ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ବଢ଼ି ବଢ଼ି ଚାଲିଥିବା ମବ୍ ଲିନ୍ଚିଂ ବା ପିଟି ପିଟି ହତ୍ୟାକୁ ରୋକିବା ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି କମିଟି। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସଚିବ ରାଜୀବ ଗାଉବାଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ମବ୍ ଲିନ୍ଚିଂ ରୋକିବା ପାଇଁ ବିଭିନ୍ନ ନିର୍ଦ୍ଦେଶାବଳୀ ପ୍ରଣୟନ କରିବା ସହ ଏହାର ତର୍ଜମା କରିବ।
ଏହି କମିଟିରେ ନ୍ୟାୟ ବିଭାଗର ସଚିବ, ଆଇନ୍ ବ୍ୟାପାର ସଚିବ, ଲେଜିସ୍ଲେଟିଭ୍ ବିଭାଗର ସଚିବ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର ସଚିବ ରହିବେ। ଏହାସହ କେନ୍ଦ୍ର ସରକାର ଗ୍ରୁପ୍ ଅଫ୍ ମିନିଷ୍ଟରସ୍ ଗଠନ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏହାର ନେତୃତ୍ୱ ନେବେ। ରାଜ୍ୟ ସରକାରମାନେ କାହିଁକି ମବ୍ ଲିନ୍ଚିଂକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ତାର ସମୀକ୍ଷା କରାଯିବ।
ଗ୍ରୁପ୍ ଅଫ୍ ମିନିଷ୍ଟରସ୍ ଟିମ୍ରେ ବୈଦେଶୀକ ମନ୍ତ୍ରୀ ସୁଷମା ସ୍ୱରାଜ, ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ସଡ଼କ ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ, ସାମାଜିକ ନ୍ୟାୟ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରହିବେ। ଘଟଣାର ତଦନ୍ତ କରି ଏମାନେ ସରକାରଙ୍କୁ ରିପୋର୍ଟ ଦେବେ।
















