯ ରହିବା ଆମ ପାଇଁ ଏକ ବିଶେଷ ଅନୁଭବ। କେବଳ ସେତିକି ନୁହେଁ ସାଢ଼େ ୧୧ ଘଣ୍ଟାର ନିରବଚ୍ଛିନ୍ନ ସିଧା ପ୍ରସାରଣ ଭିତରେ ଆମର ମୋଟ ୟୁଟ୍ୟୁବ୍ ୱାଚ୍ ଟାଇମ୍‌ ୩୫ ହଜାର ୮୬୨ ଘଣ୍ଟା ରହିଛି’’, ସୂଚନା ଦେଇ କହିଛନ୍ତି ଶ୍ରୀଯୁକ୍ତ ରଥ।

ରଥଯାତ୍ରା ପାଇଁ ଦେଶ ବିଦେଶର ଦର୍ଶକଙ୍କ ଅପୂର୍ବ ଆଗ୍ରହ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କେବଳ ଓଡ଼ିଶା ନୁହେଁ ଦେଶର ଏକ ବଡ଼ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ତେଣୁ ଏହା କେବଳ ଓଡ଼ିଶା ବା ଓଡ଼ିଆ ଲୋକଙ୍କ ମଧ୍ୟରେ ସୀମିତ ହୋଇରହିନାହିଁ। ଏହି କାରଣରୁ ଦେଶ ବିଦେଶରେ ଥିବା ଓଡ଼ିଆ, ଭାରତୀୟ ଜଗନ୍ନାଥପ୍ରେମୀ ଏପରିକି ଅନେକ ବିଦେଶୀ ନାଗରିକ ମଧ୍ୟ ଡିଜିଟାଲ୍ ମିଡିଆ ମାଧ୍ୟମରେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ପସନ୍ଦ କରିଛନ୍ତି। ଏହି କ୍ରମରେ ଦେଶବିଦେଶର ଦର୍ଶକମାନେ ଓଡ଼ିଶାଲାଇଭ୍‌କୁ ପ୍ରାଥମିକତା ଦେବା ସହ ଏହି ଚ୍ୟାନେଲର ଫେସବୁକ୍ ଏବଂ ୟୁଟ୍ୟୁବ୍  ପ୍ଲାଟଫର୍ମ ମାଧ୍ୟମରେ ଦୀର୍ଘ ସମୟ ଧରି ଯୋଡ଼ି ହୋଇରହିଥିବାରୁ ଚ୍ୟାନେଲର ମୁଖ୍ୟ ନୀଳାମ୍ବର ରଥ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଶ୍ରୀଗୁଣ୍ଡିଚା ଦିନ ଓଡ଼ିଶାଲାଇଭରେ ଫେସବୁକ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍‌ର ମୋଟ ଦର୍ଶକ ସଂଖ୍ୟା ୧୦ ଲକ୍ଷ ଟପିବା ନିଶ୍ଚିତ ଭାବରେ ଓଡ଼ିଶାର ଡିଜିଟାଲ୍ ମିଡିଆ ପାଇଁ ଏକ ବିଶେଷ ଅନୁଭବ ବୋଲି ସେ କହିଛନ୍ତି।

ଚଳିତ ଶ୍ରୀଗୁଣ୍ଡିଚା ଦିନ ଓଡ଼ିଶାଲାଇଭ୍‌ ପକ୍ଷରୁ ଏହାର ମୂଳ ନ୍ୟୁଜ୍ ପୋର୍ଟାଲ୍‌ ସହ ସୋସିଆଲ୍ ମିଡିଆରେ ରଥଯାତ୍ରା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଉଥିଲା। ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ଛଅଟା ପର୍ଯ୍ୟନ୍ତ  ସାଢ଼େ ଏଗାର ଘଣ୍ଟା ଧରି ଫେସବୁକ୍ ଏବଂ ୟୁଟ୍ୟୁବରେ ଏହି ସିଧା ପ୍ରସାରଣ କରାଯାଇଥିଲା। କେବଳ ଓଡ଼ିଶା ବା ଭାରତ ନୁହେଁ ବିଦେଶର ବହୁ ଦର୍ଶକ ଡିଜିଟାଲ୍ ମିଡିଆ ଜରିଆରେ ରଥଯାତ୍ରା ଦେଖିପାରିଥିଲେ।

ସିଙ୍ଗାପୁର, ଋଷ, ମେକ୍ସିକୋ, ଆମେରିକାର ନ୍ୟୁୟର୍କ, ହୋଷ୍ଟନ, ବୋଷ୍ଟନ, ଆଟଲାଣ୍ଟା, ସାନ୍‌ଫ୍ରାନ୍ସିକୋ, ଫୋନିକ୍ସ ଏବଂ ଜାପାନ, ଦୁବାଇ, ୟୁଏଇ, କୁଏତ୍, ପେରୁ, ମେଲବର୍ଣ୍ଣ, ବାଙ୍ଗାଦେଶର ଢ଼ାକା, ଜର୍ମାନୀ, ଇଟାଲି, ପର୍ତ୍ତୁଗାଲ ଓ ପୂର୍ବ ଆଫ୍ରିକା ଭଳି ଅନେକ ସ୍ଥାନର ଲୋକେ ଓଡ଼ିଶାଲାଇଭ୍ ସୋସିଆଲ୍ ମିଡିଆ ମାଧ୍ୟମରେ ରଥଯାତ୍ରା ଦେଖିଥିଲେ।

ଡିଜିଟାଲ୍ ମିଡିଆରେ ଜୟ ଜଗନ୍ନାଥ ଧ୍ୱନି

ଓଡ଼ିଶାଲାଇଭ୍‌ର ଫେସବୁକ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଦେଶବିଦେଶର ଦର୍ଶକମାନେ ରଥଯାତ୍ରା ସିଧାପ୍ରସାରଣ ଦେଖିବା ସହ କମେଣ୍ଟ ବିଭାଗରେ ସେମାନଙ୍କର ମତାମତ ରଖିଥିଲେ। ପ୍ରତି ମିନିଟ୍‌ରେ ୩୦ରୁ ଅଧିକ କମେଣ୍ଟ୍‌ ଆସିବା ଦେଖିବାକୁ ମିଳିଥିଲା। ଅନେକ ଅଣଓଡ଼ିଆ ଦର୍ଶକ ରଥଯାତ୍ରା ଦେଖୁଥିବାରୁ ସେମାନେ ଏହି କାର୍ଯ୍ୟକ୍ରମର ବିଭିନ୍ନ ବିଷୟ ଉପରେ କମେଣ୍ଟ ମାଧ୍ୟମରେ ପ୍ରଶ୍ନ କରିଥିଲେ।

ଓଡ଼ିଶାଲାଇଭ୍‌ର ଡିଜିଟାଲ୍ ଟିମ୍ ଅନେକ ପ୍ରଶ୍ନର ଉତ୍ତର ରଖି ଅନନ୍ୟ ଜଗନ୍ନାଥ ସଂସ୍କୃତି ଏବଂ ରଥଯାତ୍ରାର ବୈଚିତ୍ର୍ୟ ଓ ବିବିଧତା ସମ୍ପର୍କରେ ଦର୍ଶକମାନଙ୍କୁ ଜଣାଇଥିଲେ। ଖୁସିର କଥା ହେଉଛି ଯେ ଅନେକ ଦର୍ଶକ ଅନ୍ୟ ଦର୍ଶକମାନଙ୍କର ପ୍ରଶ୍ନର ଉତ୍ତର ସେହି କମେଣ୍ଟ ବିଭାଗରେ ଲେଖି ଜଗନ୍ନାଥ ସଂସ୍କୃତି ବିଷୟରେ ସେମାନଙ୍କର ସଚେତନତା ଏବଂ ଆଗ୍ରହ ଦେଖାଇଥିଲେ। ଶହ ଶହ ଦର୍ଶକ ଓଡ଼ିଆ, ଇଂଲିସ ଏବଂ ବିଭିନ୍ନ ଭାରତୀୟ ଭାଷାରେ ଜୟ ଜଗନ୍ନାଥ ଲେଖି କମେଣ୍ଟ ବିଭାଗକୁ ଅତ୍ୟନ୍ତ ଚଳଚଞ୍ଚଳ ଓ ଭକ୍ତିପୂର୍ଣ୍ଣ କରିଦେଇଥିଲେ।

‘‘ଶ୍ରୀଗୁଣ୍ଡିଚା ଦିନ ଓଡ଼ିଶାଲାଇଭ୍‌ର ମିଡିଆ ଟିମ୍‌ ଆମର ୱେବ୍ ଏବଂ ସୋସିଆଲ୍‌ ଚ୍ୟାନେଲ୍‌ଗୁଡ଼ିକରେ ରଥଯାତ୍ରାର ସିଧାପ୍ରସାରଣ କରିବା ସହିତ ରାଜ୍ୟ ଏବଂ ଦେଶର ବିଭିନ୍ନ ଡିଜିଟାଲ୍ ମିଡିଆ ରଥଯାତ୍ରାକୁ କିଭଳି ପ୍ରସାରଣ କରୁଛି ତା’ ଉପରେ ନଜର ରଖିଥିଲା। ପ୍ରଥମ ଦୁଇ ଅଢ଼େଇ ଘଣ୍ଟା ପରଠାରୁ ଓଡ଼ିଶାଲାଇଭ୍‌ ଉଭୟ ୟୁଟ୍ୟୁବ୍ ଏବଂ ଫେସବୁକ୍‌ ପ୍ଲାଟଫର୍ମରେ ସର୍ବାଧିକ ଦର୍ଶକ ପାଇପାରିଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ଲାଇଭ୍‌ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାଲାଇଭ୍‌ର ସୋସିଆଲ୍ ପେଜ୍‌ରେ ଦର୍ଶକଙ୍କ ସଂଖ୍ୟା ଅନ୍ୟ ସୋସିଆଲ୍ ଚ୍ୟାନେଲ୍ ତୁଳନାରେ ସର୍ବାଧିକ ରହିଥିଲା’’, କହିଛନ୍ତି ଶ୍ରୀଯୁକ୍ତ ରଥ।

କେବଳ ସେତିକି ନୁହେଁ ଲଗାତର ୬ ଘଣ୍ଟାରୁ ଅଧିକ ସମୟ ଧରି ଓଡ଼ିଶାଲାଇଭ୍‌ ସୋସିଆଲ୍ ମିଡିଆରେ ସର୍ବାଧିକ ଦର୍ଶକ ବଜାୟ ରଖିବା ସହିତ ୟୁଟ୍ୟୁବ୍‌ ଇଣ୍ଡିଆ ଲାଇଭ୍‌ ପେଜ୍‌ରେ ଏକ ନମ୍ବର ସ୍ଥାନ ହାସଲ କରିପାରିଥିଲା ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ, ଡିଜିଟାଲ୍‌ ମିଡିଆର ଲୋକପ୍ରିୟତା, ସୋସିଆଲ୍ ମିଡିଆର ବ୍ୟାପକ ପ୍ରସାରଣ, ଅତ୍ୟାଧୁନିକ ଇଣ୍ଟରନେଟ୍ ଓ ମୋବାଇଲ୍ ସେବା ଏବଂ ଓଡ଼ିଶାଲାଇଭ୍ ଟିମ୍‌ର ଲଗାତର ଉଦ୍ୟମ ଏହି ସଫଳତା ପଛର କାରଣ ହୋଇପାରେ ବୋଲି ଟେଲିଭିଜନ ଏବଂ ଡିଜିଟାଲ୍ ମିଡିଆ କ୍ଷେତ୍ରରେ ବିଶେଷ ଦକ୍ଷତା ଓ ଅନୁଭୂତି ହାସଲ କରିଥିବା ନୀଳାମ୍ବର ରଥ ଆକଳନ କରିଛନ୍ତି।

ଚଳିତ ରଥଯାତ୍ରା ଅବସରରେ ଓଡ଼ିଶାଲାଇଭ୍ ପକ୍ଷରୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ହେ ଚକାନୟନ ପ୍ରାୟ ଏକ ମାସ ଧରି ପ୍ରସାରିତ ହୋଇଆସୁଛି। ସେହିପରି ଜଗନ୍ନାଥ ସଂସ୍କୃତି ଏବଂ ରଥଯାତ୍ରାକୁ ନେଇ ଅନେକ ନ୍ୟୁଜ୍ ଫିଚର ଏବଂ ବିସ୍ତୃତ ଲେଖା ପ୍ରକାଶିତ ହେଉଛି। ପ୍ରଫେସର ଚନ୍ଦ୍ରଶେଖର ରଥଙ୍କ ସର୍ବକାଳୀନ ଲଳିତ ନିବନ୍ଧ ‘ହୋ ଭଗତେ’ ଭଳି ଲେଖାର ମଧ୍ୟ ଡିଜିଟାଲ୍ ପ୍ରସାରଣ କରାଯିବା ଫଳରେ ଏହି ମିଡିଆ ଉଭୟ ଯୁବବର୍ଗ ଏବଂ ଦେଶବିଦେଶରେ ଥିବା ଜଗନ୍ନାଥ ପ୍ରେମୀମାନଙ୍କ ପାଖରେ ପହଞ୍ଚିପାରିଛି।

 

Comment