ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କୋଭିଡ ମାମଲା ଧୀରେ ଧୀରେ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। କୋଭିଡ ମହାମାରୀ ଯୋଗୁଁ ବିମାନରେ ଯାତ୍ରୀ ଚଳାଚଳକୁ ନେଇ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି। ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନଗୁଡ଼ିକ ନିଜର ପୂର୍ଣ୍ଣ କ୍ଷମତାରେ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବାକୁ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି।କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରୋଇ ବିମାନ ପାଇଁ ଯାତ୍ରୀ ପରିବହନର କ୍ଷମତା ସର୍ବାଧିକ ୮୫ ପ୍ରତିଶତ ରଖାଯାଇଥିଲା। ହେଲେ ଏବେ ଦେଶରେ କରୋନା ମିଟର ହ୍ରାସ ପାଇବା ପରେ ଏହାକୁ ସରକାର କୋହଳ କରିଛନ୍ତି। ଏହି କ୍ରମର ଅକ୍ଟୋବର ୧୮ରୁ ଏହି କଟକଣା ରହିବ ନାହିଁ। ଏଣିକି ଘରୋଇ ବିମାନଗୁଡ଼ିକ ସେମାନଙ୍କ କ୍ଷମତା ଅନୁଯାୟୀ ଯାତ୍ରୀ ନେଇପାରିବେ। ତେବେ ଯାତ୍ରୀ ପରିବହନ ବେଳେ କୋଭିଡ୍ ଗାଇଡଲଲାଇନକୁ ମାନିବାକୁ ବିମାନ ଅପରେଟରମାନଙ୍କୁ କୁହାଯାଇଛି। ଏଥିସହ ସର୍ବନିମ୍ନ ୨ ଘଣ୍ଟା ବିଶିଷ୍ଟ ଫ୍ଲାଇଟ୍‌ରେ ଖାଦ୍ୟ ବ୍ୟବସ୍ଥା ନ କରିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।୨୦୨୦ ମେ’ ମାସରେ ବିମାନ ସେବା ଉପରେ କଟକଣା ଜାରି କରାଯାଇଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜୁନ୍ ୧ରୁ ଜୁଲାଇ ୫ ମଧ୍ୟରେ ବିମାନ ଯାତ୍ରୀ ସଂଖ୍ୟା ୫୦ ପ୍ରତିଶତ ଥିଲା। ପରେ ଏହାକୁ ତିନୋଟି ପର୍ଯ୍ୟାୟରେ ଅଧିକ କରାଯାଇଥିଲା। ଏବେ ପୂର୍ଣ୍ଣ କ୍ଷମତାରେ ବିମାନ ସେବା ଯୋଗାଇ ଦିଆଯିବ।

ଗୋଟିଏ ପଟେ ଦେଶରେ କୋଭିଡ ସ୍ଥିତିରେ ବେଶ୍ ଉନ୍ନତି ହୋଇଥିବାରୁ ଏବଂ ଚଳିତ ମାସ ଦୁର୍ଗାପୂଜାର ମାସ ହୋଇଥିବାରୁ ବିମାନ ଯାତ୍ରୀଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବରେ ବୃଦ୍ଧି ପାଇଥିବା ଜଣାପଡ଼ିଛି, ଯାହାକି ଦେଶ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାର ଏକ ବଡ଼ ସଙ୍କେତ ଦେଉଛି।

LEAVE A REPLY

Please enter your comment!
Please enter your name here