ଓଡ଼ିଶାଲାଇଭ୍ ବ୍ୟୁରୋ

୬୯ ବର୍ଷ ପରେ ଏୟାର ଇଣ୍ଡିଆ ପୁଣି ଥରେ ଟାଟାର ହୋଇଛି । ମାଲିକ ପୁରୁଣା କିନ୍ତୁ ଏଥର ଅନ୍ଦାଜ ନୂଆ ହେବ। ଏୟାର ଇଣ୍ଡିଆର ଜନ୍ମ ଟାଟା ଏୟାରଲାଇନ୍ସ ନାମରେ ହେଇଥିଲା। ୧୯୩୨ରେ ଜନ୍ମ ନେଇଥିବା ଟାଟା ଏୟାରଲାଇନ୍ସ ୧୯୪୬ ମସିହାରେ ଏୟାର ଇଣ୍ଡିଆରେ ପରିଣତ ହେଲା। ୧୯୫୪ ମସିହାରେ ଟାଟା ଗ୍ରୁପଠାରୁ ସରକାରଙ୍କ ଅଧୀନକୁ ଯାଇଥିବା ଏୟାର ଇଣ୍ଡିଆ ପୁଣି ଫେରିଛି ପୁରୁଣା ମାଲିକ ପାଖକୁ। ଏବେ ବିମାନ ସେବା କ୍ଷେତ୍ରରେ ପରିବର୍ତ୍ତନ ନେଇ ନୂତନ ସମ୍ଭାବନା ଦେଖାଦେଇଛି।

ଏଆର ଇଣ୍ଡିଆର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନି ଏଆଇ-ଏସଏଟିଏସରେ ସରକାରଙ୍କର ରହିଥିବା ସମ୍ପୂର୍ଣ୍ଣ ଅଂଶିଦାରୀ ଏବେ ଟାଟା ସନ୍ସକୁ ହସ୍ତାନ୍ତର କରାଯାଇଛି। ଏଆର ଇଣ୍ଡିଆର ଘର ଲେଉଟାଣି ପରେ ଏବେ ଟାଟା ସନ୍ସ ପାଖରେ ୩ଟି ଏଆରଲାଇନ୍ସ ହୋଇଯାଇଛି। ଟାଟା ଗ୍ରୁପ ପାଖରେ ପୂର୍ବରୁ ‘ଭିଷ୍ଟାରା’ ଏବଂ ‘ଏଆରଏସିଆ’ରେ ଅଂଶିଦାରୀ ରହିଛି। ବର୍ତ୍ତମାନ ଟାଟା ସନ୍ସ ବେସାମରିକ କ୍ଷେତ୍ରର ସବୁଠାରୁ ବଡ଼ କମ୍ପାନି ହୋଇଯାଇଛି। ଏବେ ବିମାନ ସେବା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବା ନେଇ ନୂତନ ସମ୍ଭାବନା ଦେଖାଦେଇଛି।

ଏୟାର ଇଣ୍ଡିଆର ଜନ୍ମ

ଏୟାର ଇଣ୍ଡିଆକୁ ସର୍ବପ୍ରଥମେ ଟାଟା ଗ୍ରୁପ ଲଞ୍ଚ କରିଥିଲା। ୧୯୩୨ ମସିହାରେ ଟାଟା ଏୟାରଲାଇନ୍ସ ନାମରେ ଏହା ଲଞ୍ଚ ହୋଇଥିଲା। ୧୯୪୬ରେ ଏହାର ନାମ ପରିବର୍ତ୍ତନ କରାଯାଇ ଏୟାର ଇଣ୍ଡିଆ ହେଲା। ଏହା ପରେ ୧୯୫୪ ମସିହାରେ ସରକାର ଟାଟାଠାରୁ ଏଆର ଇଣ୍ଡିଆକୁ କ୍ରୟ କରି ଏହାର ଜାତୀୟକରଣ କରିଥିଲେ।

ସରକାରଙ୍କ ପାଖରେ ରହିଥିବା କେତୋଟି ଏରାଲାଇନ୍ସକୁ ମିଶାଇ ଦୁଇଟି କମ୍ପାନି ନିର୍ମାଣ କରାଯାଇଥିଲା। ଗୋଟିଏ ଘରୋଇ ସେବା ପାଇଁ ଓ ଅନ୍ୟଟି ବିଦେଶ ଯାତ୍ରାପାଇଁ। ଘରୋଇ ସେବା ପାଇଁ ଇଣ୍ଡିଆନ ଏୟାରଲାଇନ୍ସ ଏବଂ ବିଦେଶ ଯାତ୍ରା ପାଇଁ ଏୟାର ଇଣ୍ଡିଆକୁ ବ୍ୟବହାର କରାଗଲା। ସେହି ସମୟରେ ଦେଶରେ ମୋଟ ୯ଟି ଛୋଟ ବଡ଼ ବିମାନ କମ୍ପାନି ରହିଥିଲା।

୧୯୪୮ ମସିହାରେ ଟାଟାଗ୍ରୁପ୍ ଏକ ଏୟାରଲାଇନ୍ସ ଆରମ୍ଭ କରିଥିଲା। ଯାହାର ନାଁ ଥିଲା ଏୟାର ଇଣ୍ଟରନ୍ୟାସନାଲ। ପରେ ତତ୍କାଳିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲା ନେହେରୁଙ୍କ ନଜର ଏହା ଉପରେ ପଡ଼ିଥିଲା। ୧୯୫୩ ମସିହାରେ ସରକାର ଟାଟା ଗ୍ରୁପଠାରୁ ଏୟାର ଇଣ୍ଡିଆକୁ କ୍ରୟ କରି ଏହାର ସମ୍ପୂର୍ଣ୍ଣ ଜାତୀୟକରଣ କରିଥିଲେ। କିନ୍ତୁ ଜେଆରଡି ଟାଟା ୧୯୭୭ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ଚେୟାରମ୍ୟାନ ଥିଲେ। ଏୟାର ଇଣ୍ଡିଆ ସରକାରଙ୍କ ଅଧୀନକୁ ଯିବା ପରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଉଡ଼ାଣ ଭରିଥିଲା। ଉଡ଼ାଣ କ୍ଷେତ୍ରରେ ଦେଶ ବିଦେଶରେ ଏଆର ଇଣ୍ଡିଆକୁ ଏକ ସ୍ଵତନ୍ତ୍ର ପରିଚୟ ମିଳିଥିଲା।

ଏୟାର ଇଣ୍ଡିଆ ପତନର କାରଣ

କୁହାଯାଏ ସର୍ବାଧିକ ଷ୍ଟାଫ ଓ ଭ୍ରଷ୍ଟ ରାଜନେତା ମିଳିମିଶି ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ବିଗାଡ଼ି ଦେଇଥିଲେ। ଧୀରେ ଧୀରେ ଘାଟାରେ ଚାଲିବା ଆରମ୍ଭ ହେଲା ଏୟାର ଇଣ୍ଡିଆ। କ୍ରମାଗତ ଋଣ ଭାର ବଢ଼ିବଢ଼ି ୨୦୨୧ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏଆର ଇଣ୍ଡିଆର ମୋଟ ଋଣ ୬୧,୫୬୨ କୋଟି ଟଙ୍କାରେ ପହଞ୍ଚି ଗଲା। ଏୟାର ଇଣ୍ଡିଆକୁ ଫେରାଇ ଆଣିବାକୁ ବର୍ଷ ବର୍ଷ ଧରି ଚେଷ୍ଟା ଜାରି ରଖିଥିବା ଟାଟା ଗ୍ରୁପ ୧୫,୩୦୦ କୋଟି ଟଙ୍କା ଦେଇ ଋଣ ପରିଶୋଧ କରିଥିଲା । ଟାଟା ଋଣ ପରିଶୋଧ କରିବା ପରେ ଏବେ ଏୟାର ଇଣ୍ଡିଆ ଉପରେ ମୋଟ ୪୬,୨୬୨ କୋଟି ଟଙ୍କାର ଋଣ ରହିଛି ।

ଟାଟା ଭାରତରେ ନିଜର ଏୟାର ଲାଇନ୍ସ ସେବା ଆରମ୍ଭ କରିବା ପରେ ବିଶ୍ଵର ସର୍ବବୃହତ ଏୟାରଲାଇନ୍ସ ମଧ୍ୟରୁ ଗୋଟିଏ ସିଙ୍ଗାପୁର ଏୟାରଲାଇନ୍ସ ସହ ହାତ ମିଶାଇଥିଲା। କିନ୍ତୁ ପରେ ଟାଟା ଗ୍ରୁପ ପ୍ରତିଦ୍ଵନ୍ଦିମାନେ ଏହାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିବାକୁ ଦେଇନଥିଲେ। ତଥାପି ଟାଟା ନିଜର ପ୍ରୟାସ ଜାରି ରଖିଥିଲା। ଟାଟାଗ୍ରୁପ ଏୟାର ଏସିଆ ଏବଂ ପରେ ସିଙ୍ଗାପୁର ଏୟାରଲାଇନ୍ସ ସହ ମିଶ ଭିସ୍ତାରା ଲଞ୍ଚ କରିଥିଲା। ଉପୁଜିଥିବା ବହୁ କଠିନ ପରିସ୍ଥିତି ସତ୍ଵେ ଟାଟା ଗ୍ରୁପ ନିଜର କାମ ଜାରି ରଖିଥିଲା। ଏହା ମଧ୍ୟରେ ଏୟାର ଇଣ୍ଡିଆକୁ ଫେରାଇ ଆଣିବାକୁ ଟାଟା ଗ୍ରୁପ ସ୍ଥିର କରିସାରିଥିଲା।

କେବେ ଆରମ୍ଭ ହୋଇଥିଲା ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆକୁ ୧୯୩୨ ମସିହା ଏପ୍ରିଲ ମାସରେ ଆରମ୍ଭ କରାଯାଇଥିଲା। ଏୟାର ଇଣ୍ଡିଆର ସ୍ଥାପନା ଉଦ୍ୟୋଗପତି ଜେଆରଡି ଟାଟା କରିଥିଲେ। ସେହି ସମୟରେ ଏହାର ନାମ ଥିଲା ଟାଟା ଏୟାରଲାଇନ୍ସ। ଜେଆରଡି ଟାଟା ମାତ୍ର ୧୫ ବର୍ଷ ବୟସରେ ୧୯୧୯ରେ ପ୍ରଥମ ଥର ନିଜର ସୌକ୍ ପାଇଁ ଉଡ଼ାଜାହାଜ ଉଡ଼ାଇଥିଲେ। କିନ୍ତୁ ଏହି ସୌକ ନିଶାରେ ରୂପାନ୍ତର ହୋଇଥିଲା। ପରେ ଉଡାଜାହାଜ ଉଡ଼ାଇବା ପାଇଁ ଜେଆରଡି ଟାଟା ପାଇଲଟ ଲାଇସେନ୍ସ ହାସଲ କରିଥିଲେ ।

ଏୟାରଲାଇସେନ୍ସର ପ୍ରଥମ ବ୍ୟବସାୟିକ ଉଡ଼ାଣ

ଏୟାରଲାଇନ୍ସର ପ୍ରଥମ ବ୍ୟବସାୟିକ ଉଡ଼ାଣ ୧୯୩୨ ଅକ୍ଟୋବର ୧୫ ତାରିଖରେ ଆରମ୍ଭ କରିଥିଲା। ଏହା ଅହମଦାବାଦ-କରାଚି ରାସ୍ତାରେ ମୁମ୍ବାଇକୁ ଯାଇଥିଲା। ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହି ଉଡ଼ାଣ ସମୟରେ କୌଣସି ଯାତ୍ରୀ ଉଡ଼ାଯାହାଜରେ ଯାଇନଥିଲେ। କେବଳ ୨୫ କେଜିର ଚିଠିପତ୍ର ଏଥିରେ ଯାଇଥିଲା। ସେତେବେଳେ କେବଳ ସିଙ୍ଗଲ ଇଂଜିନ ଯୁକ୍ତ ଉଡ଼ାଜାହଜ ଥିଲା।

୧୯୩୩ରେ ପ୍ରଥମ ଯାତ୍ରୀ ଉଡ଼ାଣ

୧୯୩୩ରେ ଟାଟା ଏୟାରଲାଇନ୍ସ ଯାତ୍ରୀଙ୍କୁ ନେଇ ପ୍ରଥମ ଉଡ଼ାଣ ଭରିଥିଲା। ମୋଟ ୧୫୫ ଜଣ ଯାତ୍ରୀ ଏବଂ ପାଖାପାଖି ୧୧ ଟନ ଚିଠି ସାଙ୍ଗରେ ନେଇଥିଲା । ସେ ସମୟରେ ଦୁଇ ଲକ୍ଷ ଟଙ୍କା ନିବେଶରେ ଟାଟା ଗ୍ରୁପ୍ ଏୟାରଲାଇନ୍ସ କମ୍ପାନି ସ୍ଥାପନ କରିଥିଲା।

ପଡ଼ିଆକୁ କରାଯାଇଥିଲା ରନୱେ ଏବଂ ମାଟି ଘରେ ଚାଲିଥିଲା କାର୍ଯ୍ୟାଳୟ

ସେତେବେଳର ଟାଟା ଏୟାରଲାଇନ୍ସ ଲଗାତର ଚିଠି ପହଞ୍ଚାଇବା କାମ କରୁଥିଲା। ଏହା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଏୟାରଲାଇନ୍ସ ହୋଇଥିବାରୁ ସେହି ସମୟରେ ଇଂରେଜମାନଙ୍କ ଆଧିପତ୍ୟ କାରଣରୁ ଏୟାରଲାନ୍ସକୁ କୌଣସି ଆର୍ଥିକ ସହାୟତା ମିଳିନଥିଲା। ଏୟାରଲାଇନ୍ସରୁ ଚିଠି ନେବା ପାଇଁ ଟାଟାକୁ ପ୍ରତି ଚିଠି ଉପରେ ମାତ୍ର ‘ଚାରଣା’ ମିଳୁଥିଲା। ଟାଟା ଏୟାରଲାଇନ୍ସ ପାଇଁ ମୁମ୍ବାଇର ଜୁହୁଠାରେ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ମାଟି ଘରଟିଏ ନିର୍ମାଣ କରାଯାଇ କାର୍ଯ୍ୟାଳୟ କାମ ଚାଲିଥିଲା। କେବଳ ସେତିକି ନୁହେଁ ନିକଟରେ ଥିବା ଏକ ପଡ଼ିଆକୁ ‘ରନୱେ’ ଭାବେ ବ୍ୟବହାର କରାଯାଉଥିଲା ।

ଟାଟା ଏୟାରଲାଇନ୍ସରୁ ଏୟାର ଇଣ୍ଡିଆ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତରୁ ସାଧାରଣ ଉଡ଼ାଜାହାଜ ସେବା ଆରମ୍ଭ କରାଯାଇଥିଲା। ସେତେବେଳେ ଏହାର ନାମ ଏୟାର ଇଣ୍ଡିଆ ରଖାଗଲା। ୧୯୪୭ ମସିହାରେ ଭାରତ ସ୍ୱାଧିନ ହେବା ପରେ ଏକ ନ୍ୟାସନାଲ ଏଆରଲାଇନ୍ସର ଅବଶ୍ୟକତା ପଡ଼ିଥିଲା। ଭାରତ ସରକାରଙ୍କ ନଜର ଏୟାର ଇଣ୍ଡିଆ ଉପରେ ପଡ଼ିଥିଲା।

ଏହା ପରେ ସରକାର ଏଆର ଇଣ୍ଡିଆରେ ୪୯ ପ୍ରତିଶତ ଅଂଶିଦାରୀ ଅଧିଗ୍ରହଣ କରିଥିଲେ। ୧୯୫୩ ମସିହାରେ ଭାରତ ସରକାର ଏୟାର କର୍ପୋରୋସନ ଆକ୍ଟ ପାସ୍ କରିଥିଲେ । ଏହା ପରେ ଟାଟା ଗ୍ରୁପଠାରୁ ବଡ଼ଭାଗ କ୍ରୟ କରିଥିଲେ ସରକାର। ଏହିପରି ଭାବେ ଏୟାର ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ଏକ ସରକାରୀ କମ୍ପାନିରେ ପରିଣତ ହୋଇଥିଲା।

Comment