ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଵାସ୍ଥ୍ୟ ବିଭାଗର ଫୁଡ୍‌ ସେଫ୍‌ଟି ଅଧିକାରୀଙ୍କ ଦ୍ୱାରା ସଂଗ୍ରହ କରାଯାଉଥିବା ମାଛ ନମୁନାରେ ଫର୍ମାଲିନ୍‌ ନ ଥିବା ସ୍ଵାସ୍ଥ୍ୟ ବିଭାଗ କ୍ଲିନଚିଟ୍‌ ଦେଇଛି।

ମାଛକୁ ତାଜା ରଖିବା ପାଇଁ ଏଥିରେ ମାରାତ୍ମକ ଫର୍ମାଲିନ ବ୍ୟବହାର କରାଯାଉଛି ବୋଲି ପ୍ରଚାର ହେବା ପରେ ମାଛ ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୋମବାରଦିନ ମାଛରେ ଫର୍ମାଲିନ୍‌ ମିଶୁଥିବା କଥାକୁ ଅସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।

ସେ କହିଛନ୍ତି, “ମାଛରେ ଫର୍ମାଲିନ୍‌ ଚିହ୍ନଟ ଖବର ଗୁଜବ। ଏହି କଥାର ସତ୍ୟସତ୍ୟ ଜାଣିବା ପାଇଁ ୨୦ଟି ଜିଲ୍ଲାରୁ ସମୁଦାୟ ୧୩୭ଟି ମାଛ ସଂଗ୍ରହ କରାଯାଇ ୮୯ଟି ନମୂନାର ପରୀକ୍ଷା କରାଯାଇଛି। ଏହି ପରୀକ୍ଷାରୁ ଜାଣିବାକୁ ମିଳିଛି ଯେ ମାଛରେ ଫର୍ମାଲିନ୍‌ ନାହିଁ। ତେଣୁ ଅଯଥାରେ ଲୋକେ ଏପରି ଏକ ମିଛ ଖବରକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ।”

ଆନ୍ଧ୍ରରୁ ଟ୍ରକ୍‌ରେ ଆସୁଥିବା ମାଛ ହୋଲସେଲରଙ୍କ ଗୋଦାମ ଉପରେ ଗୁରୁତ୍ୱ ଦିଆଯିବା ସହିତ ଛୋଟ ବ୍ୟବସାୟୀଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି। ମାଛରେ ଫର୍ମାଲିନ୍‌ ଥିବା ବିଷୟ ନେଇ ଲୋକମାନେ ଆତଙ୍କିତ ହେବା ଆବଶ୍ୟକ ନାହିଁ ବୋଲି କହିଛି ସ୍ଵାସ୍ଥ୍ୟ ବିଭାଗ।

ବଜାରରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ୍‌ ବାହାରିବା ପରେ ମାଛ ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଏଥିଯୋଗୁ ବଜାରରେ ଆନ୍ଧ୍ର ମାଛର ଚାହିଦା ମଧ୍ୟ ହ୍ରାସ ପାଇଛି। ଫର୍ମାଲିନ୍‌ ଘଟଣା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ସ୍ଵାସ୍ଥ୍ୟ ବିଭାଗ ତତ୍ପର ହୋଇପଡ଼ିଛନ୍ତି।

ଫର୍ମାଲିନ୍‌ ଖବର ଗଣମାଧ୍ୟମଗୁଡ଼ିକରେ ପ୍ରକାଶ ପାଇବା ପରେ ମାଛ ବ୍ୟବସାୟ ଉପରେ ଏହା ଗଭୀର ଭାବେ ପ୍ରଭାବ ପକାଇଛି। ଆନ୍ଧ୍ର ମାଛରେ ଫର୍ମାଲିନ୍‌ ରହିଥିବା ପ୍ରକାଶ ପାଇବା ପରେ ବ୍ରହ୍ମପୁରକୁ ଆସୁଥିବା ଆନ୍ଧ୍ରର ମାଛ ଟ୍ରକ୍‌ ଉପରେ ରୋକ ଲଗାଯାଇଥିଲା।

Comment