ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନରେ ଶନିବାରରୁ ଆରମ୍ଭ ହେଉଛି ମହିଳା ବିଶ୍ୱକପ୍‍ ହକି ଟୁର୍ଣ୍ଣାମେଣ୍ଟ। ଏହି ଅବସରରେ ଭାରତୀୟ ଜାତୀୟ ପତାକାକୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି।

ଇଂଲଣ୍ଡର ରାଜଧାନୀ ଲଣ୍ଡନଠାରେ ଆରମ୍ଭ ହେଉଛି ମହିଳା ହକି ବିଶ୍ୱକପ୍‌। ହେଲେ ଏହାର ଦୁଇ ଦିନ ପୂର୍ବରୁ ଆୟୋଜିତ ଏକ ପ୍ରଚାର କାର୍ଯ୍ୟକ୍ରମ ଅବସରରେ ଭାରତୀୟ ଜାତୀୟ ପତାକାକୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି।

ଥେମ୍ସ ନଦୀ କୂଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ଅଧିନାୟିକା ସେମାନଙ୍କ ଜାତୀୟ ପତାକା ଧରି ଫଟୋ ଉଠାଇଥିଲେ। ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଲ୍‍ ଯେଉଁ ଜାତୀୟ ପତାକା ଧରିଥିଲେ ସେଥିରେ ଅଶୋକଚକ୍ର ନ ଥିବା ଦେଖିବାକୁ ମିଳିଥିଲା।

ଏହି ଚିତ୍ର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଭାରତୀୟ ପ୍ରଶଂସକ ମହଲର ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହକି ଇଣ୍ଡିଆ ଏହି ବିଷୟରେ ଅନ୍ତର୍ଜାତୀୟ ହକି ମହାସଂଘକୁ ଜଣାଇ ଦେଇଛି। ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ହକି ବିଶ୍ୱକପ୍‍ରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‍ ଆସନ୍ତା ୨୧ରେ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଥିବା ବେଳେ ୨୬ରେ ଆୟର୍ଲାଣ୍ଡ ଓ ୨୯ରେ ଆମେରିକା ବିପକ୍ଷରେ ଖେଳିବ।

ଭାରତୀୟ ଦଳ ୭ମ ଥର ନିମନ୍ତେ ବିଶ୍ୱକପ୍‍ରେ ଭାଗ ନେବାକୁ ଯାଉଛି। ୧୯୭୪ ମହିଳା ବିଶ୍ୱକପ୍‍ରେ ଦଳ ୪ର୍ଥ ସ୍ଥାନରେ ରହିଥିଲା, ଯାହାକି ବର୍ତ୍ତମାନ ସୁଦ୍ଧା ଦଳର ଶ୍ରେଷ୍ଠ ପ୍ରଦର୍ଶନ।

Comment