ଓଡ଼ିଶାଲାଇଭ୍ ବ୍ୟୁରୋ
ପରିଚାଳନାଗତ ସମସ୍ୟା ଦେଖାଇ ଭୁବନେଶ୍ୱରରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆର ବିମାନ ସେବାକୁ ହଠାତ୍ ବନ୍ଦ କରି ଦିଆଯାଇଛି।
ଭୁବନେଶ୍ୱର-ବ୍ୟାଙ୍କକ ବିମାନ ସେବା ବନ୍ଦ। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପରିଚାଳନାଗତ ସମସ୍ୟା ଦେଖାଇ ଭୁବନେଶ୍ୱର-ବ୍ୟାଙ୍କକ ବିମାନ ସେବା ବନ୍ଦ କରିଦେଇଛନ୍ତି। ଭୁବନେଶ୍ୱରରୁ ବ୍ୟାଙ୍କକ ଗତ ରବିବାର ଦିନ ଶେଷ ଥର ପାଇଁ ବିମାନ ଉଡ଼ାଣ ହୋଇଥିଲା।
ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଜୁଲାଇ ୧୬ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପରିଚାଳନାଗତ ସମସ୍ୟା ଯୋଗୁ ଏହି ରୁଟରେ ବିମାନ ଉଡ଼ାଣ କରିବନି। ସେହିପରି ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ଉଡାଣ କରୁଥିବା ଏହି ବିମାନର ଉଡ଼ାଣ ବି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।
ଏହି ସମୟରେ କୌଣସି ବୁକିଂ ନ ରଖିବାକୁ ସମସ୍ତ ଟୁର୍ ଅପରେଟର ଏବଂ ଟ୍ରାଭେଲ ଏଜେନ୍ସିଗୁଡ଼ିକୁ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। କିନ୍ତୁ କେବେ ପୁଣି ବିମାନ ଉଡ଼ାଣ ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ଭାବେ ଜଣାଇ ନାହାନ୍ତି।
ପ୍ରାୟ ୭ ମାସ ହେଲା ସପ୍ତାହକୁ ତିନି ଦିନ ବ୍ୟାଙ୍କକକୁ ବିମାନ ଉଡ଼ାଣ ସେବା ଚାଲିଥିଲା।
ଡିସେମ୍ବର ୧୦, ୨୦୧୭ରେ ଏୟାର ଇଣ୍ଡିଆ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଉଡ଼ାଣର ଉଦଘାଟନ କରିଥିଲେ।
















