ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଲୋକସଭାରେ ଆଲୋଚନା ହୋଇଛି। ଇ-ଣ୍ଡି-ଆ ମେଣ୍ଟ ଆଣିଥିବା ଏହି ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛି ବିଜେଡି। ଏନେଇ ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ନିଜର ମତ ରଖିଥିଲେ। ଏହି ସମୟରେ ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ।

“ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିବା ପାଇଁ ଏହି ଅନାସ୍ଥା ପ୍ରସ୍ତାବ ଆଣିବା ବିରୋଧୀ ମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ। କେବଳ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବା ଠିକ୍‌ ନୁହେଁ। ମଣିପୁରରେ ଯାହା ଘଟିଲା ତାହା ନିଶ୍ଚିତରେ ପରିତାପର ବିଷୟ କିନ୍ତୁ ଏହାକୁ ନେଇ ସରକାରଙ୍କୁ ବିରୋଧ କରିବା ବଦଳରେ ସମସ୍ୟାର ସମାଧାନ ଦିଗରେ ବିରୋଧୀମାନେ କାମ କଲେ ସବୁଠୁ ଭଲ ହେବ”, କହିଛନ୍ତି ପିନାକୀ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “କେନ୍ଦ୍ର ସରକାର ଓଡ଼ିଶାର ଅନେକ ଦାବିକୁ ମାନି ନାହାନ୍ତି ସତ କିନ୍ତୁ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହଯୋଗ କରିଛି। ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ଭୂମିକାକୁ କେନ୍ଦ୍ର ସରକାର ସବୁବେଳେ ପ୍ରଶଂସା କରିଛନ୍ତି। ଏଣୁ ବିଜେଡି ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ।”

ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବା ପାଇଁ ବିଜେଡି ପକ୍ଷରୁ ନିଜର ସାଂସଦମାନଙ୍କୁ ପୂର୍ବରୁ ନିର୍ଦେଶ ଦିଆଯାଇଥିଲା। ଏଥିପାଇଁ ଦଳ ପକ୍ଷରୁ ନିଜ ସାଂସଦଙ୍କ ପାଇଁ ହ୍ୱିପ ମଧ୍ୟ ଜାରି ହୋଇଥିଲା।

ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଲୋକସଭା ବାଚସ୍ପତି ସବୁ ଦଳଙ୍କୁ ସମୟ ବାଣ୍ଟିଥିଲେ। ଏଥିରେ ବିଜେଡିକୁ ୧୬ ମିନିଟର ସମୟ ମିଳିଥିଲା। ସେହିପରି ଅନାସ୍ଥା ବିତର୍କରେ ବିଜେପିକୁ ୩ ଘଣ୍ଟାରୁ ଅଧିକ ସମୟ ମିଳିଥିବାବେଳେ କଂଗ୍ରେସକୁ ୧ ଘଣ୍ଟା ସମୟ ଦିଆଯାଇଥିଲା।

ଅନାସ୍ଥା ପ୍ରସ୍ତାବକୁ ନେଇ ୫୪୫ ଆସନ ବିଶିଷ୍ଟ ଲୋକସଭାରେ ସଂଖ୍ୟାବଳ କେନ୍ଦ୍ର ସରକାରଙ୍କ ସପକ୍ଷରେ ରହିଛି। କେନ୍ଦ୍ର ସରକାରଙ୍କ ପାଖରେ ୩୫୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିବାବେଳେ ଇ-ଣ୍ଡି-ଆ ମେଣ୍ଟ ପାଖରେ ପ୍ରାୟ ୧୫୦ ସାଂସଦଙ୍କ ସମର୍ଥନ ରହିଛି। ଏହି ଆଲୋଚନାକୁ ମଙ୍ଗଳବାର ପାଇଁ ସ୍ଥଗିତ ରଖାଯାଇଛି। ବୁଧବାର ସକାଳ ୧୧ ଟାରୁ ପୁଣି ବିତର୍କ ଆରମ୍ଭ ହେବ।

Tags: #Loksabha #NoConfidenceMotion #ManipurViolence #Opposition #BJD #CentralGovt

Comment