ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନ ଥିଲା ଏୟାରଲାଇନ୍ସରେ କାମକରୁଥିବା ଲୋକେ ରାଜକୀୟ ଜୀବନ ବିତାଉଥିଲେ। ଉଚ୍ଚ ବେତନ, ବିଳାସପୂର୍ଣ୍ଣ ଘର ଆଉ ଆକର୍ଷଣୀୟ ଜୀବନଶୈଳୀ ପାଇଁ ଯୁବଗୋଷ୍ଠୀ ଏହାକୁ କ୍ୟାରିଅର କରିବାକୁ ଆଗେଇ ଆସିଥିଲେ। ହେଲେ କରୋନା ବିମାନର ପର ଯେମିତି କାଟିଦେଇଛି। କେତେ ଯେ ପାଇଲଟ ରାସ୍ତାକୁ ପଳାଇ ଆସିଲେଣି। କାହାର ଘର ବିକ୍ରି ହୋଇଗଲାଣି ତ ଆଉ କାହାର କ୍ରେଡିଟ କାର୍ଡ ବ୍ଲକ୍ ହୋଇସାରିଛି। ବ୍ୟାଙ୍କର ଫୋନରେ ଅତିଷ୍ଠ ହୋଇଗଲେଣି ଏୟାରଲାଇନ୍ସରେ କାମ କରୁଥିବା କର୍ମଚାରୀ।ସର୍ବବୃହତ ବିମାନସେବା କମ୍ପାନି ଏୟାର ଇଣ୍ଡିଆର ଅବସ୍ଥା ଖରାପ। ଏୟାର ଇଣ୍ଡିଆ ଉପରେ ୨୪ ହଜାର କୋଟି ଟଙ୍କାରୁ ଅଧିକ ଋଣ ବୋଝ। ସେପଟେ ଏହାକୁ ଉଦ୍ଧାର କରିବା ପାଇଁ କେହି କ୍ରେତା ମିଳୁ ନ ଥିବାରୁ ଆଗକୁ କ’ଣ ଅବସ୍ଥା ହେବ ତାହା କହିବା ମୁସ୍କିଲ। ଖାଲି ଏୟାର ଇଣ୍ଡିଆ ନୁହେଁ, ଜେଟ୍ ଏୟାରୱେଜର ଅବସ୍ଥା ମଧ୍ୟ ସଂଗୀନ। ଏହାର କର୍ମଚାରୀମାନେ କମ୍ପାନିକୁ ବଞ୍ଚାଇବା ପାଇଁ ସରକାରଙ୍କୁ ବାରମ୍ବାର ଅନୁରୋଧ କରିସାରିଛନ୍ତି। ଏହା କୌଣସି ମୂହୁର୍ତ୍ତରେ ଉଡ଼ାଣ ବନ୍ଦ କରିବା ପୂର୍ବରୁ ସରକାର କିଛି କରନ୍ତୁ ବୋଲି ସେମାନେ ଅନୁରୋଧ କରିଆସୁଛନ୍ତି।

ଭାରତରେ ବର୍ତ୍ତମାନ ୮ଟି ବିମାନସେବା କମ୍ପାନି ରହିଛନ୍ତି। ଇଣ୍ଡିଗୋର ସର୍ବାଧିକ ମାର୍କେଟ ସେୟାର ରହିଛି। ସେପଟେ ଏୟାର ଡେକାନ ମଧ୍ୟ ତାର ସବୁ ଉଡାଣ ବାତିଲ କରିବା ସହ, ସମସ୍ତ କର୍ମଚାରୀଙ୍କୁ ବିନା ଦରମାରେ ପରବର୍ତ୍ତୀ ସୂଚନା ଯାଏ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଛି। କରୋନା ପାଇଁ ବିମାନଯାତ୍ରା ଢେର୍ ପରିମାଣରେ ହ୍ରାସ ପାଇଥିବାରୁ ଏହାର ସିଧାସଳଖ ପ୍ରଭାବ ପଡ଼ିଛି।ପ୍ରଥମେ ୨ ମାସରୁ ଅଧିକ ସମୟ ଧରି ପୂରା ବନ୍ଦ ରହିଥିଲା ବିମାନସେବା। ଏବେ ଆରମ୍ଭ ହୋଇଥିଲେ ମଧ୍ୟ, ଲୋକମାନେ ବେଶୀ ଯାତାୟାତ କରୁନାହାନ୍ତି। ଅନ୍ତର୍ଜାତୀୟ ବିମାନ ସେବାରେ ମଧ୍ୟ କାଣ୍ଟଛାଣ୍ଟ କରିଦିଆଯାଇଛି। ମେ ୨୦୨୦ରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ମାତ୍ର ୧୧ ନିୟୁତ ଯାତ୍ରୀ ବିମାନରେ ଯାତ୍ରା କରିଛନ୍ତି।

ପୂର୍ବ ବର୍ଷ ଠିକ ଏହି ସମୟ ମଧ୍ୟରେ ତାହା ୭୦ ନିୟୁତରୁ ଅଧିକ ଥିଲା। ଏୟାର ଇଣ୍ଡିଆ ଏକୁଟିଆ ୪୮ ପାଇଲଟଙ୍କୁ ଚାକିରିରୁ ବାହାର କରିଛି। ଅନ୍ୟ ଏୟାରଲାଇନ୍ସ ମାନେ ବହୁ ପାଇଲଟଙ୍କୁ ବିନା ଦରମାରେ ଛୁଟି କିମ୍ବା ୩୦ ପ୍ରତିଶତ ଦରମା ଦେଉଛନ୍ତି। ତୁରନ୍ତ ଏଥିରେ କିଛି ସୁଧାର ନଆସିଲେ ୩ ନିୟୁତରୁ ଅଧିକ କର୍ମଚାରୀ ସେମାନଙ୍କ ଚାକିରି ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Comment